Latest Odisha News

BREAKING NEWS

ଆମେରିକାରେ ପାଳିତ ହେଲା ରଥଯାତ୍ରା, ‘ହରିବୋଲ୍’ ଧ୍ୱନୀରେ କମ୍ପିଲା ଚିକାଗୋ…

ଚିକାଗୋ: ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପବିତ୍ର ରଥଯାତ୍ରା ସୁଦୂର ଆମେରିକାର ଚିକାଗୋ ସହରରେ ପାଳିତ ହୋଇଯାଇଛି । ଚିକାଗୋ ସହରରେ ବସବାସ କରୁଥିବା ପ୍ରବାସୀ ଓଡ଼ିଆ ମାନଙ୍କ ଦ୍ୱାରା ସ୍ଥାପିତ ‘ଶ୍ରୀ ଜଗନ୍ନାଥ ସୋସାଇଟି ଅଫ ଗ୍ରେଟର୍ ଚିକାଗୋ’ ଆନୁକୂଲ୍ୟରେ ମହାପ୍ରଭୁଙ୍କ ଘୋଷଯାତ୍ରା ସମେତ, ବାହୁଡ଼ାଯାତ୍ରା ଏବଂ ସୁନାବେଶ ପାରମ୍ପରିକ ରୀତିନୀତିରେ ଅନୁଷ୍ଠିତ ହୋଇଛି ।

ଗ୍ରେଟର୍ ଚିକାଗୋସ୍ଥିତ ଶ୍ରୀଜଗନ୍ନାଥ ମୂଖ୍ୟ ମନ୍ଦିରରେ ଅନୁଷ୍ଠିତ ହୋଇଥିଲା ରଥଯାତ୍ରା । ସକାଳେ ମନ୍ଦିର ମଧ୍ୟରେ ସମସ୍ତ ନୀତିକାନ୍ତି ସମାପନ ପରେ ସୂର୍ଯ୍ୟପୂଜା, କଳସ ସ୍ଥାପନା, ଦ୍ୱାରପାଳ ପୂଜା, ନବଗ୍ରହ ପୂଜା ସହିତ ଷୋଡ଼ଶ ଉପଚାର ଅନୁଷ୍ଠିତ ହୋଇଥିଲା । ମହାପ୍ରଭୁ ଶ୍ରୀଜଗନ୍ନାଥ, ଶ୍ରୀବଳଭଦ୍ର, ଦେବୀ ସୁଭଦ୍ରା ଏବଂ ଚକ୍ରରାଜ ଶ୍ରୀସୁଦର୍ଶନଙ୍କର ନିକଟରେ ଭୋଗ ନୈବେଦ୍ୟ ଅର୍ପଣ କରିଥିଲେ ସେଠାରେ ଉପସ୍ଥିତ ଥିବା ସମସ୍ତ ପ୍ରବାସୀ ଓଡ଼ିଆ ।

‘ଶ୍ରୀ ଜଗନ୍ନାଥ ସୋସାଇଟି ଅଫ ଗ୍ରେଟର୍ ଚିକାଗୋ’ ତରଫରୁ ରଥଯାତ୍ରା ପାଳନ ସମ୍ପର୍କରେ ପୂର୍ବରୁ ଏକ ପ୍ରେସବିଜ୍ଞପ୍ତି ମଧ୍ୟ ପ୍ରକାଶିତ ହୋଇଥିଲା । ପ୍ରେସବିଜ୍ଞପ୍ତିରେ ଦିଆଯାଇଥିବା ସମୟ ନିର୍ଘଣ୍ଟ ଅନୁଯାୟୀ ରଥଯାତ୍ରାରେ ଶ୍ରୀଜୀଉମାନଙ୍କ ସମସ୍ତ ରୀତିନୀତି ପାଳିତ ହୋଇଥିଲା । ଧାଡ଼ିପହଣ୍ଡିରେ ଚତୁର୍ଦ୍ଧା ମୂରତୀଙ୍କୁ ମୁଖ୍ୟମନ୍ଦିରରୁ ନିଆଯାଇଥିଲା । ରଙ୍ଗବେରଙ୍ଗୀ ପଟୁଆରରେ ସୌନ୍ଦର୍ଯ୍ୟ ପରିପାଟିରେ ନିର୍ମିତ ବିରାଟ ରଥ ଉପରକୁ ବିଜେ କରାଯାଇଥିଲା । ସେଠାରେ ଉପସ୍ଥିତ ଥିବା ସମସ୍ତ ପ୍ରବାସୀ ଓଡ଼ିଆ ପରିବାର ଭଜନ କୀର୍ତ୍ତନ କରିବା ସହିତ ‘ଜୟ ଜଗନ୍ନାଥ’ ଧ୍ୱନୀ ଉଚ୍ଚାରଣ କରୁଥିଲେ, ସେଠାରେ କିଛି ସମୟ ଲାଗି ଏକ ଅପୂର୍ବ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିବାର ଲକ୍ଷ୍ୟ କରାଯାଇଥିଲା ।

