Latest Odisha News

ଜମି ପାଇଁ ମିଳିତ ଅଭିଯୋଗ ଶୁଣାଣି ଶିବିରରେ ବିଷ ପିଇଲେ ଭିନ୍ନକ୍ଷମ

ବ୍ରହ୍ମପୁର: ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କାର୍ଯ୍ୟାଳୟ ପରିସରରେ ସୋମବାର ମିଳିତ ଅଭିଯୋଗ ଶୁଣାଣି ଚାଲିଥିବା ବେଳେ ଆତ୍ମହତ୍ୟା ଉଦ୍ୟମ । ଜଣେ ଭିନ୍ନକ୍ଷମ ସେଠାରେ ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି । ଭିନ୍ନକ୍ଷମ ଜଣଙ୍କ ଜେ. ବାଳକୃଷ୍ଣ ଦୋରା ତାଙ୍କ ଘର ଦିଗପହଣ୍ଡି ବ୍ଲକ ପତାଣ୍ଡ ଗାଁ ବୋଲି ଜଣା ପଡ଼ିଛି । ଗୁରୁତର ଅବସ୍ଥାରେ ତାଙ୍କ ଚିକିତ୍ସା ବ୍ରହ୍ମପୁର ବଡ଼ ମେଡିକାଲରେ ଚାଲିଛି ।

ମିଳିଥିବା ସୂଚନା ଅନୁଯାୟୀ, ଦିଗପହଣ୍ଡି ବ୍ଲକ କାର୍ଯ୍ୟାଳୟ ପରିସରରେ ମିଳିତ ଅଭିଯୋଗ ଶୁଣାଣି ଶିବିର ଚାଲିଥିଲା । ଏଥିରେ ଗଞ୍ଜାମ ଜିଲାପାଳ ଦିବ୍ୟଜ୍ୟୋତି ପରିଡା, ବ୍ରହ୍ମପୁର ଆରକ୍ଷୀ ଅଧିକ୍ଷକ ସର୍ବଣା ବିବେକ ଏମ୍ ଏବଂ ଜିଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ କୀର୍ତ୍ତି ଭାସନଙ୍କ ସମେତ ବିଭିନ୍ନ ବିଭାଗର ଜିଲା ସ୍ତରୀୟ ଅଧିକାରୀ ମାନେ ଯୋଗ ଦେଇଥିଲେ । ତେବେ ଏହି ଶିବିରରେ ଭିନ୍ନକ୍ଷମ ବାଳକୃଷ୍ଣ ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ । ସେ ବିଷ ପିଇବା କ୍ଷଣି ଅଧିକାରୀ ମାନେ ପହଞ୍ଚି ଉଦ୍ଧାର କରିଥିଲେ । ଦିଗପହଣ୍ଡି ଆଇଆଇସି ଦୀପ୍ତି ରଞ୍ଜନ ବେହେରା, ଦିଗପହଣ୍ଡି ବିଡ଼ିଓ ହଳଧର ଶବର ଭିନ୍ନକ୍ଷମଙ୍କୁ ତୁରନ୍ତ ଦିଗପହଣ୍ଡି ମେଡିକାଲ ଭର୍ତ୍ତି କରିଥିଲେ । ସେଠାରେ ଅବସ୍ଥା ଗୁରୁତର ହେବାରୁ ବ୍ରହ୍ମପୁର ବଡ଼ ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଛି ।

ବାଳକୃଷ୍ଣଙ୍କ ଅଭିଯୋଗ ଅନୁସାରେ, ତାଙ୍କ ଜାଗାର କିଛି ଅଂଶକୁ ପଡ଼ୋଶୀ ଅକ୍ତିଆର କରିଛନ୍ତି । ଏଣୁ ଜାଗାର ମାପଚୁପ୍ ପାଇଁ ସେ ଆବେଦନ କରିଥିଲେ । କିନ୍ତୁ ରାଜସ୍ୱ ନିରୀକ୍ଷକ ଗୁରୁତ୍ୱ ଦେଉ ନଥିଲେ । ଶେଷରେ ଗତ ୨୪ ତାରିଖରେ ରାଜସ୍ୱ ନିରୀକ୍ଷକ ଆସି ଜାଗାର ମାପଚୁପ କରିଥିଲେ । କିନ୍ତୁ ଏଥିରେ ତ୍ରୁଟି ହୋଇଥିବା ବାଳକୃଷ୍ଣ ସନ୍ଦେହ କରିଥିଲେ । କାରଣ ତାଙ୍କ ଜାଗାର କିଛି ଅଂଶକୁ ଆଉ ଜଣେ ଜବରଦଖଲ କରିଥିଲେ ମଧ୍ୟ ରାଜସ୍ୱ ନିରୀକ୍ଷକ ମାପଚୁପ ରିପୋର୍ଟରେ ଏକଥା ଉଲେଖ କରିନଥିଲେଷ । ଏନେଇ ସେ ପ୍ରଶ୍ନ କରିବାରୁ ତାଙ୍କୁ ଲାଞ୍ଚ ମାଗିଥିଲେ । ତାଙ୍କ ଅଭିଯୋଗକୁ କୌଣସି ବରିଷ୍ଠ ଅଧିକାରୀ ମଧ୍ୟ ଶୁଣି ନଥିବା ବାଳକୃଷ୍ଣ ଅଭିଯୋଗ କରିଛନ୍ତି ।

Leave A Reply

Your email address will not be published.