Latest Odisha News

BREAKING NEWS

ରାଜଧାନୀର ବିକାଶ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ପାଇଁ ବାଚସ୍ପତିଙ୍କ ଆହ୍ୱାନ

ଭୁବନେଶ୍ବର: ୭୭ ତମ ରାଜଧାନୀ ପ୍ରତିଷ୍ଠା ଦିବସ ଧୁମଧାମରେ ପାଳିତ ହୋଇଛି । ରାଜଧାନୀ ପ୍ରତିଷ୍ଠା ଦିବସ ଅବସରରେ ମୁଖ୍ୟ ଅତିଥି ଭାବେ ବିଧାନସଭା ବାଚସ୍ପତି ସୁରମା ପାଢୀ ଯୋଗଦେଇଥିଲେ । ଶ୍ରୀମତୀ ପାଢ଼ୀ ପତାକା ଉତ୍ତୋଳନ କରି ବେସାମାରିକ ସମ୍ମିଳିତ ପ୍ୟାରେଡରେ ଅଭିବାଦନ ଗ୍ରହଣ କରିଥିଲେ ।

ଏହି ପ୍ୟାରେଡରେ ମୋଟ ୨୧ଟି ଦଳ ଭାଗ ନେଇଥିଲେ । ସେମାନଙ୍କ ମଧ୍ୟରୁ ସୈନିକ ସ୍କୁଲ ପ୍ରଥମ, ଏନ୍ ସି ସି ଆର ଆଣ୍ଡ ଭି ସ୍କ୍ବାଡ୍ରନ୍ ଦ୍ଵିତୀୟ, ଡିଏଭି ପବ୍ଲିକ ସ୍କୁଲ, ୟୁନିଟ୍ ୮ ତୃତୀୟ ସ୍ଥାନ ଅଧିକାର କରିଛନ୍ତି । ସିଆରପିଏଫ୍ ବ୍ୟାଣ୍ଡ ଓ ଆର୍ମି ଏୟାର ଡିଫେନ୍ସ ବ୍ୟାଣ୍ଡକୁ ସ୍ଵତନ୍ତ୍ର ପୁରସ୍କାର ପ୍ରଦାନ ପାଇଁ ଘୋଷଣା କରାଯାଇଥିଲା ।

ଏହା ପରେ ବାଚସ୍ପତି କହିଥିଲେ ଯେ, ରାଜଧାନୀ ହେଉଛି ରାଜ୍ୟର ମୁଖଶାଳା । ଦେଶବିଦେଶରୁ ପର୍ଯ୍ୟଟକମାନେ ଆକାଶ ପଥରେ ହେଉ କିମ୍ବା ରେଳପଥରେ ପ୍ରଥମେ ଆସି ରାଜଧାନୀରେ ପହଞ୍ଚିଥାନ୍ତି । ମହିମାମଣ୍ଡିତ ଆମ ରାଜଧାନୀର କଳା ଓ ଐତିହ୍ୟ ବେଶ ଗୌରବ ମଣ୍ଡିତ । ଏହି ଗୌରବମୟ ରାଜଧାନୀର ଶ୍ରୀବୃଦ୍ଧି କରିବା ପାଇଁ ରାଜଧାନୀବାସୀଙ୍କୁ ବାଚସ୍ପତି ସୁରମା ପାଢୀ ଆହ୍ଵାନ ଦେଇଥିଲେ ।

୧୯୪୮ମସିହା ଏପ୍ରିଲ ୧୩ ତାରିଖ ଦିନ ଭୁବନେଶ୍ୱରରେ ପ୍ରତିଷ୍ଠା ହୋଇଥିଲା ରାଜଧାନୀ । ତତ୍କାଳୀନ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁ ରାଜଧାନୀ ଫଳକର ଉନ୍ମୋଚନ କରିଥିଲେ । ସେତେବେଳେ ମାତ୍ର ୪୦ ହଜାର ଲୋକଙ୍କ ପାଇଁ ପରିକଳ୍ପନା କରାଯାଇଥିଲା ରାଜଧାନୀ । ମାତ୍ର ଆଜି ତାର କଳେବର ବୃଦ୍ଧି ପାଇଛି । ସଂପ୍ରତି ୧୩ଲକ୍ଷରୁ ଅଧିକ ଲୋକ ଏଠାରେ ବସବାସ କରୁଛନ୍ତି । ଆମ ରାଜଧାନୀ ଭୁବନେଶ୍ୱର ଆଜି ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ ଆଦି ସବୁ କ୍ଷେତ୍ରରେ ଦେଶର ଯେ କୌଣସି ରାଜଧାନୀଠାରୁ ବହୁ ଉଚ୍ଚରେ ରହିଛି । ଆମ ରାଜଧାନୀର କଳା, ସଂସ୍କୃତି ଐତିହ୍ୟର ସୁରକ୍ଷା କରିବା ସହ ସହରକୁ ସ୍ୱଚ୍ଛ, ସବୁଜ ଓ ସୁନ୍ଦର କରି ଗଢିତୋଳିବା ପାଇଁ ମେୟର ସୁଲୋଚନା ଦାସ ଭୁବନେଶ୍ୱରବାସୀଙ୍କୁ ଆହ୍ୱାନ ଦେଇଛନ୍ତି ।

