କଟକ:କଟକ ବାଲିଯାତ୍ରାରେ ଗତକାଲିର ଅଘଟଣ ପରେ ବଡ଼ ନିଷ୍ପତ୍ତି ନିଆଯାଇଛି । ଆଜି କଟକ ବାଲିଯାତ୍ରାରେ ବନ୍ଦ ରହିବ ଦୋଳିଖେଳ। ଗୁରୁବାର ରାମଦୋଳିରୁ ପଡ଼ି ଯୁବକଙ୍କ ମୃତ୍ୟୁ ପରେ ଏହି ପଦକ୍ଷେପ ନିଆଯାଇଛି । ଡକ୍ୟୁମେଣ୍ଟ ପୁଣି ଯାଞ୍ଚ ହେବ, ଦୋଳିର ଟେକ୍ନିଟାଲ୍ ଟିମ୍ର ମତ ପରେ ପରବର୍ତ୍ତୀ ନିଷ୍ପତ୍ତି ନିଆଯିବା ବୋଲି ଏସିପି ଗିରିଜା ଚକ୍ରବର୍ତ୍ତୀ ସୂଚନା ଦେଇଛନ୍ତି ।
ସୂଚନାଥାଉକି, ବାଲିଯାତ୍ରା ପଡ଼ିଆରେ ଗତକାଲି ରାମଦୋଳି ଉପରୁ ଦୁଇଜଣ ଯୁବକ ତଳକୁ ଖସିପଡ଼ିଥିବା ବେଳେ ଜଣଙ୍କର ମୃତ୍ୟୁ ଘଟିଛି। ଅନ୍ୟ ଜଣେ ଗୁରୁତର ଅବସ୍ଥାରେ ଚିକିତ୍ସାଧୀନ ଅଛନ୍ତି। ମୃତକ ହେଲେ ଚନ୍ଦ୍ରକାନ୍ତ ବଳ। ତାଙ୍କ ଘର ଭଦ୍ରକରେ ବୋଲି ଜଣାଯାଇଛି। ତଳ ବାଲିଯାତ୍ରା ପଡ଼ିଆର ‘କଟକ ଇନ୍ କଟକ’ ନିକଟରେ ବାସୁଦେବ ନାମକ ଏକ ଦୋଳି ସଂସ୍ଥା ପକ୍ଷରୁ ରାମଦୋଳି ପଡ଼ିଛି। ଏହି ଦୋଳିରେ ଗୁରୁବାର ରାତି ପ୍ରାୟ ୧୦ଟା ବେଳେ ଦୁଇ ଜଣ ଯୁବକ ଚଢ଼ିଥିଲେ। କୌଣସି କାରଣରୁ ଉଭୟ ଦୋଳିରୁ ଖସିପଡ଼ିଥିଲେ। ଘଟଣା ଜଣାପଡ଼ିବା ପରେ ବାଲିଯାତ୍ରା ପଡ଼ିଆରେ ମୁତୟନ ଅଗ୍ନିଶମ ଟିମ୍ ଓ ଜୋନ୍ ଏସିପି ଗିରିଜା ଚକ୍ରବର୍ତ୍ତୀ ତୁରନ୍ତ ସେଠାରେ ପହଞ୍ଚିଥିଲେ। ଆହତ ଦୁଇ ଯୁବକଙ୍କୁ ୧୦୮ ଆମ୍ବୁଲାନ୍ସରେ ଏସ୍ସିବି ମେଡିକାଲକୁ ନିଆଯାଇଥିଲା।
ତେବେ ଟ୍ରମା କାଜୁଆଲିଟିରେ ପହଞ୍ଚିବା ପୂର୍ବରୁ ଜଣେ ୨୫ ବର୍ଷୀୟ ଯୁବକଙ୍କର ମୃତ୍ୟୁ ଘଟିଥିଲା। ଅନ୍ୟ ଜଣେ ୩୦ ବର୍ଷୀୟ ଯୁବକଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ଥିବା ଜଣାପଡ଼ିଛି । ଦୋଳିରୁ ଦୁଇଜଣ କିପରି ଖସିପଡ଼ିଲେ, ତାହା ସ୍ପଷ୍ଟ ହୋଇନାହିଁ।
୨୦୨୫ ବାଲିଯାତ୍ରାରେ ମଧ୍ୟ ଅନୁରୂପ ଅଘଟଣ ଘଟିଥିଲା। ଯାନ୍ତ୍ରିକ ତ୍ରୁଟି ଯୋଗୁଁ ୮ ଜଣ ଯୁବକଯୁବତୀ ଦୋଳିରେ ଫସି ରହିଥିଲେ। ସେତେବେଳେ ଅଗ୍ନିଶମ ଟିମ୍ ସମସ୍ତଙ୍କୁ ସୁରକ୍ଷିତ ଅବସ୍ଥାରେ ଉଦ୍ଧାର କରିଥିଲା।
