Latest Odisha News

ଫେରିଯାଉଥିବା ଢେଉସବୁ

ଫେରିଯାଉଥିବା ଢେଉସବୁ

ସୁଷମା ଦାଶ

ମୁଁ ଜାଣିଥିଲି ଦିନେ ନା ଦିନେ ଏମିତି ହେବ ବୋଲି। ସବୁବେଳେ ଶାମୁକା ଯେ ସ୍ୱାତି ନକ୍ଷତ୍ରରେ ପୂର୍ଣ୍ଣଗର୍ଭା ହେବ, ଏ କଥାର ମାନେ ନାହିଁ। ଆକାଶର ସବୁ ମେଘ ଯେ ବରଷା ହୋଇ ମାଟିକୁ ଛୁଇଁବ କିଏ କହିବ ସେ କଥା ! ସବୁ ଫୁଲ କଣ ଫଳ ହୋଇ ପାରନ୍ତି ? ସବୁ ଫୁଲ ଉପରେ ଭଅଁର କଣ ଉଡ଼ିବୁଲେ ? ସବୁ ଆଶା କଣ ପୂରଣ ହୁଏ? ସବୁ ସ୍ୱପ୍ନ କଣ ସତ ହୁଏ ?

ନା କିଛି ସ୍ୱପ୍ନ ଅଧୁରା ବି ରହିଯାଏ। ନିଜ ନିୟତିକୁ, ନିଜ ଭାଗ୍ୟକୁ ଆଦରି!!

ଠିକ ସେଇମିତି ମୁଁ। ଏଇ ଦେଖୁନ ମୋ ଭିତରେ ଅୟୁତ ଯୁଗର ତୃଷ୍ଣା। କେତେ ପିଆସି ମୁଁ, ଅଥଚ ଏଇ ମୋ କେତେ ପାଖରେ ତୁମେ ! ତୁମକୁ ଦେଖି ପାରୁଛି ,ଶୁଣି ପାରୁଛି – ଅଥଚ ଛୁଇଁ ପାରୁନେ ଆମେ ଦୁହେଁ କେହି କାହାକୁ।

ହଁ କେବେ ସେ ଆକାଶରେ ସଂବର୍ତକ ନକ୍ଷତ୍ରଟି ଆସିବ, ଯିଏ ଯୋଡି ଦେବ ଶୁଭ ଲଗ୍ନଟିଏ। ଭୀଷଣ ଧାରାରେ ବର୍ଷା ବର୍ଷିବ। ଆଉ ମୁଁ ଧୋଇହୋଇ କିଛିଟା ଚାଲିଯିବି ହଜାଇ ଦେବାକୁ ତୁମ ଭିତରକୁ। ଆଃ…ସେଇ ଅତଳ ଗହ୍ୱରକୁ। ତୁମକୁ ଟିକେ ଛୁଇଁବି।

ଜାଣିଛ ତୁମର ସେଇ ନୀଳ ରଙ୍ଗଟା ମୋର ଭାରି ପସନ୍ଦ। ଆକାଶ ଆଉ ତୁମେ କାହିଁକି କେଜାଣି ଏକା ପରିକା ଲାଗ ମୋ ନଜରରେ। ସେଇ ନୀଳ, ନୀଳ ରଙ୍ଗ ଆକାଶର ଛାତିରେ। ଧଳା ରଙ୍ଗର ମେଘମାଳା। ଆଉ ତୁମ ଛାତିରେ ବି ସେଇ ଧଳା ରଙ୍ଗର ଫେନୀଳ ଢେଉସବୁ।

ଜାଣ ଅନେକ ଦିନରୁ ମୋ ଦେହରେ କେତେ ତାତି । ଇଚ୍ଛା ହୁଏ ଥରୁଟିଏ ମୋତେ ଛୁଇଁ ଦେଇ ଯାଅନ୍ତନି ? ମୁଁ ଜାଣେ ଅନେକ ଥର ମୋତେ ଛୁଇଁଚ, ପୁଣି ଫେରିଯାଇଛ । ତୁମର କିଛି ଶ୍ରମ ସାର୍ଥକ ହୋଇନି ବୋଲି ଭାବୁଛ କି? ନା ସେମିତି କେମିତି ହେବ କୁହତ ?

