Latest Odisha News

ଭିଜିଲାନ୍ସ ଜାଲରେ ସ୍ପେଶାଲ କ୍ଲାସ ଠିକାଦାର,ଦୁଇ ଅଭିଯୁକ୍ତଙ୍କୁ ବାନ୍ଧିଲା ଭିଜିଲାନ୍ସ

ଭୁବନେଶ୍ଵର: ସରକାରୀ ପାଣ୍ଠି ଆତ୍ମସାତ କରିଥିବା ଅଭିଯୋଗରେ ସ୍ପେଶାଲ କ୍ଲାସ କଣ୍ଟ୍ରାକ୍ଟର ବିଜୟ କୁମାର ଅଗ୍ରୱାଲ ଓ ତାଙ୍କ ପାୱାର ଅଫ୍ ଆଟର୍ଣ୍ଣି ଦୀପକ କୁମାର ଅଗ୍ରୱାଲଙ୍କୁ ଗିରଫ କରାଯାଇଛି। ଦୁଇ ଠିକାଦାରଙ୍କୁ ଭିଜିଲାନ୍ସ ଗିରଫ କରିଛି। ସୋନପୁର ଜିଲ୍ଲାରେ ଅନୁସୂଚିତ ଜାତିର ଛାତ୍ରଙ୍କ ପାଇଁ ୪ଟି ୧୦୦ ଶଯ୍ୟା ବିଶିଷ୍ଟ ଛାତ୍ରାବାସ ନିର୍ମାଣ ପାଇଁ ଆସିଥିବା ଅର୍ଥ ସେମାନେ ଆତ୍ମସାତ କରିଥିବା ଅଭିଯୋଗ ହୋଇଥିଲା । ଏହି କାମରେ ଅର୍ଥ ହେରଫେର ଅଭିଯୋଗରେ ଦୁଇ ଜଣଙ୍କୁ ଗିରଫ କରାଯାଇଛି । ପୂର୍ବରୁ ଭିଜିଲାନ୍ସ ତଦନ୍ତ ଆରମ୍ଭ ପରେ ବିଜୟ ଓ ଦୀପକ ବଲାଙ୍ଗୀର ବାସଭବନରୁ ଫେରାର ହୋଇଯାଇଥିଲେ । ରାଉରକେଲାରୁ ଉଭୟଙ୍କୁ ଭିଜିଲାନ୍ସ ଗିରଫ କରିଛି । ଏବେ ଉଭୟଙ୍କୁ କଟକସ୍ଥିତ ଭିଜିଲାନ୍ସ ଅଫିସକୁ ଆଣି ପଚାରାଉଚରା କରାଯାଉଥିବା ସୂଚନା ମିଳିଛି ।

ଅନୁସୂଚିତ ଜାତି ଛାତ୍ରନିବାସ ନିର୍ମାଣରେ ବ୍ୟାପକ ଅନିୟମିତତା କରି ଟଙ୍କା ହଡ଼ପ କରିଥିବା ଠିକା ସଂସ୍ଥା ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ସୁବର୍ଣ୍ଣପୁର ଜିଲ୍ଲାପାଳ ବିମଳେନ୍ଦୁ ରାୟ ଗତ ୫ ତାରିଖ ଦିନ ସମ୍ବଲପୁର ଭିଜିଲାନ୍ସ ଏସପିଙ୍କୁ ପତ୍ର ଲେଖିଥିଲେ । ଏନେଇ ଭିଜିଲାନ୍ସ ବିଭାଗ ପକ୍ଷରୁ ଉକ୍ତ ଘଟଣାର ତଦନ୍ତ ଆରମ୍ଭ ହୋଇଥିଲା । ସୋନପୁର ଭିଜିଲାନ୍ସ ଟିମ ଏବଂ କଟକ ଭିଜିଲାନ୍ସ ବିଭାଗର ବୈଷୟିକ ଟିମ୍ ଏହାର ତଦନ୍ତ ଆରମ୍ଭ କରିଥିଲେ । ସେମାନେ ମକୁନ୍ଦପୁର ଗ୍ରାମକୁ ଯାଇ ଛାତ୍ରୀନିବାସ ଅନୁଧ୍ୟାନ କରିବା ସହ ପ୍ରଧାନଶିକ୍ଷକଙ୍କୁ ପଚରାଉଚରା କରିଥିଲେ । ଭୁବନେଶ୍ବର ଆଇଆର୍‌ସି ଭିଲେଜର ପ୍ଲଟ ନଂ. ୧/୨୦୭ରେ ଥିବା ମେସର୍ସ ହିନ୍ଦୁସ୍ତାନ ଷ୍ଟିଲୱାର୍କ୍ସ କନ୍‌ଷ୍ଟ୍ରକସନ ଲିଃ.(ଏଚ୍‌ଏସ୍‌ସିଏଲ୍‌) ନାମକ ଠିକାସଂସ୍ଥା କେବିକେ ଜିଲ୍ଲା ପାଇଁ ୨୦୧୭-୧୮ରେ ସ୍ବତନ୍ତ୍ର ଆର୍‌ଏଲ୍‌ଟିଏପି ଯୋଜନାରେ ମକୁନ୍ଦପୁର ଆଶ୍ରମ ସ୍କୁଲର ୧୦୦ ଶଯ୍ୟା ବିଶିଷ୍ଟ ଛାତ୍ରୀନିବାସ ନିର୍ମାଣ କରିଥିଲା ।

ସୂଚନାଯୋଗ୍ୟ ଯେ, ଦୁର୍ନୀତିଖୋର ସରକାରୀ ଚାକିରିଆଙ୍କ ଚିନ୍ତା ବଢାଇଛି ଏବେ ଭିଜିଲାନ୍ସ। ଲାଞ୍ଚ ବା ଦୁର୍ନୀତିରେ ଲିପ୍ତ ଥିଲେ ଧରିବାକୁ ଛକିଛନ୍ତି ଭିଜିଲାନ୍ସ ଅଫିସର । କେତେବେଳେ କେଉଁ ପରିସ୍ଥିତିରେ କେଉଁ ସରକାରୀ ବାବୁଙ୍କ ଘରେ ଭିଜିଲାନ୍ସ ପହଞ୍ଚିଯିବ ତାହା କାହାକୁ ଜଣା ନାହିଁ। କାରଣ ଜଣଙ୍କ ପରେ ଜଣେ ଦୁର୍ନୀତି ଗ୍ରସ୍ତ ଅଧିକାରୀଙ୍କ ଘରେ ଭିଜିଲାନ୍ସ ରେଡ କରି ପୁଳା ପୁଳା ସମ୍ପତ୍ତି ଜବତ କରୁଛି ।

 

 

Comments are closed.