Latest Odisha News

BREAKING NEWS

କଅଁଳ ମନ ହେଲେ ମୁଣ୍ଡ ଉପରେ ପାହାଡର ବୋଝ; ତଥାପି ହସି ହସି ରୋଗୀଣା ବାପାଙ୍କ ସେବା କରୁଛି କୁନି ପୁଅ

ବରଗଡ:କଅଁଳ ମନ  । ହେଲେ ମୁଣ୍ଡ ଉପରେ ପାହାଡ ପରି ବୋଝ । ତଥାପି ତା ମନରେ ଦୁଃଖ ନାହିଁ । ଏ ବୋଝ ମୁଣ୍ଡେଇ ଭାଙ୍ଗି ପଡିନି । ତା ପାଇଁ ମା’ର ପଣତ ନାହିଁ ଝାଳ ପୋଛି ଦେବାକୁ । ବାପାର ଆଶ୍ରୟ ତଳେ ଜିଇଁଥିଲା ଯେ ଭାଗ୍ୟ ସହି ପାରିଲାନି । ରାେଗଶଯ୍ୟାରେ ବାପା ଏବେ କୁନି ପୁଅର ଆଶ୍ରାରେ । ସେ କିନ୍ତୁ କିଛି ଭାବେନି । ତାର ଗୋଟିଏ ଚିନ୍ତା ବାପାଙ୍କୁ ଭଲ କରିବ…ପାଠ ପଢିବ । ଏ ହେଉଛି ୧୨ ବର୍ଷର କୁନି ପୁଅ ସ୍ୱାଗତର ସଂଘର୍ଷର କାହାଣୀ ।

ବରଗଡ ଜିଲ୍ଲା ନାଗେନପାଳି ଗ୍ରାମର   ବିକାଶ ବିଶ୍ଵାଳ  । ମାତ୍ର ୪୭ ବର୍ଷ ବୟସରେ ରୋଗଶଯ୍ୟାରେ । ଡାଇବେଟସ ବଢିଯିବାରୁ ଗୋଡଣେ ଘା ହୋଇ ଉଠି ପାରୁନାହାନ୍ତି ।ପତ୍ନୀ ରୋଗରେ ପଡି ଆରପାରିରେ । ୧୨ ବର୍ଷର ପୁଅକୁ  ସ୍ୱାଗତକୁ ମଣିଷ କରିବେ କ’ଣ, ନିଜେ ଏବେ ରୋଗଶଯ୍ୟାରେ । ୭ମ ଶ୍ରେଣୀରେ ପଢେ ସ୍ୱାଗତ । ପଢିବାର ଦୁର୍ବାର ଇଚ୍ଛା ପାଖରେ ଯେମିତି ହାର ମାନିଛି ସବୁ ପ୍ରତିବନ୍ଧକ ।

ସେ ସ୍କୁଲ ଯାଏ । ପାଠ ପଢେ । ବାପାଙ୍କର ସେବା କରେ । ସବୁଠାରୁ ବଡ କଥା ହେଲା ରୋଜଗାରର କୌଣସି ମାଧ୍ୟମ ନ ଥିବାବେଳେ ମାଗିଯାଚି ବାପାଙ୍କ ଚିକିତ୍ସା ଖର୍ଚ୍ଚ ତୁଲାଏ । ଏତେ ସମସ୍ୟା ଭିତରେ ବି ଭାଙ୍ଗିପଡିନି ସ୍ୱାଗତ । ହସି ହସି ସବୁ କାମ କରୁଛି । ସ୍ପଷ୍ଟ ଆଉ ଦୃଢତାର ସହ କହୁଛି, ମୋ ବାପା ଭଲ ହୋଇଗଲେ ମୁଁ ଭଲ ଭାବେ ପଢିବି ।

ବାପା-ପୁଅ ରହୁଛନ୍ତି ଏକ ଛୋଟିଆ ଘରେ । ନାଁ ଅଛି ଇଲେକ୍ଟ୍ରି ନାଁ ଘରେ ଅଛି ଖାଇବାକୁ ମୁଠେ  । ଏପରିକି ଘରେ  ଗୋଟେ ବାସନ କୁସନ ବି ନାହିଁ । ଯାହା କିଛି ଥିଲା ସବୁ ବିକି ଭାଙ୍ଗି ଚିକିତ୍ସା ପାଇଁ ଖର୍ଚ୍ଚ ହୋଇଯାଇଛି । 2015 ମସିହାରେ ବିକାଶ ଙ୍କ ସ୍ତ୍ରୀ କ୍ୟାନ୍ସର ରୋଗରେ ଆକ୍ରାନ୍ତ ହେଲେ | ଘରେ ଯାହା କିଛି ଥିଲା ସ୍ତ୍ରୀଙ୍କ ଚିକିତ୍ସା ପାଇଁ ସବୁ କିଛି ସାରିଦେଲେ, କିନ୍ତୁ ନିଜ ସ୍ତ୍ରୀ ଙ୍କୁ ବଞ୍ଚାଇ ପାରିନଥିଲେ | ସ୍ତ୍ରୀ ଙ୍କ ଯିବା ପରେ ଏକ ମାତ୍ର କୁନି ପୁଅ ସ୍ଵାଗତ ବିଶ୍ଵାଳକୁ ପାଠ ପଢାଇବାକୁ ମଧ୍ୟ ଅକ୍ଷମ ହୋଇପଡିଥିଲେ ବାପା ବିକାଶ  । ତେବେ ପୁଅର ଭବିଷ୍ୟତ ପାଇଁ  ମାମୁ ଘରକୁ ପଠେଇଦେଇଥିଲେ ଓ ସେଠାରେ ପୁଅ ସ୍ଵାଗତ ସପ୍ତମ ଶ୍ରେଣୀ ପର୍ଯ୍ୟନ୍ତ ପାଠ ପଢିଲା  ।

ମାତ୍ର  ବିକାଶଙ୍କ ମଧୁମେହ ରୋଗ କାରଣରୁ ଦୁଇ ଗୋଡରେ ଘାଆ ହୋଇ  ବସ୍ଥା ସାଂଘାତିକ ହୋଇପଡିଲା  । ଡାକ୍ତର ଉଭୟ ଗୋଡ଼କୁ କାଟିବାକୁ ପଡିବ ବୋଲି ପରାମର୍ଶ ଦେଇଛନ୍ତି ।  ଏପରି ପରିସ୍ଥିତିରେ ବିକାଶ ଙ୍କର ସାହା ଭରସା ଆଉ କେହି ନାହାନ୍ତି | ବିକାଶ ଙ୍କର ଅବସ୍ଥା ଅତି ସାଂଘାତିକ ହେବାରୁ ଶେଷରେ ସପ୍ତମ ଶ୍ରେଣୀରେ ପାଠ ପଡୁଥିବା ପୁଅ ସ୍ଵାଗତ ପାଠପଢା ଛାଡି ମାମୁ ଘରୁ ଫେରି ଆସି ନିଜ ବାପାଙ୍କ ଯତ୍ନ ନେଉଛି ।

ସକାଳୁ ବାପାଙ୍କ ନିତ୍ୟକର୍ମ ଠାରୁ ଆରମ୍ଭ କରି ରାତ୍ରିରେ ଶୋଇବା ପର୍ଯ୍ୟନ୍ତ ବାପାଙ୍କ ସମସ୍ତ ସେବା ପ୍ରତିଦିନ ଶ୍ରଦ୍ଧାର ସହିତ କରିଥାନ୍ତି ପୁଅ ସ୍ଵାଗତ  । ଘରେ ପାଞ୍ଚ ଟଙ୍କା ମଧ୍ୟ ନଥିବା ସତ୍ବେ ବାପାଙ୍କ ପାଇଁ ଖାଦ୍ୟ ଏବଂ ଔଷଧ ଯୋଗାଡ କରିବାକୁ ଗାଁ ଲୋକଙ୍କ ଠାରୁ ପ୍ରତିଦିନ ହାତ ପାତିଥାନ୍ତି | ପୁଅ ସ୍ଵାଗତର ପାଠ ପଢିବାର ଖୁବ ଆଗ୍ରହ ରହିଥିବା ବେଳେ ସେ ବାପା ସୁସ୍ଥ ହେଲା ପରେ ପୁଣି ପାଠ ପଢିବେ ବୋଲି ଆଶା ରଖିଛନ୍ତି | ସପ୍ତମ ଶ୍ରେଣୀର କୁନି ସ୍ଵାଗତ ବିଶ୍ଵାଳ ନିଜ ଶଯ୍ୟାଶାୟୀ ବାପାଙ୍କ ପ୍ରତି ଯେଉଁ ଶ୍ରଦ୍ଧାରେ ସେବା ଓ ଯତ୍ନ ନେଉଛନ୍ତି ତାହା ବର୍ତମାନ ଯୁଗର ଯୁବପିଢୀଙ୍କ ପାଇଁ ନିଆରା ଉଦାହରଣ ସାଜିଛି |

ଏପରି ହୃଦୟ ବିଦାରକ ଘଟଣା ବିଷୟରେ ଖବର ପାଇ ସଂକଲ୍ପ ପରିବାର ଏହି ଗରିବ ପରିବାର ନିକଟକୁ ପହଞ୍ଚି ସାହାଯ୍ୟର ହାତ ବଢାଇଛି  । ଅନ୍ୟପଟେ ନାଗେନପାଳି ଗ୍ରାମବାସୀ ଜିଲ୍ଲା ପ୍ରଶାସନ ତଥା ରାଜ୍ୟ ସରକାରଙ୍କୁ ଏହି ଅସହାୟ ପରିବାରକୁ ସରକାରୀ ସହାୟତା ପ୍ରଦାନ ସହିତ ସ୍ଵତନ୍ତ୍ର ଚିକିତ୍ସା ପ୍ରଦାନ କରିବା ପାଇଁ ଅନୁରୋଧ କରିଛନ୍ତି  ।

Leave A Reply

Your email address will not be published.