Latest Odisha News

BREAKING NEWS

ଓଡ଼ିଶାରେ ମୈତ୍ରୀ ଆନ୍ଦୋଳନ: ଏକ ବିହଙ୍ଗାବଲୋକନ

ବିଜୟ କୁମାର ପଢ଼ିହାରୀ

ଦ୍ଵିତୀୟ ମହାଯୁଦ୍ଧର ଘନଘଟା । ହିଟଲରର ନାଜିବାହିନୀ ସୋଭିଏତ୍‌ ୟୁନିଅନ୍‌ ଉପରେ ଆକ୍ରମଣ କରିଛି। ସୋଭିଏତ୍‌ ୟୁନିଅନ୍‌, ନୂଆ ସାମାଜବାଦୀ ଦେଶ ଗଢିବାରେ ଆଗେଇ ଚାଲିଥିବା ବେଳେ, ହଠାତ ହିଟଲରର ଏହି ବର୍ବରୋଚିତ ଆକ୍ରମଣ । ନାଜିବାହିନୀର ଆକ୍ରମଣରେ ହଜାର ହଜାର ମୃତ ଓ ଆହତ ହୋଇଥିଲେ । ସାରା ବିଶ୍ବରେ ହିଟଲରର କାର୍ଯ୍ୟକୁ ନିନ୍ଦା କରି ସୋଭିଏତ୍‌ ୟୁନିଅନ ସପକ୍ଷରେ ଜନମତ ସୃଷ୍ଟି ହେଲା । ସୋଭିଏତ୍‌ ବାହିନୀକୁ ସକଳ ପ୍ରକାର ସାହାଯ୍ୟ, ସମର୍ଥନ ଓ ସଂହତି ପ୍ରଦାନ କରିବାକୁ ଆଗେଇ ଆସିଲେ ବିଶ୍ଵବାସୀ । ଭାରତ ଅବା କାହିଁକି ପଛରେ ପଡ଼ିବ ।

କଲିକତା ମହାନଗରୀରେ ଏକଜୁଟ୍‌ ହେଲେ ସ୍ଵାଧୀନଚେତା ଯୁବକମାନେ । ଗଠିତ ହେଲା ‘Friends of Soviet Union’ (FSU) ବା ସୋଭିଏତ୍‌ ସୁହୁଦ୍‌ ସଂଘ । ଏହାର ନେତୃତ୍ଵ ନେଲେ ଭୁପେନ୍ଦ୍ରନାଥ ଦତ୍ତ, ଜ୍ୟୋତି ବସୁ ଓ ଅଧ୍ଯାପକ ହିରେନ୍‌ ମୁଖାର୍ଜୀ । ସଂହତି ଜଣାଇଲେ ସୋଭିଏତ୍‌ ଜନସାଧାରଣଙ୍କୁ — ‘ହେ, ସୋଭିଏତ୍‌ ବାସୀ ! ଆଗେଇ ଚାଲ । ଡର ନାହିଁ । ଏହି ଚରମ ଅସୁବିଧା ବେଳେ ଆମେ ତୁମ ସହିତ ଅଛୁ’ । ଏହି ବାର୍ତ୍ତା ଖେଳିଗଲା ଭାରତ ବର୍ଷ ସାରା । ଭାରତର ବିଭିନ୍ନ ନଗରୀରେ ଗଠିତ ହେଲା FSU । ବିଶ୍ଵକବି ରବିନ୍ଦ୍ରନାଥ ଠାକୁର ଓ ଜବାହରଲାଲ ନେହେରୁ ସମର୍ଥନ କରି ଶୁଭେଛା ବାର୍ତ୍ତା ପଠାଇଲେ । ଓଡ଼ିଶାରେ ମଧ୍ଯ ପ୍ରତିଫଳିତ ହେଲା ଏହି ବାର୍ତ୍ତା । କଲିକତା ମହାନଗରୀରେ ସଂଗଠିତ ହୋଇଥିବା ପ୍ରଥମ ସମ୍ମିଳନୀରେ ଯୋଗ ଦେଇଥିଲେ ବିଶିଷ୍ଟ ଚାଷୀ ନେତା ସାଧୁ ଚରଣ ମହାନ୍ତି । କବି ଅନନ୍ତ ପଟ୍ଟନାୟକ, ଆଇନଜୀବୀ ବିଶ୍ଵନାଥ ପଶାୟତ, ଶରତ ପଟ୍ଟନାୟକ ଓ ଶଶୀଭୁଷଣ ପଟ୍ଟନାୟକ ପ୍ରମୁଖ କେତେକ ଯୁବକ ଏକଜୁଟ୍‌ ହୋଇ ଓଡ଼ିଶାରେ ଗଠନ କଲେ FSU । ସୋଭିଏତ୍‌ ସପକ୍ଷରେ ସଭା ଓ ସମାବେଶମାନ କଲେ । ତାହାର ପ୍ରଭାବରେ ଓଡ଼ିଶାର ବିଭିନ୍ନ ସହରରେ ଗଠିତ ହେଲା FSU ।

