ମହାପ୍ରଭୁ ଶ୍ରୀଜଗନ୍ନାଥ – ଏ ହେଉଛନ୍ତି ସେହି ଦାରୁବ୍ରହ୍ମରୂପୀ ପରଂବ୍ରହ୍ମ ଶ୍ରୀଜଗନ୍ନାଥ ମହାପ୍ରଭୁ । ସେ ଅଲୌକିକତା ଓ ଅପୂର୍ବ ଲୀଳା କାରନାମା ସହିତ ଭକ୍ତଜନଙ୍କ ହୃଦୟ କନ୍ଦରରେ ଅବସ୍ଥାନ କରିଥାଆନ୍ତି । ବଡ଼ଭାଇ ଶ୍ରୀବଳଭଦ୍ର, ସୁନାଭଉଣୀ ଦେବୀ ସୁଭଦ୍ରା ଓ ଆୟୁଧ ଚକ୍ରରାଜ ଶ୍ରୀସୁଦର୍ଶନଙ୍କ ସହିତ ରତ୍ନସିଂହାସନରେ ବସି ସାଧୁ, ସନ୍ଥ, ଓ ତାଙ୍କର ଅଗଣିତ ଭକ୍ତବୃନ୍ଦଙ୍କୁ କୃପାଦୃଷ୍ଟିରେ ଅହରହ ନଜର ରଖିଥାଆନ୍ତି । ଏ ସେହି ଦାରୁବ୍ରହ୍ମ ଯାହାଙ୍କର ହାତ ନ’ଥାଇ ମହାବାହୁ, କର୍ଣ୍ଟ ନ’ଥାଇ ବିତଶ୍ରବା, ଅପଲକ ନୟନରେ ସର୍ବଦ୍ରଷ୍ଟା ଓ ପୁଣି ପାଦ ନ’ଥାଇ ମଧ୍ୟ ନିମିଷକ ମଧ୍ୟରେ କ୍ଷୀପ୍ରବେଗରେ ଭକ୍ତକୁ ଉଦ୍ଧାର କରିଥାଆନ୍ତି । ଏ ହେଉଛନ୍ତି ସେହି ଭଗବାନ ଯିଏକି ଭକ୍ତଜନଙ୍କ ମନକଥା ଜାଣି ଅନ୍ତର୍ଯ୍ୟାମୀ ତ ପୁଣି ଶ୍ରଦ୍ଧାଳୁଙ୍କ ଭାବରାଜ୍ୟରେ ବିଚରଣ କରି ଭାବଗ୍ରାହୀ । ମୀରାବାଈଙ୍କ ପ୍ରେମ ଭକ୍ତିରେ ଶ୍ରୀକୃଷ୍ଣଙ୍କ ହୃଦୟ ଦୋହଲି ଯାଇଛି ତ ସେହିପରି ତାଙ୍କର ଏକାନ୍ତ ଭକ୍ତ ରାଜକୁମାରୀ ରାଜଜେମା ବିଷ୍ଣୁପ୍ରିୟାଙ୍କ ଶାଶ୍ୱତ ପ୍ରେମ ଓ ଭକ୍ତିକୁ ସ୍ୱୀକାର କରିଛନ୍ତି ମହାପ୍ରଭୁ ଶ୍ରୀଜଗନ୍ନାଥ । ତେଣୁ ମହାପ୍ରଭୁ ଶ୍ରୀଜଗନ୍ନାଥ ତାଙ୍କର ଭକ୍ତମାନଙ୍କଠାରୁ କେବଳ ସ୍ୱଚ୍ଛ ମନର ପ୍ରେମଭରା ଭକ୍ତି ଟିକକ ଚାହିଁଥାଆନ୍ତି ।
ସୂଦୁର ଜୟପୁର ମହାରାଜା ଜୟସିଂହଙ୍କ କନ୍ୟା ହେଲେ ରାଜଜେମା ବିଷ୍ଣୁପ୍ରିୟା । ଭଗବାନଙ୍କୁ ବିଶ୍ୱାସର ସହିତ ଆରାଧନା କରିବାରେ କେବେବି ଅବହେଳା କରନ୍ତିନାହିଁ ରାଜା, ରାଣୀ ଓ ବାଳିକା ବିଷ୍ଣୁପ୍ରିୟା । ରାଜା-ରାଣୀଙ୍କ ଏକମାତ୍ର