ରଥ ଉପରେ ଚତୁର୍ଦ୍ଧା ମୂର୍ତ୍ତି ବିଜେ କଲା ପରେ ଆରମ୍ଭ ହେଲା ଛେରାପହଁରା । ପାରମ୍ପରିକ ରୀତିରେ ଛେରା ପହଁରା କରାଯାଇଥିଲା ।

କେବଳ ଚିକାଗୋ ସହରରୁ ନୁହେଁ ଆମେରିକାର ବିଭିନ୍ନ ରାଜ୍ୟରେ ରହିଥିବା ଶ୍ରୀଜଗନ୍ନାଥପ୍ରେମୀ ଓଡ଼ିଆମାନେ ସେଠାରେ ମହାପ୍ରଭୁଙ୍କ ରଥ ଟାଣୁଥିଲେ । ପ୍ରବାସୀ ଓଡ଼ିଆ ପରିବାରଙ୍କ ଦ୍ୱାରା ପାରମ୍ପରିକ ବାଦ୍ୟ ଘଣ୍ଟ, ମୃଦଙ୍ଗ, ଝାଞ୍ଜ, ଖରିତାଳ, ଶଙ୍ଖ ଏବଂ ତୁରୀ ବାଦନ କରାଯାଇଥିଲା । ଶ୍ରଦ୍ଧାଳୁମାନଙ୍କ ଭକ୍ତିଭାବ ପୂର୍ଣ୍ଣ ହୃଦୟରୁ ସ୍ୱତଃପ୍ରବୃତ ଭାବେ ନିସୃତ ହେଉଥିଲା ‘ହରିବୋଲ’ ଓ ‘ଜୟ ଜଗନ୍ନାଥ’ ଧ୍ୱନୀ । ହରିବୋଲ ଧ୍ୱନୀରେ ଗଡ଼ି ଚାଲିଲା ରଥ । ରଥଟଣା ସମୟରେ ଠାକୁରମାନଙ୍କୁ ଭକ୍ତିର ସହିତ ପିଠା-ପଣା ଅର୍ପଣ କରାଯାଉଥିଲା । ମାଉସୀମା ମନ୍ଦିରରେ ପହଞ୍ଚିବା ପରେ ଠାକୁରମାନଙ୍କୁ ସନ୍ଧ୍ୟାଦୀପ ଅର୍ପଣ କରାଯାଇ ଭୋଗ ଲାଗି କରାଯାଇଥିଲା ।

ବାହୁଡ଼ାଦିନ ବାହୁଡ଼ାଯାତ୍ରା ହେବାସହିତ ଠାକୁରମାନଙ୍କ ସୁନାବେଶ ମଧ୍ୟ ଅନୁଷ୍ଠିତ ହୋଇଥିଲା ।

‘ଶ୍ରୀ ଜଗନ୍ନାଥ ସୋସାଇଟି ଅଫ ଗ୍ରେଟର୍ ଚିକାଗୋ’ର ସମସ୍ତ ବୋର୍ଡ଼ ସଦସ୍ୟଙ୍କ ସମେତ ବରିଷ୍ଠ କର୍ମକର୍ତ୍ତା ପ୍ରଦୀପ ନାୟକ ଏବଂ ନୀଲ୍ ନନ୍ଦ ସମସ୍ତ ଦାୟିତ୍ୱ ବହନ କରିଥିଲେ । ଚିକାଗୋର ଅନେକ ଓଡ଼ିଆ ଉତ୍ସାହୀ ଯୁବକମାନେ ସେଠାରେ ସ୍ୱେଚ୍ଛାସେବୀ ଭାବେ ନିଜର କର୍ତ୍ତବ୍ୟ ପାଳନ କରିଥିଲେ ।  ଅରୋରା ସିଟିର ଆଲ୍ଡରମ୍ୟାନ ସମ୍ମାନୀତ ଅତିଥି ରୂପେ ଏହି ରଥଯାତ୍ରା ଉତ୍ସବରେ ଯୋଗଦାନ କରିଥିଲେ ।

Leave A Reply

Your email address will not be published.