Latest Odisha News

BREAKING NEWS

ବିଜେଡି ଜନସମ୍ପର୍କ ପଦଯାତ୍ରାରେ ସଞ୍ଜୟ ଦାସବର୍ମାଙ୍କ ବିସ୍ଫୋରକ ବୟାନ

ଭୁବନେଶ୍ୱର: ୨୨ ବର୍ଷ ଧରି ଓଡ଼ିଶାକୁ ବିଜେଡି ଶାସନ କରୁଛି । ହେଲେ ଦଳର ନେତା ମଞ୍ଚରେ ଖୋଲାଖୋଲି କହୁଛନ୍ତି କିଛି ବାହାର ଶକ୍ତି ଓଡ଼ିଶାର ଖଣିଜ ସମ୍ପଦ, ରତ୍ନ ଭଣ୍ଡାର ଲୁଟିବାକୁ ଚାହୁଁଛନ୍ତି । ବିଜେଡି ଜନସମ୍ପର୍କ ପଦଯାତ୍ରାରେ ଦଳର ସାଧାରଣ ସମ୍ପାଦକ ସଞ୍ଜୟ ଦାସ ବର୍ମା ଏଭଳି ବିସ୍ଫୋରକ ବୟାନ ଦେଇଛନ୍ତି ।

ପୁରୀ ସଦର ବ୍ଲକ ମାଳସାହିରେ ଦଳର ଜନସମ୍ପର୍କ ପଦଯାତ୍ରାରେ ସଞ୍ଜୟ ଦାସବର୍ମା କହିଛନ୍ତି, କିଛି ବାହ୍ୟ ଶକ୍ତି ଓଡ଼ିଶାକୁ ଲୁଟିବାକୁ ଚାହୁଁଛନ୍ତି । ଓଡ଼ିଶାର ଖଣିଜ ସମ୍ପଦ, ଓଡ଼ିଶାର ପ୍ରାଚୁର୍ଯ୍ୟ ଓ ରତ୍ନ ଭଣ୍ଡାରକୁ ଲୁଟିବାକୁ ଚାହୁଁଛନ୍ତି । ସେମାନେ ଭାବୁଛନ୍ତି ଓଡ଼ିଶାକୁ ଲୁଟି ପଳାଇବେ । ଆମକୁ ସେମାନଙ୍କୁ ପରାସ୍ତ କରିବାକୁ ପଡ଼ିବ, ଷଡ଼ଯନ୍ତ୍ର ପଣ୍ଡ କରିବାକୁ ପଡ଼ିବ ।

ସେ ଆହୁରି କହିଛନ୍ତି, ମୁଖ୍ୟମନ୍ତ୍ରୀ ମୋତେ ମନ୍ତ୍ରୀ କରିଥିଲେ, ବଡ଼ ବଡ଼ ପଦବୀ ଦେଇଥିଲେ । ନିର୍ବାଚନ ହାରିଲା ପରେ ବି ଯୋଜନା ବୋର୍ଡ଼ ଉପାଧ୍ୟକ୍ଷ କରିଥିଲେ ମୁଖ୍ୟମନ୍ତ୍ରୀ । ତେବେ ଏବେ ପରିସ୍ଥିତି ବଦଳି ଯାଇଛି । ଆମକୁ ସତର୍କ ରହିବାକୁ ପଡ଼ିବ । ମାଆମାନେ ପଣତକାନିରେ ମୋତେ ଘୋଡ଼େଇକି ରଖ, ଆମ ସମସ୍ତଙ୍କୁ ଘୋଡ଼େଇ କି ରଖ, ଷଡ଼ଯନ୍ତ୍ର ବିରୋଧରେ ଲଢ଼େଇ କରିବା ପାଇଁ ।

ତେବେ ବିଜେଡି ଜନସମ୍ପର୍କ ପଦଯାତ୍ରାରେ ନାଁ ନ ନେଇ ସଞ୍ଜୟ ଦେଇଥିବା ବୟାନ ଦଳ ଭିତରେ ଅସନ୍ତୋଷ ସୃଷ୍ଟି କରିଛି । ସଞ୍ଜୟଙ୍କ ମନ୍ତବ୍ୟ ଉପରେ ଦଳ ପକ୍ଷରୁ କୌଣସି ପ୍ରତିକ୍ରିୟା ଏଯାଏ ମିଳିନାହିଁ । ତେବେ ଓଡ଼ିଶାକୁ ଲୁଟିବାକୁ କିଏ ଚାହୁଁଛି ? ଲୁଟିବାକୁ ଷଡ଼ଯନ୍ତ୍ର କରିଥିବା ବାହ୍ୟ ଶକ୍ତି ଶାସକ ଦଳରେ ନା ପ୍ରଶାସନରେ ଅଛି ? ସଞ୍ଜୟ ଦାସବର୍ମା ସେ କଥା ସ୍ପଷ୍ଟ କରିନଥିବା ବେଳେ ବାହାରେ ତାଙ୍କ ବୟାନକୁ ନେଇ ବେଶ୍ ଚାଞ୍ଚଲ୍ୟ ଖେଳି ଯାଇଛି ।

Comments are closed.