ନୂଆଦିଲ୍ଲୀ: ୟୁରୋପୀୟ ଦେଶ ସର୍ବିଆରେ ସରକାର ବିରୋଧରେ ପ୍ରଦର୍ଶନ କରୁଛନ୍ତି ଜନତା । ଗତବର୍ଷ ନିର୍ମାଣ କରାଯାଇଥିବା ନୂଆ ରେଳଷ୍ଟେସନ ଛାତ ଖସିବାରୁ ୧୫ଜଣଙ୍କୁ ମୃତ୍ୟୁ ହେବା ପରେ ସରକାର ବିରୋଧରେ ଅସନ୍ତୋଷ ତୀବ୍ର ହୋଇଛି । ପ୍ରତିବାଦରେ ଲୋକେ ରାସ୍ତାକୁ ଓହ୍ଲାଇଛନ୍ତି। ତେବେ ଆନ୍ଦୋଳନକାରୀଙ୍କୁ ହଟାଇବାକୁ ସୋନିକ୍ ହତିଆରର ଉପଯୋଗ କରାଯାଇଥିବା ଅଭିଯୋଗ ହୋଇଛି । ଅତୀତରେ ସୋନିକ ହତିଆରକୁ ନେଇ ଅନେକ ଥର ବିବାଦ ହୋଇଛି । ତେବେ ପ୍ରଶ୍ନ ଉଠୁଛି, ସୋନିକ ହତିଆର କଣ? କାହିଁକି ଏହାର ବ୍ୟବହାର ଉପରେ ଅନେକ ଦେଶରେ ଲାଗିଛି କଟକଣା?
ସର୍ବିଆରେ ଉପଯୋଗ ହୋଇଛି କି ସୋନିକ ଅସ୍ତ୍ର ?
ସର୍ବିଆ ବେଲଗ୍ରେଡରେ ଦୁର୍ନୀତି ବିରୋଧୀ ରାଲିରେ ସାମିଲ ହୋଇଥିଲେ ହଜାର ହଜାର ଲୋକ । ରେଳ ଷ୍ଟେସନ ଛାତ ଭୁଶୁଡ଼ିବା ଘଟଣାରେ ମୃତକଙ୍କୁ ଶ୍ରଦ୍ଧାଞ୍ଜଳି ଦେଉଥିଲେ । ଏହି ସମୟରେ ପ୍ରବଳ ଜୋରେ ଶବ୍ଦ ହୋଇଥିଲା । ଶବ୍ଦ ଏତେ ଜୋରେ ହେଲା ଯେ, କିଛି ଲୋକଙ୍କ କାନରେ ପ୍ରବଳ ଯନ୍ତ୍ରଣା, ମୁଣ୍ଡବିନ୍ଧା ଓ ମୁଣ୍ଡ ବୁଲାଇ ହେବା ଭଳି ଲକ୍ଷଣ ଦେଖିବାକୁ ମିଳିଥିଲା । ଆନ୍ଦୋଳନରେ ସାମିଲ ଲୋକେ ସୋନିକ ଅସ୍ତ୍ରର ବ୍ୟବହାର ଯୋଗୁଁ ଏଭଳି ହୋଇଥିବା ଅଭିଯୋଗ କରିଛନ୍ତି । ଏପରିକି ଏନେଇ ତଦନ୍ତ ଦାବି ଜୋର ଧରିଛି । ତେବେ ସର୍ବିଆ ସରକାର ଏହାକୁ ଖଣ୍ଡନ କରିଛନ୍ତି । ସର୍ବିଆର ବିନାଶ ପାଇଁ ଏଭଳି ମିଛ କୁହାଯାଇଥିବା ଦେଶର ରାଷ୍ଟ୍ରପତି ଆଲେକଜାଣ୍ଡାର ବୁକିକ କହିଛନ୍ତି ।
ସୋନିକ ଅସ୍ତ୍ର କ’ଣ?
