Latest Odisha News

‘ୟାସ’ ପ୍ରଭାବିତ କୃଷକଙ୍କ ପାଇଁ ପ୍ୟାକେଜ

ଭୁବନେଶ୍ୱର : ୟାସ ପ୍ରଭାବିତ କୃଷକ ମାନଙ୍କ ପାଇଁ ସହାୟତା ଘୋଷଣା । ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ବାତ୍ୟା ୟାସ ପ୍ରଭାବିତ ଅଞ୍ଚଳର କୃଷକ ମାନଙ୍କ ପାଇଁ ସହାୟତା ଘୋଷଣା କରିଛନ୍ତି । ୩୩ ପ୍ରତିଶତ ବା ତା ଠାରୁ ଅଧିକ ଫସଲ କ୍ଷତି ସହିଥିବା ଛୋଟ ଓ ନାମ ମାତ୍ର ଚାଷୀଙ୍କ ପାଇଁ ଇନପୁଟ ସହାୟତା ଘୋଷଣା କରିଥିବା ବେଳେ ୩୩ ପ୍ରତିଶତ  ବା ଅଧିକ କ୍ଷତି ସହିଥିବା ଛୋଟ ଓ ନାମମାତ୍ର ଚାଷୀଙ୍କ ସ୍ଵଳ୍ପ ମିଆଦୀ ଋଣ ମଧ୍ୟମ ମିଆଦୀ ଋଣକୁ ପରିବର୍ତ୍ତନ କରିଛନ୍ତି । କୃଷି ଯାନ୍ତ୍ରିକୀକରଣ ପାଇଁ କୋଡ଼ିଏ କୋଟି ଟଙ୍କାର ରିହାତି ସହାୟତା ଘୋଷଣା କରିଛନ୍ତି। ବାତ୍ୟା ୟାସ ଯୋଗୁଁ ଅନେକ ଜିଲ୍ଲାରେ ଫସଲ ନଷ୍ଟ ହେବା ସହିତ ପଶୁସମ୍ପପଦ, ମତ୍ସ୍ୟ, ହସ୍ତତନ୍ତ ଓ ରେଶମ ଚାଷ ଆଦି ବିଭିନ୍ନ କ୍ଷେତ୍ରରେ ବ୍ୟାପକ କ୍ଷତି ହୋଇଛି ।

ଚାଷୀ ମାନଙ୍କର କ୍ଷତି ଭରଣା ପାଇଁ ମୁଖ୍ୟମନ୍ତ୍ରୀ ପ୍ୟାକେଜ ଘୋଷଣା କରି ଏହାକୁ ତୁରନ୍ତ କାର୍ଯ୍ୟକାରୀ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।ବାତ୍ୟା ୟାସରେ କୃଷିକ୍ଷେତ୍ରରେ ୩୩ପ୍ରତିଶତ ବା ଅଧିକ କ୍ଷତି ହୋଇଥିବା ଫସଲ ପାଇଁ ଅଣଜଳସେଚିତ ଅଞ୍ଚଳରେ ଛୋଟ ଓ ନାମମାତ୍ର ଚାଷୀ ଙ୍କୁ ହେକ୍ଟର ପିଛା ୬୮୦୦ ଟଙ୍କା ଇନ୍‌ପୁଟ ସବ୍‌ସିଡି ଦିଆଯିବ । ଜଳସେଚିତ ଅଞ୍ଚଳରେ ହେକ୍ଟର ପିଚ୍ଛା ୧୩,୫୦୦ ଟଙ୍କା ଏବଂ ସମସ୍ତ ପ୍ରକାର ସବୁଦିନିଆ ଫସଲ ପାଇଁ ହେକ୍ଟର ପିଛା ୧୮,୦୦୦ ଟଙ୍କା ଇନ୍‌ପୁଟ ସବ୍‌ସିଡି ଦିଆଯିବ ।

