କଟକ : ଏସିଏଫ ସୌମ୍ୟରଞ୍ଜନ ମୃତ୍ୟୁ ଘଟଣାକୁ ୬ଦିନ ବିତିଲାଣି । ହେଲେ ଏପର୍ଯ୍ୟନ୍ତ ତଦନ୍ତର ଖିଅ ପାଉନି ପାରଳାଖେମୁଣ୍ଡି ପୋଲିସ । ବିଭିନ୍ନ ଦିଗକୁ ନେଇ ଚଳାଇଛି ତଦନ୍ତ । ଘଟଣାରେ ଆଜି ମୃତ ସୌମ୍ୟରଞ୍ଜନଙ୍କ ପରିବାର ଲୋକଙ୍କୁ ପଚରାଉଚରା କରିଛି ପୋଲିସ । ପାରଳାଖେମୁଣ୍ଡିରୁ ଆସିଥିବା ସ୍ବତନ୍ତ୍ର ତଦନ୍ତକାରୀ ଟିମ୍ ମୃତ ସୌମ୍ୟଙ୍କ ମା’ ଓ ମାମୁଙ୍କୁ ପଚରାଉଚରା କରିଛି । ବିଶେଷ କରି ସୌମ୍ୟରଞ୍ଜନ ଓ ତାଙ୍କ ପତ୍ନୀ ବିଦ୍ୟାଭାରତୀଙ୍କ ମଧ୍ୟରେ ଥିବା ସମ୍ପର୍କକୁ ନେଇ ତଥ୍ୟ ସଂଗ୍ରହ କରୁଛି ପୋଲିସ ।
ଅନ୍ୟପଟେ ନ୍ୟାୟ ଦାବିରେ ପୋଲିସ ଡିଜିଙ୍କୁ ଭେଟିଛନ୍ତି ଏସିଏଫ ସୌମ୍ୟରଞ୍ଜନଙ୍କ ବାପା । ଡିଜିପିଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି ସୌମ୍ୟଙ୍କ ବାପା ଅଭିରାମ । ଏଭଳି ଏକ ଚାଞ୍ଚଲ୍ୟକର ଘଟଣାରେ ବୋହୂ, ଡିଏଫଓ ଏବଂ ରୋଷେୟାର ଲାଏ ଡିଟେକ୍ସନ ଟେଷ୍ଟ କରିବାକୁ ଦାବି କରିଛନ୍ତି ସୌମ୍ୟଙ୍କ ବାପା । ଘଟଣା ଦିନ ଡିଏଫଓଙ୍କ ସରକାରୀ କ୍ବାର୍ଟର ଆଗରେ କାହିଁକି ଦେଢ଼ ଘଣ୍ଟା ଅଟକି ଥିଲା ଆମ୍ବୁଲାନ୍ସ । ଆମ୍ବୁଲାନ୍ସ କାହିଁକି ଅଟକାଯାଇଥିଲା, ତାର ବିଧିବଦ୍ଧ ତଦନ୍ତ ଦାବି କରିଛନ୍ତି ବାପା ଅଭିରାମ । ସେହିପରି ପାରଳାଖେମୁଣ୍ଡିରୁ କଟକ ୪ ଶହରୁ ଅଧିକ କିଲୋମିଟର । କିନ୍ତୁ ପାରଳାଖେମୁଣ୍ଡିରୁ ବିଶାଖାପାଟଣା ମାତ୍ର ୨୦୦ କିଲୋମିଟର । ହେଲେ ମୁର୍ମୁସୁ ଅବସ୍ଥାରେ କାହିଁକି ସୌମ୍ୟଙ୍କୁ କଟକ ଅଣାଗଲା ବୋଲି ପାଲଟା ପ୍ରଶ୍ନ କରିଛନ୍ତି ଅଭିରାମ । ତେଣୁ ଏ ଘଟଣାରେ ଉପଯୁକ୍ତ ତଦନ୍ତ ସହ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ମୃତ ସୌମ୍ୟଙ୍କ ବାପା ଅଭିରାମ ।
Comments are closed.