ମୁମ୍ବାଇ: ବଲିଉଡ ଅଭିନେତ୍ରୀ ସୋନମ କପୁର ଆଜିକାଲି ଫିଲ୍ମ ଅପେକ୍ଷା ସୋସିଆଲ ମିଡିଆରେ ଅଧିକ ସକ୍ରିୟ ଥିବା ଦେଖାଯାଇଛି । ଅଭିନେତ୍ରୀ ନିଜ ବ୍ୟକ୍ତିଗତ ଜୀବନର ମୁହୂର୍ତ୍ତକୁ ନେଇ ଲାଇମ ଲାଇଟରେ ରହୁଛନ୍ତି । ତେବେ ଏହାରି ଭିତରେ ଅଭିନେତ୍ରୀ ସୋନମ୍ ଜଣେ ୟୁଟୁବରଙ୍କୁ ଲିଗାଲ ନୋଟିସ ଦେଇ ଚର୍ଚ୍ଚାରେ ଅଛନ୍ତି । ଅଭିନେତ୍ରୀ ସୋନମ କପୁରଙ୍କ ଏକ ଭିଡିଓ ଉପରେ ସେ ଦେଇଥିବା ମନ୍ତବ୍ୟକୁ ପରିହାସ କରି ଜଣେ ୟୁଟ୍ୟୁବର ପୋଷ୍ଟ କରିଥିଲେ । ଏନେଇ ସୋନମ ତାଙ୍କ ନିକଟକୁ ଲିଗାଲ ନୋଟିସ ପଠାଇଛନ୍ତି ।
କିଛି ମାସ ତଳେ ସୋନମ କପୁର ପବ୍ଲିକରେ ଦେଇଥିବା ଏକ ବୟାନକୁ ନେଇ କଣ୍ଟେଣ୍ଟ କ୍ରିଏଟର ରାଗିଣୀ ତାଙ୍କର ମଜାକ ଉଡାଇଥିଲେ । ଯାହାକି ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା । ଫଳରେ ସୋନମଙ୍କ ସ୍ଵାମୀ ଆନନ୍ଦ ଆହୁଜା ଏଥିରେ ରାଗିଯାଇ ରାଗିଣୀଙ୍କୁ ଏକ ଲିଗାଲ ନୋଟିସ ପଠାଇଥିଲେ । ଏଥିରେ ଆହୁଜା ଲେଖିଥିଲେ ରାଗିଣୀଙ୍କ ପାଇଁ ତାଙ୍କର ଓ ତାଙ୍କ ପରିବାରର ସମ୍ମାନ ହାନୀ ହୋଇଛି ।
ଏହି ନୋଟିସ ପାଇବା ପରେ ରାଗିଣୀ ପୁଣି ଉକ୍ତ ସେଲିବ୍ରେଟି ଦମ୍ପତିଙ୍କ ଟ୍ରୋଲ କରିବା ଆରମ୍ଭ କରିଥିଲେ । ଲିଗାଲ ନୋଟିସ ଉପରେ ନିଜର ପ୍ରତିକ୍ରିୟାରେ ରାଗିଣୀ ଲେଖିଥିଲେ ‘ବ୍ରୋ ହାଜ ଲଷ୍ଟ ହିଜ ମାଇଣ୍ଡ ଓଭର ଓ୍ଵାନ ଭିଡିଓ ’ । ଏହାକୁ ଦେଖି ୟୁଜର୍ସ ଆହୁଜାଙ୍କୁ ଖୁବ୍ ଟ୍ରୋଲ କରିଥିଲେ । ଶେଷରେ ସୋସିଆଲ ମିଡିଆରୁ ଉକ୍ତ ଲିଗାଲ ନୋଟିସ ଡିଲିଟ ହୋଇ ଯାଇଥିଲା ।
ଏହାପରେ ସୋନମ ନିଜଆଡୁ ଆଉ ଏକ ଲିଗାଲ ନୋଟିସ ୟୁଟୁବର ରାଗିଣୀଙ୍କ ପଠାଇଛନ୍ତି । ରାଗିନୀ ଦ୍ୱାରା ପୋଷ୍ଟ ହୋଇଥିବା ଭିଡିଓ ଅଭିନେତ୍ରୀଙ୍କ ସମେତ ତାଙ୍କ ସ୍ବାମୀ ଆନନ୍ଦ ଆହୁଜା ଓ ସେମାନଙ୍କ ଫେଶନ ବ୍ରାଣ୍ଡର ଖ୍ୟାତି ଉପରେ ପ୍ରତିକୂଳ ପ୍ରଭାବ ପକାଇଛି । ଉକ୍ତ ପୋଷ୍ଟକୁ ଡିଲିଟ୍ କରିବା ସହ ୟୁଟ୍ୟୁବର ତାଙ୍କ ପ୍ଲାଟଫର୍ମକୁ ଏଭଳି କାର୍ଯ୍ୟରେ ବ୍ୟବହାର ନ କରିବାକୁ ନୋଟିସରେ ସତର୍କ କରିଦିଆଯାଇଛି ।
Comments are closed.