କନ୍ୟା ବିଷ୍ଣୁପ୍ରିୟା ମଧ୍ୟ ପିଲାଟି ବେଳୁ ଶ୍ରୀକୃଷ୍ଣଙ୍କୁ ଖୁବ୍ ଭକ୍ତି କରନ୍ତି । ରାଜା ଜୟସିଂହ ପୁରୀ ଶ୍ରୀକ୍ଷେତ୍ରଧାମର ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ଜଣେ ପରମ ଭକ୍ତ ଥିଲେ । ରାଜକୁମାରୀ ବିଷ୍ଣୁପ୍ରିୟା ମଧ୍ୟ ଶ୍ରୀଜଗନ୍ନାଥଙ୍କ ବିଭିନ୍ନ ଅଲୌକିକତା ତଥା ଅନେକ ଆଧ୍ୟାତ୍ମିକ ଅନୁଭୂତି ସମ୍ପର୍କରେ ଶୁଣି ନିଜ ମନ ଓ ପ୍ରାଣକୁ ମହାପ୍ରଭୁଙ୍କଠାରେ ଅର୍ପଣ କରିଦେଇଥିଲେ । ରାଜଜେମା ବିଷ୍ଣୁପ୍ରିୟାଙ୍କ ପ୍ରତ୍ୟେକ ମୂହୁର୍ତ୍ତ କେବଳ ଶ୍ରୀଜଗନ୍ନାଥଙ୍କ ଚିନ୍ତା ଓ ଚେତନାରେ କଟିଯାଉଥିଲା । ଏକଦା ପୁରୀ ଶ୍ରୀମନ୍ଦିରରୁ ଜନୈକ ସେବକ ରାଜନବରରେ ପହଞ୍ଚିଲେ । ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଅମୃତସମ ମହାପ୍ରସାଦ ସେବନ କରି ନିଜକୁ ଧନ୍ୟ ମନେ କଲେ ରାଜା, ରାଣୀ ଓ ରାଜକୁମାରୀ ବିଷ୍ଣୁପ୍ରିୟା । ରାଜା ଓ ରାଣୀ ପୁରୀ ସେବକଙ୍କୁ ଯଥେଷ୍ଟ ମାତ୍ରାରେ ସ୍ୱର୍ଣ୍ଣାଳଙ୍କାର ଭେଟି ଦେଇ ପ୍ରଣାମୀ ପ୍ରଦାନ କଲେ । ମାତ୍ର ରାଜକୁମାରୀ ବିଷ୍ଣୁପ୍ରିୟା ସେବକଙ୍କୁ ଏକ ଜଉମୁଦା ଚିଠିଟିଏ ଧରାଇ ଦେଲେ । ଏହି ଜଉମୁଦା ଚିଠିଟିରେ ଶ୍ରୀଜଗନ୍ନାଥଙ୍କ ଉଦ୍ଦେଶ୍ୟରେ ବାଳିକା ବିଷ୍ଣୁପ୍ରିୟା ନିଜର ମନକଥା ଲେଖି ସେବକୁ ଧରାଇ ଦେଇଥିଲେ ।
ଏହି ଚିଠିଟିର ଠିକଣାରେ ଲେଖାଯାଇଥିଲା – ଶ୍ରୀଶ୍ରୀ ଜଗନ୍ନାଥ ମହାପ୍ରଭୁ, ଶ୍ରୀକ୍ଷେତ୍ର, ପୁରୀ । ପଣ୍ଡା ସେବକଙ୍କୁ ପାରିଶ୍ରମିକ ହିସାବରେ ୧୦ଟି ସ୍ୱର୍ଣ୍ଣମୁଦ୍ରା ଦେଇଥିଲେ ରାଜକୁମାରୀ । ପଣ୍ଡା ଜଣକ ଚିଠିଟି ରାଜକୁମାରୀଙ୍କଠୁଁ ନେଇ ସେଠାରୁ ବିଦାୟ ନେଇ ଆସିଲେ । ଚିଠିର ଲଫାଫା ଭିତରେ ବୋଧେ ମୂଲ୍ୟବାନ କିଛି ଅଳଙ୍କାର ରହିଥିବ ଭାବି ଲୋଭୀ ପଣ୍ଡାଜଣକ ଚିଠିଟିକୁ ବାଟରେ ଚିରିଦେଲେ । କିନ୍ତୁ ସେବକ ଜଣକ ଚିଠିଟି ଚିରି ଭିତରେ କୌଣସି ଅଳଙ୍କାର ପାଇନ’ଥିଲେ ବରଂ ସେଥିରେ କିଛି ଶ୍ରୀଜଗନ୍ନାଥଙ୍କ ଉଦ୍ଦେଶ୍ୟରେ ଲେଖାଥିଲା । ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ଉଦ୍ଦେଶ୍ୟରେ ରାଜକୁମାରୀ ଲେଖିଥିବା ଚିଠିକୁ ପଢିଲେ ପଣ୍ଡା ଜଣକ । ସେଥିରେ ରାଜକୁମାରୀ ବିଷ୍ଣୁପ୍ରିୟା ସଂସ୍କୃତରେ ଲେଖିଥିଲେ, “ହେ ପୁରୁଷୋତ୍ତମ ! ରତ୍ନାକର, ସାଗର ଆପଣଙ୍କର ଗୃହ ଓ ସାରା ବ୍ରହ୍ମାଣ୍ଡର ଅନ୍ନଦାତ୍ରୀ ଜଗଜ୍ଜନନୀ ଶ୍ରୀମହାଲକ୍ଷ୍ମୀ ଆପଣଙ୍କ ଗୃହିଣୀ । ଆପଣଙ୍କର କି ଅଭାବ ଅଛି ଯେ, ଏ ଦୀନ ହୀନ ଆପଣଙ୍କୁ କ’ଣ ବା ଦାନ କରିବ ! ଆପଣ ଦ୍ୱାପର ଯୁଗରେ ଗୋପାଳ ଓ ଗୋପାଙ୍ଗନାଙ୍କ ମନ ଓ ପ୍ରାଣକୁ ଅପହରଣ କରି ନେଇଯାଇଥିଲେ । ତେଣୁ ଏ ଦୀନ ହୀନ ଆପଣଙ୍କ ନିକଟରେ ତା’ର ମନ ଓ ପ୍ରାଣକୁ ଅର୍ପଣ କରୁଛି । ଆପଣ ମହାପ୍ରଭୁ ଦୟାକରି ତାହାକୁ ଗ୍ରହଣ କରନ୍ତୁ ।”
ଚିଠିଟି ପଢିସାରି ପଣ୍ଡା ସେବକ ତାତ୍ସଲ୍ୟରେ ହସି ହସି ଚିଠିଟିକୁ ଫୋପାଡ଼ି ଦେଲେ । ପଣ୍ଡା ସେବକ ମହାପ୍ରଭୁଙ୍କର ଦୈନିକ ସେବା ଅର୍ଚ୍ଚନା କରି ମଧ୍ୟ ଟିକେ ବି ଜାଣିପାରିଲେନି ଯେ, ମହାପ୍ରଭୁଙ୍କର ହସ୍ତ, ପାଦ, କର୍ଣ୍ଣ ଓ ଚକ୍ଷୁ ମାଧ୍ୟମରେ ଜଗତର ସବୁକିଛି ଜାଣିପାରନ୍ତି, ଦେଖିପାରନ୍ତି ଓ ଶୁଣିପାରନ୍ତି ବୋଲି । ମହାବାକୁ ତାଙ୍କର ହସ୍ତରେ ଅସାଧ୍ୟ ସାଧନ କରିଥାଆନ୍ତି ବୋଲି । ସେ ସେହି ଚିଠିଟିକୁ ଅଦୃଶ୍ୟରେ ଆଣି ଦୟାଣ ମାଳ ମଝିରେ କଣ୍ଠସ୍ଥଳୀରେ ପିନ୍ଧିଲେ ।
