Latest Odisha News

ଶ୍ରୀମନ୍ଦିରରେ ଦିବ୍ୟାଙ୍ଗ ଶ୍ରଦ୍ଧାଳୁଙ୍କ ଦର୍ଶନ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା, ଉତ୍ତର ଦ୍ୱାରରେ ବିଶ୍ରାମ ଗୃହ

ପୁରୀ: ଏଣିକି ବିନା କଷ୍ଟରେ ଜଗା ଦର୍ଶନ କରିପାରିବେ ଦିବ୍ୟାଙ୍ଗ ଶ୍ରଦ୍ଧାଳୁ। କାରଣ ଠାକୁର ଦର୍ଶନ ଲାଗି ଶ୍ରୀମନ୍ଦିର ଉତ୍ତର ଦ୍ୱାର ଦେଇ ଦିବ୍ୟାଙ୍ଗଙ୍କ ପାଇଁ କରାଯିବ ସ୍ୱତନ୍ତ୍ର ଦର୍ଶନ ବ୍ୟବସ୍ଥା। ଶ୍ରୀମନ୍ଦିର ରୀତି ନୀତି ଓ ପରମ୍ପରାକୁ ନଜରରେ ରଖି ଦିବ୍ୟାଙ୍ଗଙ୍କ ଦର୍ଶନ ପାଇଁ ସ୍ୱତନ୍ତ୍ର ଏସଓପି କରିବାକୁ ଲକ୍ଷ୍ୟ ରହିଛି। ଏନେଇ ନିଆଯିବ ସ୍ୱତନ୍ତ୍ର ପଦକ୍ଷେପ।

ଶ୍ରୀମନ୍ଦିରର କାୟାକଳ୍ପ ବଦଳୁଥିବା ବେଳେ ପରିକ୍ରମା ପ୍ରକଳ୍ପରେ ସଜେଇ ହେଉଛି ଚାରିପାର୍ଶ୍ୱ। ଅତ୍ୟାଧୁନିକ ସୁବିଧା ସହ ଭକ୍ତଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ନେଇ ଜାରି ରହିଛି କାମ। ତେବେ ଦିବ୍ୟାଙ୍ଗ ଶ୍ରଦ୍ଧାଳୁଙ୍କ ପାଇଁ ପ୍ରତିଦିନ ସ୍ୱତନ୍ତ୍ର ସମୟରେ ଏହି ଦର୍ଶନ ବ୍ୟବସ୍ଥା କରାଯିବ। ଛତିଶା ନିଯୋଗ ଓ ପରିଚାଳନା କମିଟିର ଅନୁମୋଦନ ନିଆଯାଇ ଦିବ୍ୟାଙ୍ଗଙ୍କୁ ଏହି ଦର୍ଶନ ବ୍ୟବସ୍ଥାରେ ସାମିଲ କରାଯିବ। ପ୍ରକଳ୍ପରେ ଉତ୍ତର ଦ୍ୱାରରେ ଦିବ୍ୟାଙ୍ଗଙ୍କ ପାଇଁ ସ୍ୱତନ୍ତ୍ର ବିଶ୍ରାମ ଗୃହ ନିର୍ମାଣ କରାଯାଇଥିବା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଞ୍ଜନ କୁମାର ଦାସ ସୂଚନା ଦେଇଛନ୍ତି ।

ଶ୍ରୀମନ୍ଦିରରେ ଦିବ୍ୟାଙ୍ଗ ମାନେ କିଭଳି ସୁବିଧାରେ ଦର୍ଶନ କରିପାରିବେ ସେଥିପାଇଁ ଶ୍ରୀମନ୍ଦିର ପ୍ରଶାସନ ନିକଟରେ ଦିବ୍ୟାଙ୍ଗ ଅନୁଷ୍ଠାନ ପକ୍ଷରୁ ଆଜି ଦାବି କରାଯାଇଛି। ଶ୍ରୀକ୍ଷେତ୍ରକୁ ଦୈନିକ ହଜାର ହଜାର ଶ୍ରଦ୍ଧାଳୁଙ୍କ ଭିଡ଼କୁ ଦେଖି ଶ୍ରୀମନ୍ଦିରରେ ଦିବ୍ୟାଙ୍ଗଜନକଙ୍କ ଦର୍ଶନକୁ ସହଜ ଓ ଅଧିକ ଶୃଙ୍ଖଳିତ କରିବା ଲାଗି ଦିବ୍ୟାଙ୍ଗ ଅନୁଷ୍ଠାନ ପକ୍ଷରୁ ହୋଇଥିବା ଦାବି ଉପରେ ତୁରନ୍ତ ପଦକ୍ଷେପ ନିଆଯିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ କୁହାଯାଇଛି। ପୂର୍ବରୁ ଉତ୍ତର ଦ୍ୱାର ଦେଇ ସ୍ୱତନ୍ତ୍ର ରାମ୍ପ ଜରିଆରେ ଦିବ୍ୟାଙ୍ଗ ଭକ୍ତମାନେ ଶ୍ରୀଜୀଉଙ୍କ ଦର୍ଶନ ପାଇଁ ଶ୍ରୀମନ୍ଦିରରେ ପ୍ରବେଶ କରୁଥିଲେ। ପୂର୍ବଭଳି ଏହି ରାସ୍ତା ଦେଇ ଦିବ୍ୟାଙ୍ଗ ଶ୍ରଦ୍ଧାଙ୍କୁ ଶ୍ରୀମନ୍ଦିରରେ ପ୍ରବେଶ ଓ ଶ୍ରୀଜୀଉଙ୍କ ଦର୍ଶନ କରାଇବା ଲାଗି ପ୍ରଶାସନ ବ୍ୟବସ୍ଥା କରୁ ବୋଲି ଶ୍ରୀକ୍ଷେତ୍ର ଦିବ୍ୟାଙ୍ଗ ସେବା ସଂଗଠନ ପକ୍ଷରୁ ମୁଖ୍ୟ ପ୍ରଶାସକ ରଞ୍ଜନ କୁମାର ଦାସଙ୍କୁ ଭେଟି ଏକ ଦାବିପତ୍ର ଦିଆଯାଇଛି।

Comments are closed.