Latest Odisha News

BREAKING NEWS

ଜମ୍ମୁ-କାଶ୍ମୀରର ବିଚ୍ଛିନ୍ନତା ଚାହୁଁଥିବା ସଂଗଠନ ସହ ସୋନିଆଙ୍କ ଯୋଗସୂତ୍ର!

ନୂଆଦିଲ୍ଲୀ: କଂଗ୍ରେସ ବିରୋଧରେ ବିଜେପିର ବଡ଼ ଅଭିଯୋଗ। ଦେଶରୁ ଜମ୍ମୁ-କାଶ୍ମୀରର ବିଚ୍ଛିନ୍ନତା ଚାହୁଁଥିବା ସଂଗଠନ ସହିତ କଂଗ୍ରେସର ବରିଷ୍ଠ ନେତ୍ରୀ ସୋନିଆ ଗାନ୍ଧୀଙ୍କ ସମ୍ପୃକ୍ତି ରହିଛି ବୋଲି ବିଜେପି ଅଭିଯୋଗ ଆଣିଛି। କେବଳ ସୋନିଆ ନୁହନ୍ତି, ରାହୁଲ ଗାନ୍ଧୀ ମଧ୍ୟ ଭାରତର ଅର୍ଥନୀତିକୁ ଦୁର୍ବଳ କରିବାକୁ ଉଦ୍ୟମ କରୁଥିବା ସଂଗଠନ ସହିତ ଜଡ଼ିତ ରହିଥିବା ବିଜେପି ଅଭିଯୋଗ କରିଛି।

ବିଜେପି ପକ୍ଷରୁ ଏ ସଂକ୍ରାନ୍ତରେ ସାମାଜିକ ଗଣମାଧ୍ୟମରେ ଏକ ପୋଷ୍ଟ କରାଯାଇଛି ଅଭିଯୋଗ କରାଯାଇଛି। ବିଜେପି ଅଭିଯୋଗ କରିଛି ଯେ, କରେନ୍ସି ସ୍ପେକୁଲେଟର ତଥା ହେଜ ଫଣ୍ଡ ଅପରେଟର ଜର୍ଜ ସୋରସଙ୍କ ସହିତ ସୋନିଆ ଗାନ୍ଧୀଙ୍କ ଯୋଗସୂତ୍ର ରହିଛି। କାରଣ ସୋନିଆ ଗାନ୍ଧୀ ଫୋରମ ଅଫ ଡେମୋକ୍ରାଟିକ ଲିଡର୍ସ ଇନ ଏସିଆ ପାସିଫିକ(ଏଫଡିଏଲ-ଏପି) ସଂଗଠନର ସହସଭାପତି ରହିଛନ୍ତି। ଏହି ସଂସ୍ଥାକୁ ଜର୍ଜ ସୋରସ ଫାଉଣ୍ଡେସନ ପାଣ୍ଠି ଯୋଗାଇଥାଏ।

ଜର୍ଜ ସୋରସ ହେଉଛନ୍ତି ସୋୟାର ବଜାରରେ ଜଣେ କରେନ୍ସି ସ୍ପେକୁଲେଟର ଏବଂ ହେଜ ଫଣ୍ଡ ଅପରେଟର। ଜମ୍ମୁ-କାଶ୍ମୀରକୁ ଭାରତରୁ ବିଚ୍ଛିନ୍ନ କରିବା ହେଉଛି ଜର୍ଜ ସୋରସ ଫାଉଣ୍ଡେସନ ଏବଂ ଏପଡିଏଲ-ଏପିର ଏଜେଣ୍ଡା। ଏଭଳି ଉଦ୍ଦେଶ୍ୟ ରଖୁଥିବା ସଂସ୍ଥା ଏବଂ ବ୍ୟକ୍ତିବିଶେଷଙ୍କ ସହିତ ସୋନିଆଙ୍କ ସମ୍ପର୍କ ଥିବା ଦଳ ଅଭିଯୋଗ କରିଛି। ସେହିପରି ଭାରତ ବିରୋଧୀ ଶକ୍ତି ବଳରେ ରାହୁଲ ଭାରତୀୟ ଅର୍ଥନୀତିକୁ ଦୁର୍ବଳ କରିବାକୁ ଉଦ୍ୟମ କରିଛନ୍ତି। ତେବେ ବିଜେପିର ଏହି ଅଭିଯୋଗ ସମ୍ପର୍କରେ କଂଗ୍ରେସ ପକ୍ଷରୁ କୌଣସି ପ୍ରତିକ୍ରିୟା ଦିଆଯାଇ ନାହିଁ।

Comments are closed.