Latest Odisha News

ବିଧାୟକଙ୍କ ପାଇଁ ବହୁତଳ ବିଶିଷ୍ଟ ଆବାସିକ ଗୃହ କାର୍ଯ୍ୟ ତ୍ବରାନ୍ବିତ ପାଇଁ ବାଚସ୍ପତିଙ୍କ କଡ଼ା ନିର୍ଦ୍ଦେଶ

ଭୁବନେଶ୍ବର : ବିଧାୟକଙ୍କ ପାଇଁ ବହୁତଳ ବିଶିଷ୍ଟ ଆବାସିକ ଗୃହ ନିର୍ମାଣ କାର୍ଯ୍ୟ ତ୍ବରାନ୍ବିତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ବାଚସ୍ପତି । ତୁରନ୍ତ ଗୃହ କାର୍ଯ୍ୟକୁ ତ୍ବରାନ୍ବିତ କରିବାକୁ ବିଭାଗୀୟ କର୍ତ୍ତୃପକ୍ଷଙ୍କୁ କଡ଼ା ନିର୍ଦ୍ଦେଶ ଦେଇଛନ୍ତି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର । ସମୟ ନଷ୍ଟ ନକରି ତୁରନ୍ତ ଆବଶ୍ୟକୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି ।

୧୪ ଜଣ ବର୍ତ୍ତମାନ ଏବଂ ପୂର୍ବତନ ବିଧାୟକ ଏପର୍ଯ୍ୟନ୍ତ ଗୃହ ଛାଡି ନଥିବା ବାଚସ୍ପତି କହିଛନ୍ତି । ଆସନ୍ତା ୨୭ ତାରିଖ ମଧ୍ୟରେ ଗୃହ ଉଚ୍ଛେଦ କାର୍ଯ୍ୟ ସଂପୂର୍ଣ୍ଣ କରିବା ପାଇଁ ବାଚସ୍ପତି ନିର୍ଦ୍ଦେଶ ଦେଇଛନ୍ତି । ନିର୍ମାଣକାରୀ ସଂସ୍ଥା ଓଡ଼ିଶା ବ୍ରିଜ୍ କନଷ୍ଟ୍ରକସନ୍ କର୍ପୋରେସନକୁ ବିଧାୟକଙ୍କ ପୁରୁଣା ୨୮ଟି ଗୃହ ହସ୍ତାନ୍ତର କରାଯାଇଥିବା ଏବଂ ସେଥିରୁ ୨୪ଟି ଗୃହ ଭଙ୍ଗାଯାଇଥିବା ବାଚସ୍ପତିଙ୍କୁ ଅବଗତ କରାଯାଇଛି ।

କର୍ପୋରେସନ ତରଫରୁ ବହୁତଳ ବିଶିଷ୍ଟ ଆବାସିକ ଗୃହ ନିର୍ମାଣ ପାଇଁ ଟେଣ୍ଡର ଆହ୍ବାନ ସରିଛି । ଏ ସଂକ୍ରାନ୍ତିୟ ଆନୁଷଙ୍ଗିକ କାର୍ଯ୍ୟ ଡିସେମ୍ବର ଶେଷ ସୁଦ୍ଧା ସଂପୂର୍ଣ୍ଣ ହେବ । ଏଥିପାଇଁ ରାଜ୍ୟ ସରକାରଙ୍କ ତରଫରୁ ୨୭୫ କୋଟି ଟଙ୍କା ଅନୁଦାନ ମଞ୍ଜୁରି ଦିଗରେ ପଦକ୍ଷେପ ଗ୍ରହଣ ପାଇଁ ଅର୍ଥ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି ବାଚସ୍ପତି । ଆବାସିକ ଗୃହର ଡିଜାଇନରେ ବିଧାୟକଙ୍କ ପାଇଁ କଲ୍ୟାଣ ମଣ୍ଡପ, ମାର୍କେଟ କମ୍ପ୍ଲେକ୍ସ, ବ୍ୟାୟାମଗାର, ଲନ୍ ଇତ୍ୟାଦି ଅତ୍ୟାଧୁନିକ ସୁବିଧା ସୁଯୋଗ ଯୋଗାଇ ଦେବା ପାଇଁ ପରାମର୍ଶ ଦେଇଛନ୍ତି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ।

Leave A Reply

Your email address will not be published.