ସେଇ ପୂର୍ଣ୍ଣମୀ ରାତିର କଥା କଣ ଭୁଲିଗଲ କି ? ସେଦିନ ତୁମେ ତ ଛୁଇଁଥିଲ ମୋତେ ଭାରି ଅଲଗା ଅଲଗା ଲାଗୁଥିଲ । ତୁମ ଛାତିରେ ଝଡ଼ଟିଏ ଉଠିଲା ଭଳି ଲାଗିଲା ମୋତେ। କେତେ ଅଶାନ୍ତ ହେଉଥିଲ ସେଦିନ ତୁମେ ? ମୋତେ ଭାରି ଡର ଲାଗୁଥିଲା।

କାନରେ ପଡିଯାଉଥିଲା ସତର୍କ ସୂଚନା। କାହାର ବ୍ୟତିଵ୍ୟସ୍ତ ପାଦ।

ତୁମେ ଗର୍ଜୁ ଥିଲ ନିଜ ଭିତରେ ନିଜେ ଘୁଉ.. ଘୁଉ ହୋଇ। ଜାଣେ, ତୁମ କଷ୍ଟକୁ ଦୁଃଖକୁ, ତୁମେ କହିବା ଆଗରୁ ତୁମ ଆଖିରୁ ବୋହି ଯାଉଥିଲା ଧାର ଧାର ଲୁହ। ତୁମେ ବାର ବାର ଆସୁଥିଲ ପୁଣି ଫେରିଯାଉଥିଲ । ଅନବରତ ତୁମେ ଭିତରେ ଗୋଟିଏ ଯୁଦ୍ଧ ଚାଲିଥିଲା। ସେ ଯୁଦ୍ଧର ପରିଣାମ ନା ତୁମକୁ ଜଣା ଥିଲା ନା ମୋତେ ।

କେମିତି ବା ଜାଣିଥାନ୍ତେ ? ନିୟତି ନେଇ ପଡ଼ିଥିଲେ ଆମେ ସମସ୍ତେ ।

ମୋ ଦେହରେ ଅନେକ ପାଦଚିହ୍ନ ତଥାପି ବି ମୁଁ ଏକାକୀ। ତୁମେ ଈର୍ଷାରେ ପ୍ରତିଥର ଧୋଇଦିଅ ସବୁ ପାଦ ଚିହ୍ନ। ତୁମେ ବୁଝ ଏଇ ଈର୍ଷାଟା ହି ପ୍ରେମ ! ସେଥିପାଇଁ ନିଜତ୍ୱ ଜାହିର କରି ଧୋଇବାକୁ ଚାହଁ ସବୁ ଚିହ୍ନମାନକୁ।

ନସ୍ୱର ଏଇ ଦେହଟାକୁ କାହିଁ ଦେଖୁଛ ଯେ। ମୋ ମନରେ ପରା ତୁମେ ହିଁ ତୁମେ। ସେଠି ଆଉ କେହି ନାହିଁ। ଖାଲି ତୁମେ ଆଉ ମୁଁ। ଏଇ ମାମୁଲି ପାଦ ଚିହ୍ନସବୁ୍ କଣ ବେଳାଭୂମିର ମନକୁ ମୋହି ନେବେ।

ସମୟ ସେମିତି ନିଶୁପ ହୋଇ ପଡ଼ିଥିଲା। ଆମ ସହ ସେତେବେଳେ କେହି ବି ନଥିଲେ। ଆକାଶର ତାରାସବୁ ସେମିତି ମଳିନ ହୋଇ ଲୁଚିଥିଲେ କେଉକାଳୁ। ପବନ ବି ଗୁମସୁମ । ତୁମେ ଫେରିଯାଉଥିଲ ବ୍ୟର୍ଥ ମନନେଇ। ମୋ ମନର ଆଶା ସବୁ ମଉଳି ଯାଉଥିଲା। ସବୁ ଢେଉ କଣ ଛୁଇଁପାରେ ବିସ୍ତୀର୍ଣ୍ଣ ବେଳାଭୂମିକୁ ? ତୁମ ପ୍ରେମର ଭେଟିସବୁ ହୁଏତ ଚୂର୍ଣ୍ଣ ବିଚୂର୍ଣ୍ଣ ମୋ ଦେହରେ ପିଟି ହୋଇ।

ହଁ ସେଇ ଭଙ୍ଗା ଶାମୁକାସବୁ ପଡିଛି ଏଣେ ତେଣେ। ଛିନ୍ନ ତାର ସ୍ୱପ୍ନ ଆଉ ଆଶା। ଦେଖ ସେ ପଡି ରହିଛି ମୃତ ହୋଇ। ଏହି ଭଙ୍ଗା ଶାମୁକା ଭଳି ମୁଁ ବି ଚାହିଁରହିଛି ଫେରି ଯାଉଥିବା ସେଇ ସବୁ ଢ଼େଉମାନଙ୍କୁ!

Leave A Reply

Your email address will not be published.