Latest Odisha News

BREAKING NEWS

୧୫ବର୍ଷ ପରେ ମଙ୍ଗଳରେ କଲୋନି !

ନୂଆଦିଲ୍ଲୀ: ମହାକାଶରେ ମାଧ୍ୟାକର୍ଷଣ ଶକ୍ତି ନଥାଏ । ବିକିରଣ ଏତେ ବିପଜ୍ଜନକ ଯେ, ବିନା ସୁରକ୍ଷାରେ ମଣିଷ ଗୋଟେ ମିନିଟ ବି ବଞ୍ଚିପାରିବନି । ତେଣୁ ପୃଥିବୀ ଛଡା ଅନ୍ୟ କୌଣସି ଗ୍ରହରେ ରହିବା ନେଇ କଳ୍ପନା କରିବା କଷ୍ଟ। ତେବେ ୨୦୪୦ ସୁଦ୍ଧା ମଙ୍ଗଳ ଗ୍ରହରେ କଲୋନି ବନାଇବାକୁ ଟାର୍ଗେଟ୍ ବନାଇ ସାରିଛନ୍ତି ସ୍ପେସେକ୍ସ ସିଇଓ ଏଲନ ମସ୍କ । ଏହି କଲୋନି ଆତ୍ମନିର୍ଭରଶୀଳ ରହିବ। ଏଥିପାଇଁ ଟାଇମଲାଇନ୍ ବି ପ୍ରସ୍ତୁତ କରିଛନ୍ତି ମସ୍କ । ଛୋଟ ଛୋଟ ଟାର୍ଗେଟ୍ ସହ ଆସନ୍ତା ୧୫ବର୍ଷ ମଧ୍ୟରେ ମଙ୍ଗଳ ଗ୍ରହରେ ମଣିଷଙ୍କ କଲୋନି ବନାଇବାକୁ ସେ ଲକ୍ଷ୍ୟ ରଖିଛନ୍ତି । ସେଠାରେ ୧୦ଲକ୍ଷ ଲୋକ ନୂଆ ସଭ୍ୟତାର ଆରମ୍ଭ କରିବେ ।

ମସ୍କଙ୍କ ମିଶନ୍ ମଙ୍ଗଳ

୨୦୨୯ସୁଦ୍ଧା ମଙ୍ଗଳ ଗ୍ରହରେ ମଣିଷଙ୍କୁ ନେଇ ରକେଟ୍ ପ୍ରଥମେ ଲ୍ୟାଣ୍ଡ କରିବ । ଏଥିରେ କିଛି ବର୍ଷ ଅଧିକ ସମୟ ବି ଲାଗିପାରେ । କାରଣ ସ୍ପେସକ୍ରାଫ୍ଟର ନିରାପତ୍ତା ଓ ବିଶ୍ବସନୀୟତା ଉପରେ କମ୍ପାନୀ ଗୁରୁତ୍ବ ଦେଉଛି । ଏହାପରେ କିଛି ବର୍ଷ ଭିତରେ ସେଠାରେ ପାଣି, ବିଜୁଳି ଉତ୍ପାଦନ ପରି ଆବଶ୍ୟକ ମୌଳିକ ଭିତ୍ତିଭୂମି ପ୍ରସ୍ତୁତ କରାଯିବ । ୨୦୪୦ ସୁଦ୍ଧା ମଙ୍ଗଳ ଗ୍ରହରେ ମଣିଷଙ୍କର ପୂରା ସୋସାଇଟି ଥିବ । ଯେଉଁଥିରେ ୧୦ଲକ୍ଷ ଲୋକ ପୃଥିବୀ ଉପରେ ନିର୍ଭରଶୀଳ ନହୋଇ ରହିପାରିବେ ବୋଲି କହିଛନ୍ତି ଏଲନ ମସ୍କ ।

ମଙ୍ଗଳକୁ କାହିଁକି ବାଛିଲେ?