ମହାପ୍ରଭୁ ଶ୍ରୀଜଗନ୍ନାଥ ସମସ୍ତ ଭକ୍ତଙ୍କର ଭକ୍ତି, ପ୍ରେମ ଓ ଯତ୍ନକୁ ଯଥେଷ୍ଟ ସମ୍ମାନ ଦେଇଥାଆନ୍ତି । ପଣ୍ଡା ଜଣକ ସେହିଦିନ ରାତିରେ ସ୍ୱପ୍ନ ଦେଖିଲେ । ଶ୍ରୀଜଗନ୍ନାଥ ତାଙ୍କୁ କହୁଛନ୍ତି, “ତୋର ଯାହା କିଛି ପ୍ରାପ୍ୟ, ତୁ’ତ ନେଲୁ । ମାତ୍ର ମୋର ଧନକୁ ମୋତେ ଦେଲୁ ନାହିଁ କାହିଁକି? ବିଷ୍ଣୁପ୍ରିୟା ମୋର ପରମ ଭକ୍ତ, ସେ ଶ୍ରଦ୍ଧାରେ ପ୍ରେମରେ ଭକ୍ତିରେ ଦେଇଥିବା ଚିଠିଟିକୁ ମୋତେ ଦେଲୁନାହିଁ କାହିଁକି? ତାହା ସାମାନ୍ୟ କାଗଜ ନୁହେଁ, ମୋ ଲାଗି ତାହା ହୀରା, ମୋତି ଓ ମାଣିକ୍ୟଠୁ ବି ଅଧିକ ମୂଲ୍ୟବାନ । ତୁ କାଲି ସକାଳେ ଆସି ଦେଖିବୁ, ମୁଁ ସେହି ଚିଠିଖଣ୍ଡକୁ କେମିତି ମୋ ହୃଦୟର ମାଳି କରି ପିନ୍ଧିଛି ।”
ସ୍ୱପ୍ନ ଦେଖି ପଣ୍ଡା ସେବକଙ୍କ ନିଦ ଭାଙ୍ଗିଗଲା । ସକାଳୁ ସହଳ ମନ୍ଦିର ଯାଇ ରତ୍ନସିଂହାସନ ଉପରେ ଶ୍ରୀଜଗନ୍ନାଥଙ୍କୁ ଦେଖନ୍ତେ, ସତକଥା ତ! ସ୍ୱପ୍ନ ଅନୁଯାୟୀ ଦୟାଣ ମାଳ ମଝିରେ ସେହି ଚିଠିଟି ରହିଛି । ତତକ୍ଷଣାତ୍ ନିଜର ଭୁଲ୍ ବୁଝିପାରି ସେବକ ଜଣକ ସେଇଠି କଇଁକଇଁ ହୋଇ କାନ୍ଦିଉଠିଲେ । ନିଜର ଭୂଲକୁ ସ୍ୱୀକାର କରିବା ସହିତ ମହାପ୍ରଭୁଙ୍କୁ ସେହିଠାରେ କ୍ଷମା ମାଗିଲେ ।
ଏବେ ମଧ୍ୟ ରାଜକୁମାରୀଙ୍କ ସେହି ସଂସ୍କୃତ ଭାଷାରେ ଲିଖିତ ଚିଠିଟି ରହିଛି । ଏହି ନୀଳାଚଳଧାମ ଶ୍ରୀକ୍ଷେତ୍ର ପୁରୀରେ ଭକ୍ତଜନଙ୍କ ପ୍ରେମ ଓ ଭକ୍ତିର ଅନେକ ଉଦାହରଣ ଓ ଦୃଷ୍ଟାନ୍ତ ରହିଛି । ଭକ୍ତର ଅନାବିଳ ପ୍ରେମ ଓ ସ୍ୱଚ୍ଛ ହୃଦୟର ଭକ୍ତିରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ହୃଦୟ କନ୍ଦର ଦୋହଲି ଉଠିଥାଏ ।
Comments are closed.