ବିଶ୍ଵ ମହାଯୁଦ୍ଧ ସରିଆସୁଥାଏ । ହଠାତ୍‌ ନିଜର ଶକ୍ତି ପ୍ରଦର୍ଶନ କରିବାପାଇଁ ଆମେରିକା ଜାପାନର ହିରୋସୀମା ଓ ନାଗାସାକି ଉପରେ ବୋମା ନିକ୍ଷେପ କଲା । ପୋଡ଼ିଜଳି ଧ୍ବଂସ ହୋଇଗଲା ଦୁଇଟି ସହର । ସମଗ୍ର ବିଶ୍ଵ ସ୍ତନ୍ତ ହୋଇଗଲା । ତାର ପ୍ରତିବାଦରେ କଟକ ମହାନଗରୀରେ ସଭା ଆୟୋଜିତ ହେଲା । ପ୍ରଗତି କବିମାନେ ଲେଖିଲେ କବିତା ଓ ଗାଇଲେ ଯୁଦ୍ଧ ବିରୋଧୀ ସଙ୍ଗୀତ।

ଶାନ୍ତି କପୋତ ଆମ ଯାଆରେ
ଉଡ଼ି ଉଡ଼ି ଯାଆରେ,
ମରଣର ସୁଅ ଠେଲି
ଜୀବନର ରାହାରେ ଯାଆରେ ।
ଦେଶେ ଦେଶେ ବୁଲିବୁଲି
ଶାନ୍ତିର ଗୀତକୁ ଗାଆରେ,
ଯେ ମଥା ଯେ ହାତ ବହେ
ପରମାଣୁ କିରତୀ,
ପରମାଣୁ କୋପାନଳୁ
ଯିବ ସେ କି ବରତି
ଶାନ୍ତିର କପୋତ ତୁ …
(ଅନନ୍ତ ପଟ୍ଟନାୟକ)