ଉପସ୍ଥିତ ଅତିଥିମାନେ ନିଜ ନିଜର ବକ୍ତବ୍ୟ ପ୍ରଦାନ କରିବା ସହ ଭୁବନେଶ୍ୱରକୁ ଆହୁରି ଉନ୍ନତି କରିବା ପାଇଁ ସମସ୍ତଙ୍କ ସହଯୋଗ ଲୋଡ଼ିଥିଲେ । ଶେଷରେ ରାଜଧାନୀ ପ୍ରତିଷ୍ଠା ଦିବସ ପାଳନ କମିଟିର ସଭାପତି ପ୍ରଦୋଷ ପ୍ରଟ୍ଟନାୟକ ଅତିଥିମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

ରାଜଧାନୀ ପ୍ରତିଷ୍ଠା ଦିବସ ପାଳନ ଉପଲକ୍ଷେ ସ୍ଥାନୀୟ ଜୟଦେବ ଭବନରେ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଏକ ଫଟୋଚିତ୍ର ପ୍ରଦର୍ଶନୀ ଅନୁଷ୍ଠିତ ହୋଇଯାଇଛି । ବାଚସ୍ପତି ଶ୍ରୀମତୀ ପାଢ଼ୀ ଏହି ଫଟୋଚିତ୍ର ପ୍ରଦର୍ଶନୀକୁ ଉଦ୍‌ଘାଟନ କରିଥିଲେ । ଫଟୋଚିତ୍ର ପ୍ରଦର୍ଶନୀ ବୁଲି ଦେଖିବା ଅବସରରେ ବାଚସ୍ପତି ଏହି ଫଟୋଚିତ୍ରଗୁଡ଼ିକର ଭୂୟସୀ ପ୍ରଶଂସା କରିଥିଲେ । ବିଭାଗ ପକ୍ଷରୁ ଏହି ପ୍ରଦର୍ଶନୀରେ ଭୁବନେଶ୍ୱରର ଐତିହ୍ୟ, କଳା, ସ୍ଥାପତ୍ୟ, ରାଜନୈତିକ ପୃଷ୍ଠଭୂମି, ସାମାଜିକ ରୂପାନ୍ତରଣ, ଆଧ୍ୟାତ୍ମିକ ପରିଦୃଶ୍ୟ, ସ୍ମାର୍ଟ ସିଟି ହେବା ପର୍ଯ୍ୟନ୍ତ ଭୁବନେଶ୍ୱରର କ୍ରମବର୍ଦ୍ଧିଷ୍ଣୁ ବିକାଶ ଆଦି ଉପରେ ପର୍ଯ୍ୟବେସିତ ଫଟୋଚିତ୍ର ପ୍ରଦର୍ଶିତ ହେଉଛି । ଏହି ଅବସରରେ ବିଭାଗୀୟ ନିର୍ଦ୍ଦେଶକ (ବୈଷୟିକ) ସୁରେନ୍ଦ୍ରନାଥ ପରିଡ଼ା, ଅତିରିକ୍ତ ନିର୍ଦ୍ଦେଶକ ସନ୍ତୋଷ କୁମାର ଦାସ, ଉପନିର୍ଦ୍ଦେଶକ ଦୀପ୍ତିମୟୀ ମହାପାତ୍ର, ସୁଚେତା ପ୍ରିୟଦର୍ଶିନୀ ପ୍ରମୁଖ ଉପସ୍ଥିତ ଥିଲେ । ପ୍ରଦର୍ଶନୀ ଅଧିକାରୀ ଦୀପକ କୁମାର ସାହୁଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଅନୁଷ୍ଠିତ ଏହି ଦୁଇଦିନିଆ ପ୍ରଦର୍ଶନୀ ଆସନ୍ତାକାଲି (ସୋମବାର) ପର୍ଯ୍ୟନ୍ତ ଦର୍ଶକଙ୍କ ନିମନ୍ତେ ଖୋଲା ରହିବ ।

Comments are closed.