Latest Odisha News

BREAKING NEWS

୧୪୦୮ ଅଙ୍ଗନବାଡ଼ି କେନ୍ଦ୍ରରେ ତାଲା, ୭ ଦଫା ଦାବିରେ କର୍ମୀଙ୍କ ଅନିର୍ଦ୍ଦିଷ୍ଟ କାଳୀନ ଆନ୍ଦୋଳନ

ନୂଆପଡା: ଦୀର୍ଘଦିନର ନ୍ୟାଯ୍ୟ ଦାବି ପୂରଣ ହେଉନଥିବା ପ୍ରତିବାଦରେ ରାଜ୍ୟବ୍ୟାପୀ ଅନିର୍ଦ୍ଦିଷ୍ଟ କାଳୀନ କାର୍ଯ୍ୟବନ୍ଦ ଆନ୍ଦୋଳନକୁ ଓହ୍ଲାଇଛନ୍ତି ଅଙ୍ଗନବାଡ଼ି କର୍ମୀ ଓ ସହାୟିକା। ଏହି ଆନ୍ଦୋଳନର ପ୍ରଭାବ ନୂଆପଡ଼ା ଜିଲ୍ଲାରେ ମଧ୍ୟ ସ୍ପଷ୍ଟ ଭାବେ ପରିଲକ୍ଷିତ ହୋଇଛି। ଜିଲ୍ଲାର ନୂଆପଡ଼ା, ଖଡ଼ିଆଳ, ବୋଡ଼େନ, ସିନାପାଲି ଓ କୋମନା ବ୍ଲକ ସମେତ ତିନୋଟି ଏନ୍‌ଏସି ଅଞ୍ଚଳରେ ଥିବା ମୋଟ ୧୪୦୮ଟି ଅଙ୍ଗନବାଡ଼ି କେନ୍ଦ୍ରରେ ତାଲା ଝୁଲୁଛି।

ଫଳରେ ଗ୍ରାମାଞ୍ଚଳର ଶିଶୁ, ଗର୍ଭବତୀ ଓ ପ୍ରସୂତି ମହିଳାଙ୍କୁ ମିଳୁଥିବା ପୁଷ୍ଟିକର ଖାଦ୍ୟ ବଣ୍ଟନ ସମେତ ବିଭିନ୍ନ ଜରୁରୀ ସେବା ବାଧାପ୍ରାପ୍ତ ହୋଇଛି। ଅଙ୍ଗନବାଡ଼ି କେନ୍ଦ୍ରଗୁଡ଼ିକ ଶିଶୁଙ୍କ ପ୍ରାରମ୍ଭିକ ଶିକ୍ଷା, ପୁଷ୍ଟିସାଧନ ଓ ମାତୃ-ଶିଶୁ ସ୍ୱାସ୍ଥ୍ୟ ସେବାର ଗୁରୁତ୍ୱପୂର୍ଣ୍ଣ ଆଧାର ହୋଇଥିବାରୁ ଏହି କାର୍ଯ୍ୟବନ୍ଦ ଆନ୍ଦୋଳନ ସାଧାରଣ ଜନଜୀବନକୁ ମଧ୍ୟ ପ୍ରଭାବିତ କରିଛି।

ଗୋଟିଏ ପଟେ ରାଜ୍ୟ ରାଜଧାନୀରେ ଅଙ୍ଗନବାଡ଼ି କର୍ମୀ ଓ ସହାୟିକାମାନେ ନିଜ ଦାବି ପୂରଣ ପାଇଁ ଆନ୍ଦୋଳନ ଚଳାଇଥିବା ବେଳେ ଅନ୍ୟପଟେ ଜିଲ୍ଲାର ବିଭିନ୍ନ ଆଇସିଡିଏସ୍‌ କାର୍ଯ୍ୟାଳୟ ସମ୍ମୁଖରେ ମଧ୍ୟ ଧାରଣା ଦେଇ ସରକାରଙ୍କ ବିରୋଧରେ ନାରାବାଜି କରିଛନ୍ତି ଆନ୍ଦୋଳନକାରୀ। ଦୀର୍ଘଦିନ ଧରି ସେବା ଯୋଗାଇ ଆସୁଥିବା ସତ୍ତ୍ୱେ ସେମାନଙ୍କୁ ଉପଯୁକ୍ତ ପାରିଶ୍ରମିକ ଓ ସାମାଜିକ ସୁରକ୍ଷା ମିଳୁନଥିବା ଅଭିଯୋଗ କରିଛନ୍ତି।

ଆନ୍ଦୋଳନକାରୀଙ୍କ ମୁଖ୍ୟ ଦାବି ମଧ୍ୟରେ ଦରମା ବୃଦ୍ଧି, ଅଙ୍ଗନବାଡ଼ି କର୍ମୀ ଓ ସହାୟିକାଙ୍କୁ ସରକାରୀ କର୍ମଚାରୀର ମାନ୍ୟତା ପ୍ରଦାନ ଏବଂ ବୟସ ସୀମା ନିର୍ଦ୍ଧାରଣରେ ରହିଥିବା ପାତରଅନ୍ତର ନୀତି ବନ୍ଦ କରିବା ଆଦି ରହିଛି। ସରକାର ତୁରନ୍ତ ଏହି ଦାବିଗୁଡ଼ିକ ପ୍ରତି ଗୁରୁତ୍ୱ ଦେଇ ଆଲୋଚନା ମାଧ୍ୟମରେ ସମାଧାନର ବାଟ ବାହାର କରନ୍ତୁ ବୋଲି ସେମାନେ ଦାବି କରିଛନ୍ତି। ତେବେ ଦୀର୍ଘସମୟ ଧରି ଏହି ସମସ୍ୟାର ସମାଧାନ ନହେଲେ ଆଗାମୀ ଦିନରେ ଆନ୍ଦୋଳନକୁ ଆହୁରି ତୀବ୍ର କରାଯିବ ବୋଲି ଚେତାବନୀ ଦେଇଛନ୍ତି ଆନ୍ଦୋଳନକାରୀ। ଅନ୍ୟପଟେ ୧୪୦୮ଟି ଅଙ୍ଗନବାଡ଼ି କେନ୍ଦ୍ର ବନ୍ଦ ରହିବା ଯୋଗୁଁ ଶିଶୁ ଓ ମାତୃ ସ୍ୱାସ୍ଥ୍ୟ ସେବା କିପରି ସ୍ୱାଭାବିକ ରହିବ, ତାହା ଏବେ ଜିଲ୍ଲା ପ୍ରଶାସନ ଓ ସମ୍ପୃକ୍ତ ବିଭାଗ ପାଇଁ ଏକ ବଡ଼ ଆହ୍ୱାନ ପାଲଟିଛି।

Leave A Reply

Your email address will not be published.