Latest Odisha News

BREAKING NEWS

ହକି ପାଇଁ ରାଜଧାନୀ ସୌନ୍ଦର୍ଯ୍ୟକରଣ କେତେ ସତ ? ମୁକୁଳା ଡ୍ରେନରେ ଖସି ପଡ଼ିଲେ ସାମ୍ବାଦିକ

ଭୁବନେଶ୍ୱର: ହକି ପାଇଁ ସଜେଇ ହୋଇଛି ଭୁବନେଶ୍ୱର । ରାସ୍ତାକଡ଼ ଉଠାଦୋକାନୀଙ୍କୁ ମଧ୍ୟ ବିଏମସି ଓ ବିଡିଏ ଉଠେଇ ଦେଇଛନ୍ତି । ସହର ପୂରା ଚମକୁଛି । ହକି ବିଶ୍ୱକପ୍ ପାଇଁ ବିଦେଶୀ ଖେଳାଳିଙ୍କ ସହ ଓଡ଼ିଶା ଆସିଛନ୍ତି ବିଦେଶରୁ ବହୁ ଅତିଥି । ରାଜଧାନୀର ରାସ୍ତାଘାଟ ଚକାଚକ ଦିଶୁଥିବା ବେଳେ ଡୁମୁଡୁମା ଅଞ୍ଚଳରେ ଦକ୍ଷିଣ କୋରିଆର ଜଣେ ଫଟୋ ସାମ୍ବାଦିକ ମୁକୁଳା ଡ୍ରେନରେ ଖସି ପଡ଼ିଥିବା ଜଣା ପଡ଼ିଛି ।

ବିଶ୍ୱକପ୍ ପାଇଁ ରାଜଧାନୀର ରାସ୍ତାଘାଟକୁ ସଫା କରିବା ରଙ୍ଗ ଦେଇଛି ପ୍ରଶାସନ । ରାସ୍ତାକଡ଼ ଉଠାଦୋକାନୀଙ୍କୁ ବଳପୂର୍ବକ ହଟାଇ ଦିଆଯାଇଛି । କିନ୍ତୁ ଡ୍ରେନକୁ ସେମିତି ମୁକୁଳା କରି ଛାଡ଼ି ଦିଆଯାଇଛି । ମୁଖ୍ୟ ରାସ୍ତାର ଅନେକ ସ୍ଥାନରେ ଡ୍ରେନ୍ ଉପର ରାସ୍ତାକୁ ପ୍ରଶାସନ ଲାଲ୍ ଓ ସବୁଜ ରଙ୍ଗରେ ରଙ୍ଗୀନ କରିଥିବା ବେଳେ ବିଦେଶୀ ସାମ୍ବାଦିକ ମୁକୁଳା ଡ୍ରେନକୁ ଖସି ପଡ଼ିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି ।

ମିଳିଥିବା ସୂଚନା ଅନୁସାରେ, ଦକ୍ଷିଣ କୋରିଆର ସାମ୍ବାଦିକ ଜଣଙ୍କ ଡୁମୁଡୁମା ଅଞ୍ଚଳର ଏକ ତାରକା ହୋଟେଲରେ ରହୁଛନ୍ତି । ବୁଧବାର ରାତିରେ ବିଦେଶୀ ସାମ୍ବାଦିକ ଜଣଙ୍କ ଚା ପିଇବା ଲାଗି ହୋଟେଲରୁ ବାହାରକୁ ବାହାରିଥିଲେ । ସେହି ସମୟରେ ଡ୍ରେନ୍ ଉପର ସ୍ଲାବରେ ଛିଡ଼ା ହୋଇ ସେ ଫଟୋ ଉଠାଉଥିବା ବେଳେ ମୁକୁଲା ଡ୍ରେନକୁ ଖସି ପଡ଼ିଥିଲେ । ସ୍ଥାନୀୟ ଲୋକ ତାଙ୍କୁ ମେଡିକାଲରେ ଭର୍ତ୍ତି କରିଥିବା ଜଣାପଡ଼ିଛି । ଏନେଇ ପ୍ରଶାସନର ପ୍ରତିକ୍ରିୟା ମିଳିପାରି ନାହିଁ ।

ଏହା ପୂର୍ବରୁ ୨୦୨୧ ସେପ୍ଟେମ୍ବର ମାସରେ ଶତାବ୍ଦୀ ନଗର ନିକଟରେ ଜଣେ ସ୍କୁଲ୍ ଛାତ୍ର ସାଇକେଲ୍ ସହ ଡ୍ରେନରେ ଭାସି ଯାଇଥିଲେ । ପ୍ରାୟ ୨୦ ଘଣ୍ଟା ପରେ ଛାତ୍ର ଜଣଙ୍କର ମୃତଦେହ ଉଦ୍ଧାର ହୋଇଥିଲା । ବାରମ୍ବାର ରାଜଧାନୀର ମୁକୁଳା ଡ୍ରେନ୍ ଜୀବନ ନେଉଥିବା ବେଳେ ପ୍ରଶାସନ ଚେତୁ ନାହିଁ ।

Leave A Reply

Your email address will not be published.