Latest Odisha News

BREAKING NEWS

[ଭିଡିଓ] ବିଷାକ୍ତ ମଦ ପିଇ ଚାଲିଗଲା ଦୁଇଜଣଙ୍କ ଜୀବନ

ରାୟଗଡ଼ା: ବିଷାକ୍ତ ମଦ ସାଜିଲା କାଳ । ଚାଲିଗଲା ଦୁଇଜଣଙ୍କ ଜୀବନ । ଆଗକୁ ପଞ୍ଚାୟତ ନିର୍ବାଚନ ଆସିଥିବା ବେଳେ ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଲକରୁ ସାମ୍ନାକୁ ଆସିଛି ଏଭଳି ଅଭାବନୀୟ ଘଟଣା । ନିର୍ବାଚନ ସମୟରେ ମଦ ବଣ୍ଟା ହେବା କିଛି ବଡ଼ କଥା ନୁହେଁ । ହେଲେ ବିଷାକ୍ତ ମଦ ପିଇ ମୃତ୍ୟୁ ମାମଲା ସାରା ଓଡ଼ିଶାରେ ଆଲୋଡ଼ନ ସୃଷ୍ଟି କରିଛି । ବଢ଼ୁଛି ରାଜନୈତିକ ଉଷ୍ପତା, ବଢୁଛି ଅବାଧ ମଦ ବିକ୍ରି । ଗାଁ ସଭା ମେଳିରେ ଭୋଟ୍ ହାତେଇବା ପାଇଁ ନେତା ଦେଉଛନ୍ତ ପ୍ରତିଶ୍ରୁତି ପରେ ପ୍ରତିଶ୍ରୁତି । ମାଧ୍ୟମ ସାଜୁଛି ମାଗଣା ମଦ । ହେଲେ ଏହି ମାଗଣା ମଦ ଯେ କେତେ ଭୟଙ୍କର ତାହା କାଶୀପୁର ବ୍ଲକ ରେଙ୍ଗା ଗ୍ରାମରେ ଦେଖିବାକୁ ମିଳିଛି ।

ଗତକାଲି ବିଳମ୍ବିତ ରାତିରେ ରେଙ୍ଗା ଗ୍ରାମର ବିଶୁ ଝୋଡିଆ ଓ ଧନେଶ୍ୱର ଝୋଡିଆ ନାମକ ଦୁଇଜଣ ବ୍ୟକ୍ତିଙ୍କ ମଦ ପିଇ ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି । ସନ୍ଧ୍ୟାରେ ଉଭୟେ ମଦ ପିଇ ଘରକୁ ଫେରିବା ପରେ ବିଳମ୍ବିତ ରାତିରେ ସେମାନଙ୍କର ମୃତ୍ୟୁ ଘଟିଥିଲା । ପରିବାର ଲୋକଙ୍କ ଠାରୁ ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ତେବେ ଚକିତକର ଘଟଣା ହେଉଛି ଏନେଇ ପ୍ରଶାସନ ନିକଟରେ କୌଣସି ସୂଚନା ନାହିଁ ।

ନିର୍ବାଚନ ମୌସୁମରେ ମଦ ରାଜନୀତି ସବୁଠୁ ବଳିଷ୍ଠ ପ୍ରଚାର । ଏଥିପାଇଁ ନକଲି ମଦ କାରବାର ମଧ୍ୟ ଅହେତୁକ ଭାବେ ବୃଦ୍ଧି ପାଇଥାଏ । ଯେଉଁଠି ଭୋଟ୍ ପାଇଁ ନେତାମାନେ ମଦକୁ ଚାରା ଭାବେ ବ୍ୟବହାର କରୁଛନ୍ତି ସେଠି ନିର୍ବାଚନ ଆୟୋଗ ଓ ସ୍ଥାନୀୟ ପ୍ରଶାସନ ଏଦିଗରେ ତଦନ୍ତ କରି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଜରୁରୀ ହୋଇ ପଡ଼ିଛି ।

Comments are closed.