ସୋଭିଏତ୍‌ ୟୁନିଅନ୍‌ ସହ ବନ୍ଧୁତା ଆହୁରି ଦୃଢ଼ୀଭୂତ ହେଲା । ୧୯୫୨ ମସିହାରେ ଡ଼ଃ ବାଲିଗା ଓ ଜେ.ପି.ଏସ୍‌ ମେନନଙ୍କ ନେତୃତ୍ଵରେ ଗଠିତ ହେଲା ଭାରତ-ସୋଭିଏତ୍‌ ସାଂସ୍କୃତିକ ସମିତି । ଏହାକୁ ଆମ ମୈତ୍ରୀ ଆନ୍ଦୋଳନର ସୁବର୍ଣ୍ଣ ଯୁଗ କହିଲେ ଅତ୍ୟୁକ୍ତି ହେବ ନାହିଁ । ଓଡ଼ିଶାରେ ଗଠିତ ହେଲା [OCR ଅସ୍ପଷ୍ଟ] । ୧୯୬୪ ମସିହାରେ ଏହାର ପ୍ରଥମ ରାଜ୍ୟ ସମ୍ମିଳନୀ କଟକର ବାରବାଟୀ ଷ୍ଟାଡିୟମରେ ଅନୁଷ୍ଠିତ ହେଲା । ଏହାକୁ ଉଦ୍‌ଘାଟନ କରିଥିଲେ ନୀଳମଣି ରାଉତରାୟ । ଉକ୍ତ ସମ୍ମିଳନୀରେ ଭୈରବ ଚନ୍ଦ୍ର ମହାନ୍ତି-ସଭାପତି, ରାମଚନ୍ଦ୍ର ରାମ ଓ ସୁବୋଧ ବିଶ୍ଵାସ – ସାଧାରଣ ସମ୍ପାଦକ ଏବଂ ନନ୍ଦ କିଶୋର ପଟ୍ଟନାୟକ ଓ ଗିରିଜା ଭୂଷଣ ପଟ୍ଟନାୟକ – ସମ୍ପାଦକ ଭାବେ ନିର୍ବାଚିତ ହେଲେ । ସେହି ଦିନଠାରୁ [OCR ଅସ୍ପଷ୍ଟ] ସଂଗଠନ ସାରା ରାଜ୍ୟରେ ଆଗେଇ ଚାଲିଲା । ସମ୍ମିଳନୀ ପରେ ସମ୍ମିଳନୀ ହେଲା । ଭାରତ ସୋଭିଏତ୍‌ ମଧ୍ଯରେ ପ୍ରଥମ ମୈତ୍ରୀ ଚୁକ୍ତି, ୧୯୬୬ ମସିହା ନଭେମ୍ବର ୬ ତାରିଖ ଦିନ କଟକ ବାରବାଟୀ ଷ୍ଟାଡିୟମରେ ସ୍ଵାକ୍ଷରିତ ହେଲା । କେ.ପି.ଏସ୍‌ ମେନନ୍‌ ଓ ଭୈରବ ଚନ୍ଦ୍ର ମହାନ୍ତି ଏବଂ ସୋଭିଏତ୍‌ ରାଷ୍ଟ୍ରଦୂତ ସ୍ମିର୍ନୋଭ ଓ ଅଧ୍ୟାପକ ଚେଲିଶେଭଙ୍କ ମଧ୍ଯରେ ଚୁକ୍ତି ସ୍ଵାକ୍ଷରିତ ହେଲା । ସେହି ଦିନଠାରୁ ଦୁଇ ଦେଶ ମଧ୍ୟରେ ପ୍ରତିନିଧୂ ବିନିମୟ ଆରମ୍ଭ ହେଲା । ଶହ ଶହ ଭାରତୀୟ ରୁଷିଆ ଗଲେ ଓ ସେହିପରି ରୁଷ ପ୍ରତିନିଧୂମାନେ ମଧ୍ଯ ଭାରତ ଆସିଲେ ।

ଓଡ଼ିଶାକୁ ଆସିଲେ ପୃଥିବୀର ପ୍ରଥମ ମହିଳା ମହାକାଶଚାରୀ ଭାଲେଣ୍ଡିନା ତେରେସ୍କୋଭା । ରୁଷୀୟ ବାଲେ ନୃତ୍ୟ ଦଳ, ଫୁଟବଲ ଖେଳାଳୀ, ଅନେକ ବୈଜ୍ଞାନିକ ଓ ସାହିତ୍ୟିକ । ସେହିପରି ଓଡ଼ିଶାର ବହୁ ପ୍ରତିନିଧୂ ରୁଷିଆ ଭ୍ରମଣରେ ଗଲେ । ଜାନକୀ ବଲ୍ଲଭ ପଟ୍ଟନାୟକ ୧୯୪୨ର ପ୍ରଥମ ପ୍ରତିନିଧୂ ହୋଇ ରୁଷିଆ ପରିଦର୍ଶନରେ ଯାଇଥିଲେ । ବହୁ ଛାତ୍ର ରୁଷିଆରେ ପାଠ ପଢ଼ି ଡାକ୍ତର, ଇଞ୍ଜିନିୟର ହେଲେ । ଓଡ଼ିଶାରେ ମୈତ୍ରୀ ଆନ୍ଦୋଳନ ଆଗେଇ ଚାଲିଲା। ବାରବାଟୀ ଷ୍ଟାଡିୟମରେ ତାର କାର୍ଯ୍ୟାଳୟ ଚଳତଞ୍ଚଳ ହୋଇ ଉଠିଲା। ପ୍ରତିଷ୍ଠିତ ହେଲା ଋଷ ଭାଷା ଶିକ୍ଷାକେନ୍ଦ୍ର, ବାରବାଟୀ ଫିଲ୍ମ କ୍ଲବ, ପାଠାଗାର ଓ ପୋଲିଓ ଔଷଧ ବିତରଣ କେନ୍ଦ୍ର। ଅନେକ ସଭା ସମିତି ଓ ଆଲୋଚନା ଚକ୍ର ISCUS ପକ୍ଷରୁ ଆୟୋଜନ କରାଗଲା। ବିଭିନ୍ନ ସାହିତ୍ୟିକ, କବି, ଅଧ୍ୟାପକ ଓ ରାଜନେତା ଏଥିରେ ଯୋଗ ଦେଲେ। ସଂଗୀତତ୍ର ସୁନନ୍ଦା ପଟ୍ଟନାୟକ ଓ ପ୍ରଫୁଲ୍ଲ କର ଏବଂ ଓଡିଶୀ ନୃତ୍ୟଶିଳ୍ପୀ ସଂଯୁକ୍ତା ପାଣିଗ୍ରାହୀ ଓ ରଘୁନାଥ ପାଣିଗ୍ରାହୀଙ୍କୁ ସୋଭିଏତ ୟୁନିଅନ ପଠାଗଲା। ସେହିପରି ସୋଭିଏତ ନୃତ୍ୟଶିଳ୍ପୀ ମାନେ ଓଡିଶା ଆସିଲେ।

