Latest Odisha News

BREAKING NEWS

ବାଲିଅନ୍ତା ସୌମ୍ୟ ରଞ୍ଜନ ମୃତ୍ୟୁ ମାମଲା: ମୃତ୍ୟୁର କାରଣ ସ୍ପଷ୍ଟ କଲା ବ୍ୟବଚ୍ଛେଦ ରିପୋର୍ଟ

ଭୁବନେଶ୍ୱର: ରାଜଧାନୀ ଉପକଣ୍ଠ ବାଲିଅନ୍ତା ଅଞ୍ଚଳରେ ଘଟିଥିବା ବହୁ ଚର୍ଚ୍ଚିତ ସୌମ୍ୟ ରଞ୍ଜନ ସ୍ୱାଇଁ ହତ୍ୟା ମାମଲାରେ ଏକ ବଡ଼ ଖୁଲାସା ହୋଇଛି। ସୌମ୍ୟଙ୍କ ପୋଷ୍ଟମର୍ଟମ ବା ଶବ ବ୍ୟବଚ୍ଛେଦ ରିପୋର୍ଟରୁ ତାଙ୍କ ମୃତ୍ୟୁର ପ୍ରକୃତ ଏବଂ ସାଙ୍ଘାତିକ କାରଣ ସାମ୍ନାକୁ ଆସିଛି। ମୁଣ୍ଡରେ ଗଭୀର ଆଘାତ ଏବଂ ଏହା ଯୋଗୁଁ ମସ୍ତିଷ୍କ ଭିତରେ ଅତ୍ୟଧିକ ରକ୍ତସ୍ରାବ ହେବା ହେତୁ ସୌମ୍ୟଙ୍କର ମୃତ୍ୟୁ ଘଟିଥିବା ରିପୋର୍ଟରେ ସ୍ପଷ୍ଟ ଭାବେ ଉଲ୍ଲେଖ କରାଯାଇଛି।

 

ଶବ ବ୍ୟବଚ୍ଛେଦ ରିପୋର୍ଟ ଅନୁଯାୟୀ କୌଣସି ଶକ୍ତ ବସ୍ତୁ କିମ୍ବା ବାଡ଼ି ଦ୍ୱାରା ଅତି ନିର୍ଦ୍ଦୟ ଭାବେ ପିଟିବା କାରଣରୁ ମୁଣ୍ଡରେ ଏହି ଗଭୀର ଆଘାତ ଲାଗିଥିଲା। ଏହା ସହିତ ତାଙ୍କ ସାରା ଶରୀରର ବିଭିନ୍ନ ସ୍ଥାନରେ ମଧ୍ୟ ଏକାଧିକ ଗଭୀର ଆଘାତର ଚିହ୍ନ ରହିଛି। ତାଙ୍କ ମୁହଁ, ବେକ, ପିଠି, ହାତ, ଜଙ୍ଘ ଏବଂ ଗୋଡ଼ରେ ପ୍ରବଳ ମାଡ଼ ହୋଇଥିବାରୁ କ୍ଷତ ସୃଷ୍ଟି ହୋଇଥିଲା। ଏହି ସମସ୍ତ ଆଘାତ ମୃତ୍ୟୁ ପୂର୍ବରୁ ହିଁ ଘଟିଥିବା ଡାକ୍ତରମାନେ ସ୍ପଷ୍ଟ ମତ ଦେଇଛନ୍ତି।

 

ସୂଚନାଯୋଗ୍ୟ ଯେ କଟକ ଜିଆରପିରେ କନଷ୍ଟେବଳ ଭାବେ କାର୍ଯ୍ୟରତ ଥିବା ୩୨ ବର୍ଷୀୟ ସୌମ୍ୟ ରଞ୍ଜନଙ୍କୁ ବାଲିଅନ୍ତା ଅଞ୍ଚଳରେ ଉତ୍ୟକ୍ତ ଲୋକ ସଂଘବଦ୍ଧ ଭାବେ ଏକାଠି ହୋଇ ନିର୍ମମ ହତ୍ୟା କରିଥିଲେ। ଏକ ମହିଳା ସଂକ୍ରାନ୍ତୀୟ ବିବାଦକୁ କେନ୍ଦ୍ର କରି ସ୍ଥାନୀୟ ଲୋକେ ତାଙ୍କୁ ଏକ ବାଉଁଶ ବାଡ଼ିରେ ବାନ୍ଧି ଅମାନୁଷିକ ନିର୍ଯାତନା ଦେଇଥିବା ଅଭିଯୋଗ ହୋଇଥିଲା। ଏହି ଘଟଣାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ସାରା ରାଜ୍ୟରେ ପ୍ରବଳ ଜନ ଅସନ୍ତୋଷ ପ୍ରକାଶ ପାଇଛି।

 

ବର୍ତ୍ତମାନ ଏହି ସମ୍ବେଦନଶୀଳ ହତ୍ୟା ମାମଲାର ତଦନ୍ତ କ୍ରାଇମବ୍ରାଞ୍ଚ ଏବଂ ଜାତୀୟ ମାନବାଧିକାର କମିଶନ ମିଳିତ ଭାବେ କରୁଛନ୍ତି। ଶବ ବ୍ୟବଚ୍ଛେଦ ରିପୋର୍ଟ ସାମ୍ନାକୁ ଆସିବା ପରେ ଏହି ବର୍ବର କାଣ୍ଡରେ ଜଡ଼ିତ ଅନ୍ୟ ଅଭିଯୁକ୍ତମାନଙ୍କୁ ତୁରନ୍ତ ଗିରଫ କରିବା ପାଇଁ ଦାବି ଜୋର ଧରିଛି। ଘଟଣା ସମୟରେ ସେ କୌଣସି ନିଶା ସେବନ କରିଥିଲେ କି ନାହିଁ, ତାହା ଜାଣିବା ପାଇଁ ସୌମ୍ୟଙ୍କ ରକ୍ତ ଏବଂ ଭିସେରା ନମୁନାକୁ ମଧ୍ୟ ଫୋରେନ୍ସିକ ଯାଞ୍ଚ ପାଇଁ ପଠାଯାଇଛି।

Comments are closed.