ପୁରୀ : ପିପିଲି ବିଧାନସଭା ଉପନିର୍ବାଚନ ପାଇଁ ଆସନ୍ତା ୧୭ ତାରିଖରେ ହେବ ଭୋଟଗ୍ରହଣ । ମତଦାନ ଦିନ ଦିବ୍ୟାଙ୍ଗ ମାନଙ୍କ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି । ଏଥିପାଇଁ ୧୦୨ଟି ଗାଡ଼ିର ବ୍ୟବସ୍ଥା କରାଯାଇଛି । ଭୋଟ ଗ୍ରହଣ ଦିନ ସେମାନେ ରହୁଥିବା ସ୍ଥାନରୁ ମତଦାନ କେନ୍ଦ୍ରକୁ ନେବା ଆଣିବାରେ ସହାୟକ ହେବ । ମତଦାନର ୭ଦିନ ପୂର୍ବରୁ ଯୋଗ୍ୟ ଦିବ୍ୟାଙ୍ଗ ଭୋଟରମାନଙ୍କୁ ବାହାନ ପ୍ରମାଣ ପତ୍ର ବଣ୍ଟନ କରାଯିବ ।
ଏଥିସହ ବ୍ଲକ ମୁଖ୍ୟାଳୟରେ ମତଦାନ କେନ୍ଦ୍ର ଗୁଡିକ ପାଇଁ ୩୪୮ଟି ହ୍ବିଲ ଚେୟାରର ବ୍ୟବସ୍ଥା କରାଯାଇଛି । ଦିବ୍ୟାଙ୍ଗ ମାନଙ୍କ ସହାୟତା ପାଇଁ ପ୍ରତ୍ୟେକ ବୁଥରେ ଦୁଇ ଜଣ ସ୍ବେଚ୍ଛାସେବୀ ନିୟୋଜିତ ହେବେ । ଏଥିପାଇଁ ଜାତୀୟ ସେବା ସଂସ୍ଥା, ନେହେରୁ ଯୁବ କେନ୍ଦ୍ର, ସ୍ବୟଂ ସହାୟକ ଗୋଷ୍ଠୀ, ବେସରକାରୀ ସଂସ୍ଥାର ସ୍ବେଚ୍ଛାସେବୀ ମାନଙ୍କୁ ଚିହ୍ନଟ କରାଯିବ । ମତଦାନ ଦିନ ଭୋଟର ପରିଚୟ ପତ୍ର ନିଜ ସାଙ୍ଗରେ ଆଣିବାକୁ ଭୋଟର ମାନଙ୍କୁ ପରାମର୍ଶ ଦିଆଯାଇଛି । ଭୋଟର ପରିଚୟ ପତ୍ର ନ ଥିଲେ ଆଧାର କାର୍ଡ, ମହାତ୍ମା ଗାନ୍ଧି ନରେଗା କାର୍ଡ, ନିଜ ଫୋଟ ଥିବା ବ୍ୟାଙ୍କ କିମ୍ବା ପୋଷ୍ଟ ଅଫିସ ପାସବୁକ, ଶ୍ରମ ମନ୍ତ୍ରଣାଳୟ ପକ୍ଷରୁ ପ୍ରଦତ୍ତ ସ୍ବାସ୍ଥ୍ୟବୀମା କାର୍ଡ, ଡ୍ରଇଭିଂ ଲାଇସେନ୍ସ, ପ୍ୟାନ କାର୍ଡ, ଆରଜିଆଇ ପକ୍ଷରୁ ଜାରି ସ୍ମାର୍ଟ କାର୍ଡ, ଭାରତୀୟ ପାସପୋର୍ଟ, ଫଟୋଥିବା ପେନସନ କାଗଜପତ୍ର, କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ସଂସ୍ଥାରେ କାର୍ଯ୍ୟରତ ପରିଚୟ ପତ୍ର, ସାଂସଦ ଓ ବିଧାୟକ ମାନଙ୍କୁ ପ୍ରଦତ୍ତ ସରକାରୀ ପରିଚୟ ପତ୍ର ମଧ୍ୟରୁ ଯେ କୌଣସିକୁ ଭୋଟର ମାନେ ପରିଚୟ ପତ୍ର ଭାବେ ଦେଖାଇ ପାରିବେ ବୋଲି ପରାମର୍ଶ ଦିଆଯାଇଛି । ଏହାଛଡ଼ା ପ୍ରାର୍ଥୀମାନେ ସଭା ଓ ଶୋଭାଯାତ୍ରା ସଂକ୍ରାନ୍ତୀୟ ବିଭିନ୍ନ ଅନୁମତି ପାଇଁ ଜିଲ୍ଲା ଜରୁରୀକାଳୀନ କେନ୍ଦ୍ରକୁ ୧୯୫୦ ମାଧ୍ୟମରେ ଯୋଗାଯୋଗ କରିପାରିବେ ।
Comments are closed.