ସବୁକ୍ଷେତ୍ରରେ ଦୁଇଦେଶ ମଧ୍ଧରେ ପ୍ରତିନିଧୂ ଆଦାନପ୍ରଦାନ ଓ ଭାବବିନିମୟ ଚାଲିଲା । ୧୯୬୯ ମସିହା ଅକ୍ଟୋବର ୨ ତାରିଖରେ ଗାନ୍ଧୀ ଶତବାର୍ଷିକୀ ଉତ୍ସବ କଟକ ବାରବାଟୀ ଷ୍ଟାଡିୟମରେ ପାଳିତ ହୋଇଗଲା । ଏଥିରେ ବହୁ ସର୍ବ ଭାରତୀୟ ନେତା, ବିଶେଷ କରି ଜର୍ମାନୀର ହରବର୍ଟ୍‌ ଫିଶର ଏଥିରେ ଯୋଗ ଦେଇଥିଲେ । ସେହିପରି ୧୯୭୦ ଅପ୍ରେଲ ୨୨ ତାରିଖଠାରୁ ତିନି ଦିନ ଧରି ଲେନିନ୍‌ ଶତବାର୍ଷିକୀ ଉତ୍ସବ କଟକ ବାରବାଟୀ ଷ୍ଟାଡ଼ିୟମ୍‌ରେ ପାଳନ କରାଯାଇଥିଲା । ଏହା ଥିଲା ଏକ ଐତିହାସିକ ଘଟଣା । ଭାରତ ବର୍ଷ ତଥା ସୋଭିଏତ୍‌ ୟୁନିଅନର ବହୁ ରାଜନେତା, ବୁଦ୍ଧିଜୀବୀ ଓ ସମାଜ ବିଜ୍ଞାନୀ ଉକ୍ତ ଉତ୍ସବରେ ଭାଗ ନେଇଥିଲେ ।

୧୯୭୦ ମସିହାରେ ପ୍ରକାଶ ପାଇଲା ଶାନ୍ତିମୈତ୍ରୀ ଆନ୍ଦୋଳନର ମୁଖପତ୍ର ଦୋସ୍ତି । ଏହାର ସମ୍ପାଦକ ହେଲେ ଶରତ ପଟ୍ଟନାୟକ । ବହୁ ବିଦ୍ଵାନ କବି, ରାଜନେତା ଓ ଅଧ୍ୟାପକଙ୍କ ଲେଖାରେ ସମ୍ପଦ୍ଧ ହୋଇଥଲା ଉକ୍ତ ପତ୍ରିକା । ଶୈଳ ବେହେରା, ଆହବାନନ୍ଦ ମହାନ୍ତି, ହୁସେନ୍‌ ରବି ଗାନ୍ଧୀ, ବିଜୟଲକ୍ଷ୍ମୀ ସାହୁ, କଲ୍ୟାଣ ମହାପାତ୍ର, ଲକ୍ଷ୍ମୀନାରାୟଣ ରାୟସିଂହ, ଗୋବିନ୍ଦ ଚନ୍ଦ୍ର ମହାନ୍ତି, ଗୌରହରି ଦାସ, ବିଜୟ ବର୍ଵନ ପଟ୍ଟନାୟକ, ବିଜୟ କୁମାର ପଢ଼ିହାରୀ, ବିଜୟ ଶତପଥୀ, ଚିଉରଞ୍ଜନ ଦାସ, ନନ୍ଦ କିଶୋର ପଟ୍ଟନାୟକ, ଗୁରୁ ଚରଣ ପଟ୍ଟନାୟକ, କାଳନ୍ଦୀ ଚରଣ ପାଣିଗ୍ରାହୀ, ଅଧ୍ୟାପକ ରାଧାନାଥ ରଥ, ଅଧ୍ୟାପକ ସୂର୍ଯ୍ୟକାନ୍ତ ଦାସ, ଅଧ୍ୟାପକ ଭଗବାନ ଜେନା, ଡକ୍ଟର ସଦାଶିବ ମିଶ୍ର, ଅଧ୍ୟାପକ ଅବନୀ ବରାଳ, କବି ଅନନ୍ତ ପଟ୍ଟନାୟକ, କବି ବୈକୁଣ୍ଠନାଥ ପଟ୍ଟନାୟକ, କବି ସଚି ରାଉତରାୟ, ପଠାଣି ପଟ୍ଟନାୟକ, ଗୋପୀନାଥ ମହାନ୍ତି, ବିନୋଦ କାନୁନଗୋ, ଡକ୍ଟର ଗୋପାଳ ମିଶ୍ର, ଅନ୍ଧଦା ପ୍ରସାଦ ରାୟ ଓ ବାଞ୍ଚାନିଧୂ ଦାସ ପ୍ରମୁଖଙ୍କ ଲେଖାରେ ସମ୍ପଦ୍ଧ ହୋଇଥିଲା “ଦୋସ୍ତି” ।