ସୋନିକ ଅସ୍ତ୍ରର ଶକ୍ତି ହେଉଛି ଏହାର ଅସହଣୀୟ ଶବ୍ଦ । ବିନା କୌଣସି ବନ୍ଧୁକ ଗୁଳିରେ ଏହା ମଣିଷ ଶରୀରରେ ବଡ଼ କ୍ଷତି କରିପାରେ । ସୋନିକ ଅସ୍ତ୍ରର ବ୍ୟବହାର ହେଲେ କାନରେ ଅସହ୍ୟ ଯନ୍ତ୍ରଣା ହେବା ସହ ମୁଣ୍ଡ ବୁଲାଇବାକୁ ଲାଗେ, ଫଳରେ ମଣିଷ ଅସହାୟ ହୋଇପଡ଼େ । ଶତ୍ରୁଙ୍କୁ ବେହୋସ କରିବା, କଷ୍ଟ ଦେବା ବା ମତିଭ୍ରମ କରିବାକୁ ଏଥିରେ ଶକ୍ତିଶାଳୀ ସାଉଣ୍ଡ ଓ୍ବେଭର ବ୍ୟବହାର କରାଯାଏ । କିଛି ସୋନିକ୍ ଅସ୍ତ୍ର ପୂରା ଶରୀର ଉପରେ ବି ପ୍ରଭାବ ପକାଇପାରେ । ଯାହାଦ୍ବାରା ସବୁଦିନ ପାଇଁ ଶ୍ରବଣ ଶକ୍ତି ହରାଇବା ବା ଗମ୍ଭୀର ସ୍ବାସ୍ଥ୍ୟଗତ ସମସ୍ୟା ଦେଖା ଦେଇପାରେ ।
କାହିଁକି କୁହାଯାଏ ହଓ୍ବାନା ସିଣ୍ଡ୍ରୋମ?
ଅତୀତରେ ବିଭିନ୍ନ ଦେଶ ଶତ୍ରୁ ଦେଶ ଉପରେ ସୋନିକ୍ ଅସ୍ତ୍ରର ବ୍ୟବହାର କରିଛନ୍ତି । ତେବେ ହଓ୍ବାନା ସିଣ୍ଡ୍ରୋମ ସବୁଠୁ ଅଧିକ ଚର୍ଚ୍ଚାରେ ରହିଛି । ୨୦୧୬ରେ କ୍ୟୁବାର ରାଜଧାନୀ ହଓ୍ବାନାରେ ହଠାତ୍ ରାତିରେ ଆମେରିକା ରାଷ୍ଟ୍ରଦୂତଙ୍କ କାନରେ ପ୍ରବଳ ଯନ୍ତ୍ରଣା ଓ ମୁଣ୍ଡବିନ୍ଧା ହୋଇଥିଲା । ଧୀରେ ଧୀରେ ସେଠାରେ ରହିଥିବା ଅନ୍ୟ ଅଧିକାରୀଙ୍କଠାରେ ବି ସମାନ ସ୍ବାସ୍ଥ୍ୟଗତ ସମସ୍ୟା ଦେଖାଦେଇଥିଲା । ତଦନ୍ତରୁ ଏହାର କାରଣ ଜଣା ପଡିଲାନି, ତେବେ ରାଷ୍ଟ୍ରଦୂତ କାମ କରିବା ଅବସ୍ଥାରେ ରହିଲେନି । କ୍ୟୁବା ସୁପରସୋନିକ୍ ଆକ୍ରମଣ କରିଥିବା ଆକଳନ କରାଯାଇଥିଲା । ଏହାକୁ ସେତେବେଳେ ହଓ୍ବାନା ସିଣ୍ଡ୍ରୋମ କୁହାଯାଇଥିଲା ।
ସୋନିକ୍ ଅସ୍ତ୍ର ଉପଯୋଗ ଦ୍ବାରା ସାଇରନ୍ ଭଳି ଜୋର ଶବ୍ଦ ଶୁଣାଯାଏ । ଏହାପରେ ମୁଣ୍ଡବିନ୍ଧା, ବାନ୍ତି ଭଳି ଲକ୍ଷଣ ଦେଖାଯାଏ । ଦିନେ ଦୁଇ ଦିନ ପରେ ଶୁଣିବା ଓ ଦେଖିବା କମିଯାଏ । ଏହି ଅସ୍ତ୍ର ଦ୍ବାରା ମସ୍ତିଷ୍କର ତନ୍ତ୍ରିକାକୁ ଟାର୍ଗେଟ୍ କରାଯାଏ । ସୋନିକ୍ ଅସ୍ତ୍ର ମାଇକ୍ରୋଓ୍ବେଭ୍ ଓ୍ବେପନ ଶ୍ରେଣୀର । ଏହା ଏକପ୍ରକାରର ଏନର୍ଜି ଓ୍ବେପନ୍ । ଏଥିରେ ଲେଜର, ସୋନିକ ବା ମାଇକ୍ରୋଓ୍ବେଭ୍ ଭଳି କୌଣସି ପ୍ରକାରର ବିକିରଣ ହୋଇପାରେ । ଏଥିରେ ୧୫୦ଡେସିବଲକୁ ଅଧିକ ଶବ୍ଦ ସୃଷ୍ଟି କରାଯାଏ । ଫଳରେ କାନର ପରଦା ଫାଟିଯାଏ । ତେବେ ଏହି ବିପଜ୍ଜନକ ଅସ୍ତ୍ରର ବ୍ୟବହାର ଉପରେ ଅନେକ ଦେଶରେ କଟକଣା ଲାଗିଛି ।