ସବୁଦିନିଆ ଫସଲ ପାଇଁ ଚାଷୀ ମାନଙ୍କୁ ସର୍ବନିମ୍ନ ୨୦୦୦ ଟଙ୍କା ଓ ଅନ୍ୟ ଫସଲ ପାଇଁ ସର୍ବନିମ୍ନ ୧୦୦୦ ଟଙ୍କା ଇନ୍‌ପୁଟ ସବ୍‌ସିଡି ମିଳିବ ବୋଲି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ  ପ୍ରଭାବିତ ଜିଲ୍ଲାର ଚାଷୀମାନଙ୍କୁ ୨୦୨୧ ଖରିଫ ଋତୁ ପାଇଁ ବର୍ତ୍ତମାନ ଦିଆଯାଉଥିବା ରିହାତିର ଅଧିକ ୨୫ ପ୍ରତିଶତ ରିହାତି ସହିତ ଦେଢ ଲକ୍ଷ କ୍ବିଣ୍ଟାଲ ଉନ୍ନତ ମାନର ପ୍ରାମାଣିକ ଧାନ ବିହନ ଯୋଗାଇ ଦିଆଯିବ । ଏହି ରିହାତି ସିଧାସଳଖ DBT ଜରିଆରେ ଚାଷୀଙ୍କ ଆକାଉଣ୍ଟକୁ ଦିଆଯିବ । ଖରିଫ ଋତୁରେ ଅଧିକ ଅମଳ ପାଇଁ ଏକ ଲକ୍ଷ ଏକର ଜମି ପାଇଁ ଏକ ଲକ୍ଷ ଚାଷୀଙ୍କୁ ବିହନ ବିଶୋଧନ ପ୍ରଦର୍ଶନ କାର୍ଯ୍ୟକ୍ରମରେ ଅନ୍ତର୍ଭୁକ୍ତ କରାଯିବ । ଖରିଫ ଋତୁରେ ଧାନ,ଝୋଟ ଓ ଡାଲିଜାତୀୟ ଫସଲ ପାଇଁ ପ୍ରଭାବିତ ଅଞ୍ଚଳରେ ୨୫ ହଜାର ଏକର ଜମିରେ ପ୍ରଦର୍ଶନ କାର୍ଯ୍ୟକ୍ରମ ଗ୍ରହଣ କରାଯିବ।

ଧାଡି ବୁଣା ଓ ଧାଡି ରୁଆ ଆଦି ଉନ୍ନତ ଚାଷ ପ୍ରଣାଳୀ ଅବଲମ୍ବନ କରୁଥିବା ଚାଷୀ ମାନଙ୍କୁ ୩୬ ହଜାର ଏକର ଜମି ପାଇଁ ହେକ୍ଟର ପିଛା ୧୫୦୦ ଟଙ୍କା ପ୍ରୋତ୍ସାହନ ରାଶି ଦିଆଯିବ । ଏହା ସହିତ ୬୦ ହଜାର ହେକ୍ଟର ଜମିରେ ରୋଗପୋକ ମାରିବା ପାଇଁ ଆବଶ୍ୟକତା ଭିତ୍ତିରେ ଇନ୍‌ପୁଟ ସବ୍‌ସିଡି ଚାଷୀ ମାନଙ୍କ ଆକାଉଣ୍ଟକୁ ଦିଆଯିବ । ଉନ୍ନତମାନର କୃଷି ଯନ୍ତ୍ରପାତି କିଣିବାପାଇଁ ପ୍ରଭାବିତ ଜିଲ୍ଲାରେ ଚାଷୀ ମାନଙ୍କୁ ୨୦ କୋଟି ଟଙ୍କାର ରିହାତି DBT ଜରିଆରେ ଦିଆଯିବ ବୋଲ କହିଛନ୍ତି ମୁଖ୍ୟମନ୍ତ୍ରୀ । ସେହିପରି ପାନବରଜ ଚାଷ କରୁଥିବା ୧୨୫ ଜଣ ଚାଷୀଙ୍କୁ ଜଣ ପିଚ୍ଛା ୧୫ ହଜାର ଟଙ୍କା ପ୍ରୋତ୍ସାହନ ରାଶି DBT ଜରିଆରେ ଦିଆଯିବ ।

୧୦ ହଜାର କ୍ଷତିଗ୍ରସ୍ତ ଚାଷୀଙ୍କୁ ସେମାନଙ୍କ ବାଡିରେ ପରିବା ଚାଷ ପାଇଁ ଉନ୍ନତ ମାନର ଚାରା ୧୧୫ ଟଙ୍କାରେ ଯୋଗାଇ ଦିଆଯିବ । ବାତ୍ୟାରେ କ୍ଷତିଗ୍ରସ୍ତ ୫୦ ଟି ଛତୁ ଚାଷ ୟୁନିଟ୍‌କୁ ୪୦ ହଜାର ଟଙ୍କା ଲେଖାଏଁ ଯୋଗାଇ ଦିଆଯିବ । ଏଥିରେ କ୍ଷତିଗ୍ରସ୍ତ ଚାଷୀମାନେ ସେମାନଙ୍କ ଛତୁ ଚାଷ ୟୁନିଟର ପୁନରୁଦ୍ଧାର କରିପାରିବେ । ଏହି ସହାୟତା ଚାଷୀର ବ୍ୟାଙ୍କ ଆକାଉଣ୍ଟରେ ସିଧାସଳଖ ପ୍ରଦାନ କରାଯିବ । କ୍ଷତିଗ୍ରସ୍ତ ଅଞ୍ଚଳର ଚାଷୀ ମାନଙ୍କୁ କିଟ୍‌ ପିଛା ୧୧୦ ଟଙ୍କାର ୧୦ ହଜାର ପରିବା ମିନି କିଟ୍‌ ମାଗଣାରେ ଯୋଗାଇ ଦିଆଯିବ । ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜାନାରେ ବୀମାଭୁକ୍ତ ହୋଇଥିବା କ୍ଷତିଗ୍ରସ୍ତ ଚାଷୀ ମାନଙ୍କର ଦାବୀ ଯେପରି ସମାଧାନ ହୋଇପାରିବ, ସେଥିପାଇଁ ଫସଲ କଟା ରିପୋର୍ଟ ତ୍ବରାନ୍ବିତ ଭାବରେ ପ୍ରସ୍ତତ କରିବା ପାଇଁ ପଦକ୍ଷେପ ନିଆଯିବ