ଧୀରେ ଧୀରେ ଏହି ମୈତ୍ରୀ ଆନ୍ଦୋଳନ ଓଡ଼ିଶାର ଲୋକପ୍ରିୟ ହେବାକୁ ଲାଗିଲା ।
ଏହା ସହିତ ଓଡ଼ିଶାର ଅନେକ ମୁଖ୍ୟମନ୍ତ୍ରୀ ମଧ୍ୟ ସାମିଲ ହେଲେ । ହରେକୃଷ୍ଣ ମହତାବ, ବିଜୁ ପଟ୍ଟନାୟକ, ନୀଳମଣି ରାଉତରାୟ, ବିନାୟକ ଆଚାର୍ଯ୍ୟ, ସଦାଶିବ ତ୍ରିପାଠୀ, ଜାନକୀ ବଲ୍ଲଭ ପଟ୍ଟନାୟକ, ନନ୍ଦିନୀ ଶତପଥୀ ଓ ନବୀନ ପଟ୍ଟନାୟକଙ୍କ ସାହାଯ୍ୟ ଓ ସହଯୋଗ ଅବିସ୍ମରଣୀୟ।

ଓଡ଼ିଶାରେ ଭାରତ-ସୋଭିଏତ୍‌ ସାଂସ୍କୃତିକ ସମିତି କାର୍ଯ୍ୟକାଳକୁ ଆମେ ଯଦି ଏକ ସୁବର୍ଣ୍ଣ ଯୁଗ ଆଖ୍ୟା ଦେବା, ଏଥରେ ଅତ୍ୟୁକ୍ତି ହେବ ନାହିଁ। ଏହାକୁ ଲକ୍ଷ କରି ସେତେବେଳେ ପ୍ରସିଦ୍ଧ ସଙ୍ଗୀତଜ୍ଞ ପ୍ରଫୁଲ୍ଲ କର ଉଦାତ୍ତ କଣ୍ଠରେ ଗାଇଥିଲେ –
“ଏ ହାତରେ ଲାଲ ଝଣ୍ଡା
ସେ ହାତରେ ତିରଙ୍ଗା,
ବୋଲ ଭାଇ
ହିନ୍ଦି ରୁଷି ଭାଇ ଭାଇ ।”
୧୯୯୩ ମସିହାରେ ସୋଭିଏତ୍‌ ୟୁନିଅନର ବିଘଟନ ପରେ ଆମ ସଂଗଠନର ନାମ ପରିବର୍ତ୍ତନ କରାଗଲା । ଭାରତ ସୋଭିଏତ୍‌ ସାଂସ୍କୃତିକ ସମିତି ବଦଳରେ ଭାରତୀୟ ସାଂସ୍କୃତିକ ସହଯୋଗ ଓ ମୈତ୍ରୀ ସମିତି ଗଠନ କରାଗଲା । ୧୯୯୩ ମସିହା ଅକ୍ଟୋବର ୨ ଓ ୩ ତାରିଖରେ ଚଣ୍ଡିଗଡ଼ଠାରେ ହୋଇଥିବା ଜାତୀୟ ସମ୍ମିଳନୀରେ ସମ୍ଭିଧାନ ସଂଶୋଧନ କରାଯାଇ ସଂଗଠନର ନାମ Indian Society for Cultural Co-operation and Friendship (ISCU) ରଖାଗଲା।