ମଙ୍ଗଳ ଗ୍ରହ ବିଭିନ୍ନ ଆଧାରରେ ପୃଥିବୀ ସହ ମେଳ ଖାଏ । ସେଠାରେ ପୃଥିବୀ ଭଳି ଖରା ଓ ଶୀତ ଦିନ ବି ଆସେ । ମଙ୍ଗଳ ଗ୍ରହରେ ବାଦଲ, ଜ୍ବାଳାମୁଖୀ ସହ ପୋଲ ଅଞ୍ଚଳରେ ବରଫ ମଧ୍ୟ ମିଳେ । ମଙ୍ଗଳ ପୃଷ୍ଠରେ ଗୋଟିଏ ଦିନ ପୃଥିବୀଠାରୁ ୪୦ମିନିଟ ଲମ୍ବା ହୋଇଥାଏ । ପୃଥିବୀ ପାଖରେ ଥିବାରୁ ମଙ୍ଗଳରେ ଅନେକ ସମାନତା ଦେଖିବାକୁ ମିଳେ ।

ମଙ୍ଗଳ ଗ୍ରହରେ ଏସବୁ ଚ୍ୟାଲେଞ୍ଜ

ମଙ୍ଗଳରେ ମଣିଷ କଲୋନି ପାଇଁ ଏଲନ ମସ୍କ କହୁଛନ୍ତି ସତ ହେଲେ ଏହା ଏତେ ସହଜ ହେବନି । କାରଣ ମଙ୍ଗଳରେ ପ୍ରବଳ ଥଣ୍ଡା ହୁଏ । ଗ୍ରହର ପୋଲାର ଅଞ୍ଚଳରେ ତାପମାତ୍ରା ମାଇନସ ୧୫୩ଡିଗ୍ରୀ ସେଲସିୟସ ପର୍ଯ୍ୟନ୍ତ ପହଞ୍ଚିଯାଏ । ସେହିପରି ସେଠାରେ ଅମ୍ଳଜାନ ଖୁବ୍ କମ୍ ବା ଆଦୌ ନାହିଁ କହିଲେ ଚଳେ । ତେଣୁ ସେଠାରେ ପ୍ରୋଟେକ୍ଟିଭ୍ ସୁଟ୍ ବିନା ରହିବା ଅସମ୍ଭବ ହେବ । ସେଠାକାର ମାଟିରେ ବିଭିନ୍ନ ବିଷାକ୍ତ ଦ୍ରବ୍ୟ ରହିଥିବାରୁ ଚାଷ କରାଯାଇ ପାରିବନି । ମଙ୍ଗଳରେ ମାଧ୍ୟାକର୍ଷଣ ଶକ୍ତି ୩୦ପ୍ରତିଶତ କମ୍ ହୋଇଯାଏ । ଫଳରେ ସେଠାରେ ଲମ୍ବା ସମୟ ଧରି ରହିଲେ ଶରୀର ଉପରେ ଖରାପ ପ୍ରଭାବ ପଡିପାରେ ।

ଟାଇପ୍ ଜିରୋ ସଭ୍ୟତା କ’ଣ?

ଏସବୁ ଚ୍ୟାଲେଞ୍ଜ ସତ୍ବେ ମଙ୍ଗଳରେ ଶୀଘ୍ର ମଣିଷଙ୍କ କଲୋନି ହେବ ବୋଲି କହୁଛନ୍ତି ଏଲନ ମସ୍କ । ତାଙ୍କ ସହ ଅନ୍ୟ ବୈଜ୍ଞାନିକଙ୍କ ମତରେ ଏବେ ଆମେ ଟାଇପ୍ ଜିରୋ ସଭ୍ୟତାରେ ରହୁଛେ । ବିଜ୍ଞାନ ଦୁନିଆରେ ସଭ୍ୟତା ଲୋପ ପାଇବା ଆଶଙ୍କାରେ ଅନ୍ୟ ଗ୍ରହରେ ବସବାସ ପାଇଁ କୁହାଯାଏ । ଅର୍ଥାତ ପୃଥିବୀରେ ହଠାତ୍ ବିପଦ ଆସିଲେ ମଣିଷ ଅନ୍ୟ ଗ୍ରହକୁ ଯାଇପାରିବ । ଏପର୍ଯ୍ୟନ୍ତ ପୃଥିବୀ ଛଡା ଅନ୍ୟ କୌଣସି ଗ୍ରହରେ ଜୀବନ ନେଇ ଗବେଷଣା ସଫଳ ହୋଇପାରିନି । ତେବେ ଟାଇପ୍ ଓ୍ବାନ୍ ସଭ୍ୟତାରେ ମଣିଷ ପ୍ରାକୃତିକ ବିପର୍ଯ୍ୟୟ ଉପରେ ନିୟନ୍ତ୍ରଣ ପାଇବା ସହ ଅନ୍ୟ ଗ୍ରହରେ ବି ରହିପାରୁଥିବ । ଏହି ପର୍ଯ୍ୟାୟ ପାଇଁ ଆହୁରି ଶହେରୁ ୨ଶହ ବର୍ଷ ଲାଗିପାରେ ବୋଲି କୁହାଯାଉଛି ।

Comments are closed.