ବାତ୍ୟାରେ କ୍ଷତିଗ୍ରସ୍ତ ମତ୍ସ୍ୟ ଚାଷୀଙ୍କୁ ସେମାନଙ୍କର ଆଂଶିକ ଭାବରେ ଭାଙ୍ଗିଥିବା ଡଙ୍ଗାର ମରାମତି ପାଇଁ ୪୧୦୦ ଟଙ୍କା, ଆଂଶିକ ଭାବରେ କ୍ଷତିଗ୍ରସ୍ତ ମାଛଧରା ଜାଲ ମରାମତି ପାଇଁ ୨୧୦୦ ଟଙ୍କା, ପୁରା ଭାଙ୍ଗିଯାଇଥିବା ଡଙ୍ଗା ନିର୍ମାଣ ପାଇଁ ୯୬୦୦ ଟଙ୍କା ଏବଂ ପୁରା ନଷ୍ଟ ହୋଇଯାଇଥିବା ମାଛଧରା ଜାଲ କ୍ଷେତ୍ରରେ ୨୬୦୦ ଟଙ୍କା ସହାୟତା ପ୍ରଦାନ କରାଯିବ । ବାତ୍ୟାରେ ପଟୁ ମାଟି ମାଡି ଯାଇଥିବା ମାଛ ଚାଷ ଫାର୍ମ/ ମାଛ ବିହନ ଫାର୍ମର ପୁନରୁଦ୍ଧାର ପାଇଁ ହେକ୍ଟର ପିଛା ୧୨,୨୦୦ ଟଙ୍କା ଏବଂ କ୍ଷତିଗ୍ରସ୍ତ ମାଛ ବିହନ ଫାର୍ମ ପାଇଁ ହେକ୍ଟର ପିଛା ୮୨୦୦ ଟଙ୍କା ଇନ୍‌ପୁଟ ସବ୍‌ସିଡି ଭାବରେ ଯୋଗାଇ ଦିଆଯିବ ।

ଏହା ବ୍ୟତୀତ ବାତ୍ୟାରେ ମଧ୍ୟ ଅନେକ ହସ୍ତତନ୍ତ ଓ ହସ୍ତଶିଳ୍ପ କାରିଗର କ୍ଷତିଗ୍ରସ୍ତ ହୋଇଛନ୍ତି । ତେଣୁ କ୍ଷତିଗ୍ରସ୍ତ କାରିଗର ମାନଙ୍କୁ ସେମାନଙ୍କର ଉପକରଣ ପାଇଁ ୪୧୦୦ଟଙ୍କା ଏବଂ ନଷ୍ଟ ହୋଇଥିବା କଂଚା ମାଲ ତଥା ତିଆରି ହୋଇଥିବା ଜିନିଷ ପାଇଁ ପ୍ରତି କାରିଗରଙ୍କୁ ୪୧୦୦ ଟଙ୍କା ପ୍ରଦାନ କରାଯିବ ।

କ୍ଷତିଗ୍ରସ୍ତ ଲୋକଙ୍କୁ ରୋଜଗାର ଯୋଗାଇବା ପାଇଁ MGNREGS ଯୋଜନାରେ ବ୍ୟାପକ ନିଯୁକ୍ତି ସୁଯୋଗ ସୃଷ୍ଟି କରାଯିବ ।କ୍ଷତିଗ୍ରସ୍ତ ଲୋକଙ୍କୁ ରୋଜଗାର ଯୋଗାଇବା ପାଇଁ MGNREGS ଯୋଜନାରେ ବ୍ୟାପକ ନିଯୁକ୍ତି ସୁଯୋଗ ସୃଷ୍ଟି କରାଯିବ । ।

Leave A Reply

Your email address will not be published.