ଭୁବନେଶ୍ୱର: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଉପରେ ଶୁକ୍ରବାର କଂଗ୍ରେସ ନେତା ସୋନିଆ ଗାନ୍ଧୀ ଏବଂ ରାହୁଲ ଗାନ୍ଧୀ ଦେଇଥିବା ବୟାନକୁ କଡ଼ା ନିନ୍ଦା କରିଛନ୍ତି ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।
“ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ବିରୁଦ୍ଧରେ ସୋନିଆ ଗାନ୍ଧୀ ଏବଂ ରାହୁଲ ଗାନ୍ଧୀଙ୍କ ଦ୍ୱାରା ଦିଆଯାଇଥିବା ଅସମ୍ମାନଜନକ ଏବଂ ଅପମାନଜନକ ମନ୍ତବ୍ୟ ଅତ୍ଯନ୍ତ ନିନ୍ଦନୀୟ। ଏବଂ ଏହା କଂଗ୍ରେସ ଦଳର ଅଭିଜାତ ଏବଂ ଅବମାନନାକାରୀ ମନୋଭାବକୁ ପ୍ରକାଶ କରେ” ବୋଲି ମୁଖ୍ୟମନ୍ତ୍ରୀ ତାଙ୍କ ଅଫିସିଆଲ୍ ‘ଏକ୍ସ’ ହ୍ୟାଣ୍ଡେଲରେ ପ୍ରକାଶ କରିଛନ୍ତି।
ସେ ଆହୁରି ମଧ୍ଯ କହିଛନ୍ତି ଯେ ସୋନିଆ ଓ ରାହୁଲ ଗାନ୍ଧୀଙ୍କ ମନ୍ତବ୍ୟ କେବଳ ଭାରତର ପ୍ରଥମ ଆଦିବାସୀ ମହିଳା ରାଷ୍ଟ୍ରପତିଙ୍କ ପ୍ରତି ଅପମାନ ନୁହେଁ ବରଂ ସାନ୍ତାଳ ସମ୍ପ୍ରଦାୟ, ଓଡ଼ିଶାର ଲୋକ ଏବଂ ଦେଶର ଗଣତାନ୍ତ୍ରିକ ନୀତି ପ୍ରତି ମଧ୍ୟ ଏକ ଅପମାନ ସଦୃଶ।
ଉଲ୍ଲେଖଯୋଗ୍ୟ, ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଉଦ୍ଦେଶ୍ୟରେ କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧୀଙ୍କ ଅସୌଜନ୍ୟମୂଳକ ମନ୍ତବ୍ୟକୁ ନେଇ ବିବାଦ ସୃଷ୍ଟି ହୋଇଛି। ସଂସଦର ବଜେଟ୍ ଅଧିବେଶନରେ ରାଷ୍ଟ୍ରପତିଙ୍କ ଅଭିଭାଷଣକୁ ‘ବୋରିଂ’ କହିବା ସହ ‘ବିଚାରୀ’ ବୋଲି ମନ୍ତବ୍ୟ ଦେବାପରେ ବିବାଦ ଆରମ୍ଭ ହୋଇଛି। ସୋନିଆଙ୍କ ଏହି କଥାକୁ ନେଇ ରାଜନୀତି ଉଷ୍ମ ହୋଇଛି।
Comments are closed.