Latest Odisha News

‘ଉତ୍କଳ ପ୍ରସଙ୍ଗ’ ଓ ‘ଓଡ଼ିଶା ରିଭୁ୍ୟ’ର ସ୍ୱତନ୍ତ୍ର ସଂଖ୍ୟା ଉନ୍ମୋଚିତ

ଭୁବନେଶ୍ୱର : ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ ଅବସରରେ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ପ୍ରକାଶିତ ‘ଉତ୍କଳ ପ୍ରସଙ୍ଗ’ ଓ ‘ଓଡ଼ିଶା ରିଭୁ୍ୟ’ର ସ୍ୱତନ୍ତ୍ର ସଂଖ୍ୟା ଉନ୍ମୋଚିତ ହୋଇଯାଇଛି । ଏହି ଉନ୍ମୋଚନ ସଭାରେ ସୂଚନା ଓ ଲୋକସମ୍ପର୍କ ମନ୍ତ୍ରୀ ପ୍ରଦୀପ କୁମାର ଅମାତ, ବିଭାଗୀୟ ପ୍ରମୁଖ ଶାସନ ସଚିବ ସଂଜୟ କୁମାର ସିଂହ, ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମର ଅଧ୍ୟକ୍ଷ ଲେନିନ୍ ମହାନ୍ତି, ‘ଉତ୍କଳ ପ୍ରସଙ୍ଗ’ ଓ ‘ଓଡ଼ିଶା ରିଭୁ୍ୟ’ର ସମ୍ପାଦିକା କସ୍ତୁରୀ ମହାପାତ୍ର ପ୍ରମୁଖ ଯୋଗ ଦେଇଥିଲେ।

୧୯୪୪ ମସିହାରୁ ନିରବଚ୍ଛିନ୍ନ ଭାବେ ପ୍ରକାଶିତ ଏହି ଦୁଇଟି ପତ୍ରିକା ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତିର ପ୍ରଚାର ପ୍ରସାର କରିଆସୁଛି । ଏହି ସ୍ୱତନ୍ତ୍ର ସଂଖ୍ୟା ଆଗାମୀ ପିଢ଼ିଙ୍କୁ ମାତୃଭାଷା ପ୍ରତି ସଚେତନ କରିବା ସହ ଉପାଦେୟ ଓ ସଂଗ୍ରହଣୀୟ ହେବ । ପୁରାତନ ସଂସ୍କରଣର ଡିଜିଟାଇଜେସନ୍ ବ୍ୟବସ୍ଥା ଦେଶବିଦେଶରେ ରହୁଥିବା ଓଡ଼ିଆ ଭାଷାଭାଷୀଙ୍କ ପାଇଁ ସୁବିଧା ହେଉଛି । ପତ୍ରିକା ଦୁଇଟିରେ ଓଡ଼ିଶାର ଭାଷା, ସାହିତ୍ୟ ନେଇ ବହୁ ଦୁଷ୍ପ୍ରାପ୍ୟ ଏବଂ ଉପାଦେୟ ତଥା ପୁରାତନ ଆଲେଖ୍ୟ ସ୍ଥାନ ପାଇଛି ଯାହା ଦ୍ୱାରା ଛାତ୍ରଛାତ୍ରୀ ଓ ଗବେଷକମାନେ ଆଧୁନିକ ଓଡ଼ିଆ ଭାଷା-ସାହିତ୍ୟର କ୍ରମବିକାଶ ସମ୍ପର୍କରେ ଅବଗତ ହୋଇପାରିବେ । ପ୍ରସଙ୍ଗର ସ୍ୱତନ୍ତ୍ର ସଂଖ୍ୟାରେ ୧୯ଟି ନିବନ୍ଧ ଏବଂ ଓଡ଼ିଶା ରିଭୁ୍ୟରେ ୨୭ଟି ନିବନ୍ଧ ସ୍ଥାନ ପାଇଥିବା ଏହି ପତ୍ରିକା ଦୁଇଟି ପାଠକ ତଥା ଗବେଷକମାନଙ୍କ ପାଇଁ ବିଶେଷ ଭାବରେ ଉପଯୋଗୀ ହୋଇପାରିବ ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ ।

କାର୍ଯ୍ୟକ୍ରମର ଅନ୍ତିମ ସୋପାନରେ ସୂଚନା ଓ ଲୋକ ସମ୍ପର୍କ ବିଭାଗର ନିର୍ଦ୍ଦେଶକ ସରୋଜ କୁମାର ସାମଲ ଧନ୍ୟବାଦ ଅର୍ପଣମ କରିଥିଲେ ।

Leave A Reply

Your email address will not be published.