ଭୁବନେଶ୍ୱର: ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିତି ସମ୍ପୂର୍ଣ୍ଣ ଭୂଷୁଡି ପଡ଼ିଛି । ରାଜ୍ୟର ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ବିଷୟରେ ସରକାରଙ୍କୁ ପ୍ରଶ୍ନ କଲେ ବିଜୁ ଜନତା ଦଳର ନେତା ଓ ମୁଖପାତ୍ରମାନେ ଏହା ଉପରେ ସ୍ପଷ୍ଟୀକରଣ ନଦେଇ ଅନ୍ୟ ରାଜ୍ୟର ଦ୍ୱାହି ଦେଇ ଖସିଯିବାକୁ ଅପଚେଷ୍ଟା କରୁଛନ୍ତି ।
ରାଜ୍ୟରେ ୫ବର୍ଷରେ ୨୭ହଜାର ଶିଶୁ ନିଖୋଜ, ୧୨ବର୍ଷରେ ୨୫ହଜାର ୭୧ଜଣ ମହିଳା ଦୁଷ୍କର୍ମର ଶିକାର ହେବା ଏକଥା କ’ଣ ମିଛ? ପ୍ରତି ଅଢ଼େଇ ଘଂଟାରେ ଜଣେ ମହିଳା ଦୁଷ୍କର୍ମ, ୨୦୨୨ମସିହାରେ ୨୨୪୮ଟି ଦଙ୍ଗା, ମାହାଙ୍ଗାରେ ୪ଜଣଙ୍କୁ ହତ୍ୟା, ମମିତା ମେହେରକୁ ହତ୍ୟା ଇତ୍ୟାଦି ଘଟଣା ମିଥ୍ୟା କି? ଏହା ଉପରେ ରାଜ୍ୟ ସରକାର କୌଣସି ସ୍ପଷ୍ଟୀକରଣ ନକଦେଇ ପ୍ରଶ୍ନ କରୁଥିବା ଲୋକଙ୍କୁ ପାଗଳର ଆଖ୍ୟା ଦେବା ଦୁର୍ଭାଗ୍ୟଜନକ ବୋଲି ରାଜ୍ୟ ମୁଖପାତ୍ର ସୋନାଲୀ ସାହୁ କହିଛନ୍ତି ।
ରାଜ୍ୟ ସରକାର ନିଜେ ସ୍ୱୀକାର କଲେ ଯେ, ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଦିବାଲୋକରେ ଜଣେ ପୋଲିସ ଅଧିକାରୀ ଗୁଳିକରି ହତ୍ୟା କଲେ । ସଠିକ୍ ତଦନ୍ତ ନାଁରେ ପ୍ରତ୍ୟେକଦିନ ନୂଆ ନୂଆ ଗପ ଶୁଣାଇ ଚୁପ୍ଚାପ ବସିଗଲେ । ଆଜିପର୍ଯ୍ୟନ୍ତ ନବ ଦାସଙ୍କ ହତ୍ୟା ପଛର ଷଡଯନ୍ତ୍ରର ଖୁଲାସା କରିବାରେ ରାଜ୍ୟ ସରକାର ସମ୍ପୂର୍ଣ୍ଣ ବିଫଳ । ସ୍ୱର୍ଗତଃ ଦାସଙ୍କୁ ହତ୍ୟା କରିବାର ଠିକ୍ ମାସେ ପୂରିବା ଦିନ ସେହି ଅଂଚଳରୁ ଜଣେ ପିଲାକୁ ଅପହରଣ କରି ଯେଉଁଭଳି ହତ୍ୟା କରାଗଲା ତାହା ଦର୍ଶାଉଛି ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିତି କେଉଁଭଳିଭାବେ ବିପର୍ଯ୍ୟସ୍ତ ବୋଲି ଶ୍ରୀମତୀ ସାହୁ କହିଛନ୍ତି ।
ଯେଉଁ ସରକାରର ନେତା, ମନ୍ତ୍ରୀ, ବିଧାୟକ ଓ ସାଂସଦଙ୍କ ନାଁରେ ଏକାଧିକ ଅପରାଧିକ ମାମଲା ରହିଛି ସେ ଦଳ ଅନ୍ୟ ରାଜ୍ୟର କଥା କହି ଖସିଯିବା ହାସ୍ୟାସ୍ପଦ । ଓଡ଼ିଶାର ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ପ୍ରଶ୍ନର ଉତର ରଖନ୍ତୁ ଶାସକ ଦଳର ମୁଖପାତ୍ର । ଆଇନଶୃଙ୍ଖଳାର ଆଇନା ଦେଖାଇଲେ କାହିଁକି ଚମକି ପଡୁଛି ବିଜୁ ଜନତା ଦଳ ବୋଲି ଶ୍ରୀମତୀ ସାହୁ କହିଛନ୍ତି ।
Comments are closed.