Latest Odisha News

BREAKING NEWS

ତିନି ରଥର ଚକ କାର୍ଯ୍ୟ ସମ୍ପୁର୍ଣ୍ଣ

ପୁରୀ: ବିଶ୍ୱ ପ୍ରସିଦ୍ଧ ରଥ ଯାତ୍ରା ପାଇଁ ତିନି ରଥର ମୋଟ ୩୯ଟି ଚକ ସମ୍ପୁର୍ଣ୍ଣ ହୋଇଛି । ବୁଧବାର ସୁଦ୍ଧା ଜନ୍ତାଗାଡ଼ରେ ୩ ଟି ଚକର ସିଙ୍ଗଡ଼ା ବାଡ଼ିଆ କାର୍ଯ୍ୟ ଶେଷ କରିଛନ୍ତି ଭୋଇ ସେବାୟତ ମାନେ । ଏଥି ସହ ତିନି ରଥର ଚାରିନାହାକାର ନିର୍ମାଣ କାର୍ଯ୍ୟ ମଧ୍ୟ ଶେଷ ହୋଇଛି । ରଥର ଚାରି ନାହାକା ସରିବା ପରେ ମୁହାଁଟି ଅନୁକୂଳ ହୋଇଛି । ଏହି ମୁହାଁଟି ଦଣ୍ତାରେ ଲାଗିବ। ତିନି ରଥ ପାଇଁ ଦୁଇଟି ଲେଖାଁଏ ଗରଗରା ଚଉପଟ କାମ ଚାଲୁଅଛି ।

ନନ୍ଦିଘୋଷ ରଥର ୯ଗୋଟି ଦଣ୍ତା, ଦେବଦଳନ ରଥର ୭ଟି ଦଣ୍ତା ଓ ତାଳଧ୍ୱଜ ରଥର ୯ଟି ଦଣ୍ତା ମଧ୍ୟରୁ ୩ଟି ଲେଖାଁଏ ଦଣ୍ତାର ଚଉପଟ କାର୍ଯ୍ୟ ଶେଷ ହୋଇଛି । ଦଣ୍ତାରେ ସଂଯୋଗ ପାଇଁ ଦୁଇଟି ଲେଖାଁଏ ମୁହାଁଟରେ ପାଞ୍ଚ ବିନ୍ଧ ଖୋଦେଇ କାମ ଶେଷ ହୋଇଛି । ତେବେ ଅଖ ଉପରେ ଦଣ୍ତା ପଡ଼ି ଗରଗରା ରହିବା ପରେ ଗରଗରା ଉପରେ ରହିବ ଚାରିନାହାକା । ସେହିପରି ତିନିରଥର ୩୯ ଟି ଚକ କାର୍ଯ୍ୟ ଶେଷ ହୋଇଥିବା ବେଳେ ଭୋଇ ସେବାୟତ ମାନେ ବାକି ତିନୋଟି ଚକର ସିଙ୍ଗଡ଼ା ବାଡ଼ିଆ ସାରି ବିଶ୍ୱକର୍ମାଙ୍କୁ ଦେଇଛନ୍ତି ।

ଏହି ଦିନ ତିନିରଥର ଚାରିନାହାକା ମଧ୍ୟ ଉଠିବ। ରଥଖଳାରେ ରୂପକାର ସେବକ ତିନରଥର ଯୋକାରେ ସିଂହବରାଳ ମୂର୍ତ୍ତି ଖୋଦେଇ କରୁଛନ୍ତି । କମାରଶାଳରେ ଓଝା ସେବକମାନେ ଦଣ୍ତାରେ ଲାଗିବା ପାଇଁ ଅଗପାତଳି, ଚଉରସ କଣ୍ଟା ଓ ଗରଗରା ପାଇଁ ଗରଗରା କଣ୍ଟା ତିଆରି କରୁଛନ୍ତି ।ଏପଟେ ଆସନ୍ତା ଜୁନ ୨୪ ତାରିଖରେ ପିବତ୍ର ଦେବସ୍ନାନପୂର୍ଣ୍ଣିମା। ଏନେଇ ପୋଲିସ ପ୍ରଶାସନର ଦ୍ୱିତୀୟ ବୈଠକ ହୋଇଛି ।

ଦେବସ୍ନାନପୂର୍ଣ୍ଣିମାରେ ହେବ ତିନି ପର୍ଯ୍ୟାୟ ସୁରକ୍ଷା ବ୍ୟବସ୍ଥା। ବ୍ୟାରିକେଡ଼ିଂ ସହ ଜରୁରୀକାଳୀନ କାର୍ଯ୍ୟ ପାଇଁ ହେବ ସ୍ୱତନ୍ତ୍ର ଏସଓପି । ତେଣୁ ସୁରକ୍ଷା ବ୍ୟବସ୍ଥା ସହ କୋଭିଡ଼ କଟକଣାରେ ମହାପ୍ରଭୁଙ୍କ ନୀତିକାନ୍ତି ସୁରୁଖୁରୁରେ ସମ୍ପନ୍ନ କରିବା ପାଇଁ ପ୍ରଶାସନ ପକ୍ଷରୁ ସମସ୍ତ ବ୍ୟବସ୍ଥା ଗ୍ରହଣ କରାଯାଉଥିବା କହିଛନ୍ତି ଏସପି ।

Leave A Reply

Your email address will not be published.