ସେହିପରି ଓଡ଼ିଶାରେ ୧୯୯୪ ମସିହା ଅପ୍ରେଲ ୨୩ ଓ ୨୪ ତାରିଖରେ କଟକ ବାରବାଟୀ ଷ୍ଟାଡ଼ିୟମ୍‌ରେ ଅନୁଷ୍ଠିତ ହୋଇଥିଲା ISCUFର ପ୍ରଥମ ରାଜ୍ୟ ସମ୍ମିଳନୀ । ପୂର୍ବରୁ ଆମର ମୈତ୍ରୀ ସମ୍ପର୍କ କେବଳ ସୋଭିଏତ୍‌ ୟୁନିଅନ ସହ ଥିଲା । ମାତ୍ର ISCUF ଗଠନ ହେବା ପରେ ଏହି ମୈତ୍ରୀ ଆନ୍ଦୋଳନ ପରିବ୍ୟାପ୍ତ ହେଲା । ରୁଷିଆ ସହିତ ଦୁନିଆର ବିଭିନ୍ନ ସମାଜବାଦୀ, ଗଣତାନ୍ତ୍ରିକ ଓ ଶାନ୍ତିକାମୀ ଦେଶମାନଙ୍କ ସହ ଆମର ବନ୍ଧୁତା ବୃଦ୍ଧି ପାଇଲା। ଚୀନ, ଭିଏତନାମ, ଲାଓସ, କ୍ୟୁବା, ନେପାଳ ଓ ଶ୍ରୀଲଙ୍କା ଆଦି ଦେଶର ମୈତ୍ରୀ ସଂଗଠନମାନଙ୍କ ସହ ମୈତ୍ରୀ ଚୁକ୍ତି ସମ୍ପାଦିତ ହେଲା ।

ଆମର ବର୍ତ୍ତମାନ ଦୁଇଟି ଲକ୍ଷ୍ୟ, ପ୍ରଥମ ଲକ୍ଷ୍ୟ – ଆନ୍ତର୍ଜାତୀୟ ବନ୍ଧୁତା ଓ ବିଶ୍ଵ ଶାନ୍ତି । ଦ୍ଵିତୀୟ ଲକ୍ଷ୍ୟ ହେଲା- ଭାରତବର୍ଷର ଅଖଣ୍ଡତା ଓ ବିବିଧତା ମଧ୍ୟରେ ଏକତାର ସଂସ୍କୃତିକୁ ସୁରକ୍ଷା କରିବା ।

ଭୈରବ ଚନ୍ଦ୍ର ମହାନ୍ତି, ନନ୍ଦକିଶୋର ପଟ୍ଟନାୟକ, ଜାନକୀ ବଲ୍ଲଭ ପଟ୍ଟନାୟକ, ଗୁରୁଚରଣ ପଟ୍ଟନାୟକ, ଅନନ୍ତ ପଟ୍ଟନାୟକ, ରାଧାନାଥ ରଥ, ଦ୍ଵାରିକା ମୋହନ ମିଶ୍ର, ଅନ୍ନଦା ପ୍ରସାଦ ରାୟ, ଅବନୀ କୁମାର ବରାଳ, ଶ୍ରୀବଲ୍ଲଭ ପାଣିଗ୍ରାହୀ, ଭାଗବତ ପ୍ରସାଦ ନନ୍ଦ, ବିଶ୍ଵନାଥ ସାହୁ, ରାଜେନ୍ଦ୍ର ପ୍ରସାଦ ସିଂ, ମନୋରମା ମହାପାତ୍ର, ଶଶି ଭୂଷଣ ବେହେରା, ପ୍ରଫେସର ଦୁର୍ଗା ପ୍ରସାଦ ନାୟକ, ଡକ୍ଟର ସୂର୍ଯ୍ୟକାନ୍ତ ଦାସ, ଡକ୍ଟର ନିରୁପମା ରଥ, ଡକ୍ଟର ପ୍ରଭାତ କୁମାର ମିଶ୍ର, ଡକ୍ଟର ପ୍ରଫୁଲ୍ଲ କୁମାର ପତି, ବିଚିତ୍ରାନନ୍ଦ ମହାନ୍ତି, ଦୁର୍ଗାଶଙ୍କର ପଟ୍ଟନାୟକ, ଗୋବିନ୍ଦ ଚନ୍ଦ୍ର ମହାନ୍ତି, ଜଗନ୍ନାଥ ପଟ୍ଟନାୟକ, ବିବେକାନନ୍ଦ ଦାଶ, ଆଶୀର୍ବାଦ ବେହେରା, ସନ୍ତୋଷ କୁମାର ସାହୁ, ମନୋରଞ୍ଜନ ମହାନ୍ତି, ମାନସ ବେହେରା, ଗୋକୁଳ ଚନ୍ଦ୍ର ପଣ୍ଡା ଓ ବିଜୟ କୁମାର ପଢ଼ିହାରୀ, ଶମ୍ଭୁନାଥ ମହାନ୍ତି, ବସନ୍ତ ବିଶ୍ଵାଳ ଓ ଅମରେଶ ପଟ୍ଟନାୟକ ସଭାପତି ।

ରାମଚନ୍ଦ୍ର ରାମ, ସୁବୋଧ ବିଶ୍ଵାସ, ନନ୍ଦ କିଶୋର ପଟ୍ଟନାୟକ, ଗିରିଜା ଭୂଷଣ ପଟ୍ଟନାୟକ, ଘନଶ୍ୟାମ ପଟ୍ଟନାୟକ, ଅଶୋକ ବିଶି, ଗୋବର୍ଧନ ପୂଜାରୀ, ବିଜୟ କୁମାର ପଡ଼ିହାରୀ, ଯଦୁ ନନ୍ଦନ ପଣ୍ଡା, ବିଜୟ କୁମାର ନାୟକ, ଗୋକୁଳ ଚନ୍ଦ୍ର ପଣ୍ଡା, ମନ୍ଦାକିନୀ ପାଣିଗ୍ରାହୀ, ବିନୟ ମହାପାତ୍ର, ଏମ୍. ମନ୍ମଥ ରାଓ, ନିଶୀଥନି ଦାଶ, ସୁରେଶବର ମିଶ୍ର, ସଦାନନ୍ଦ ସାହୁ, ହରପ୍ରସାଦ ରଥ, ବିଜୟ କୁମାର ମହାନ୍ତି, ଜାନକୀ ବଲ୍ଲଭ ମହାନ୍ତି, ଅମରେନ୍ଦ୍ର ମହାନ୍ତି ଓ ବିଷ୍ଣୁ ଚରଣ ମୁଦୁଲି ପ୍ରମୁଖ ସାଧାରଣ ସମ୍ପାଦକ ଭାବେ ବିଭିନ୍ନ ସମୟରେ ଓଡ଼ିଶାର ମୈତ୍ରୀ ଆନ୍ଦୋଳନର ନେତୃତ୍ଵ ନେଇ ଆସିଛନ୍ତି।

ଚଳିତ ବର୍ଷ ଆମେ ମୈତ୍ରୀ ଆନ୍ଦୋଳନର ୮୫ତମ ପ୍ରତିଷ୍ଠା ବର୍ଷ ପାଳନ କରୁଛୁ । ଏହି ଅବସରରେ ଆସନ୍ତୁ, ଏକ ମନ ଏକ ପ୍ରାଣ ହୋଇ, ମୈତ୍ରୀର ସଂଗୀତ ଗାଇ, ଆମ ସଙ୍ଗଠନକୁ ଦୃଢ଼ କରିବା ।

ବିଶ୍ଵ ମୈତ୍ରୀ – ଜିନ୍ଦାବାଦ
ଇସ୍‌କଫ – ଜିନ୍ଦାବାଦ

ଅଭିନନ୍ଦନ ସହ
ବିଜୟ କୁମାର ପଢ଼ିହାରୀ
ସର୍ବ ଭାରତୀୟ ସାଧାରଣ ସମ୍ପାଦକ,
ଭାରତୀୟ ସାଂସ୍କୃତିକ ସହଯୋଗ ଓ ମୈତ୍ରୀ ସମିତି (ଇସ୍କଫ)
ମୋ :- ୯୩୩୭୮୯୬୪୪୬
ତା. ୧୮.୦୯.୨୦୨୬ରିଖ

Leave A Reply

Your email address will not be published.