Latest Odisha News

ଡିଜେଲ୍ ଶୂନ୍ୟ ଶ୍ରୀଲଙ୍କା, ରାସ୍ତାକୁ ଓହ୍ଲାଇଲେ ଲୋକେ

ସ୍ୱାଧୀନତା ପରଠୁ ଏହି ଦକ୍ଷିଣ ଏସୀୟ ଦେଶ ପ୍ରଥମ ଥର ପାଇଁ ସବୁଠୁ ଖରାପ ଅର୍ଥନୈତିକ ସ୍ଥିତି ଦେଇ ଗତି କରୁଛି

ଭୁବନେଶ୍ୱର: ଡିଜେଲ୍ ମରୁଡି ଦେଇ ଗତି କରୁଛି ଶ୍ରୀଲଙ୍କା । ଦିନ ତମାମ୍ ତେଲ ଟାଙ୍କିରେ ଆଉଟ୍ ଅ୍ରଫ୍ ଷ୍ଟକ୍ ବୋର୍ଡ ଝୁଲିଥିବାବେଳେ ପ୍ରଭାବିତ ହୋଇଛନ୍ତି ୨୨ ମିଲିଅନ୍ ଲୋକେ । ଡିଜେଲ୍ ଅଭାବ ଯୋଗୁଁ ଯାତାୟତ ଓ ମାଲ ପରିବହନ ମଧ୍ୟ ଠପ୍ ପଡିଛି ।

ସ୍ୱାଧୀନତା ପରଠୁ ଏହି ଦକ୍ଷିଣ ଏସୀୟ ଦେଶ ପ୍ରଥମ ଥର ପାଇଁ ସବୁଠୁ ଖରାପ ଅର୍ଥନୈତିକ ସ୍ଥିତି ଦେଇ ଗତି କରୁଛି । ସ୍ଥାନୀୟ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ତେଲ ଡିପୋରେ ଠୋପାଏ ତେଲ ନଥିଲାବେଳେ ବନ୍ଦ ପଡିଥିବା ତେଲ ଟାଙ୍କି ଆଗରେ ହଜାରହଜାର ଲୋକ ଧାଡିବାନ୍ଧି ଛିଡା ହୋଇଥିଲେ । ତେବେ କିଛିକାଂଶରେ ପେଟ୍ରୋଲ୍ ମିଳିଥିଲାବେଳେ ଡିଜେଲ ଗାଡି ଗୁଡିକୁ ଏଠି ସେଠି ଛାଡି ଲୋକେ ଘରକୁ ଚାଲିଚାଲି ଯିବାକୁ ବାଧ୍ୟ ହୋଇଥିଲେ ।

ଅନ୍ୟପଟେ ପରିବହନ ବିଭାଗ ଏପରି ସ୍ଥିତିରୁ ବର୍ତ୍ତିବା ଲାଗି ଗ୍ୟାରେଜରେ ମରାମତି ଲାଗି ପଡି ରହିଥିବା ଗାଡିରୁ ତେଲ ବାହାର କରି ଆପାତକାଳୀନ ସ୍ଥିତିର ମୁକାବିଲା କରୁଛନ୍ତି । ତେବେ ଘରୋଇ ବସ ମାଲିକକଙ୍କ ପାଖରେ ଅନ୍ୟ କୌଣସି ବିକଳ୍ପ ନଥିବାରୁ ହାତ ବାନ୍ଧି ବସିଛନ୍ତି ।

ତେବେ ଡିଜେଲ୍ ଅଭାବ ଯୋଗୁଁ କେବଳ ଯାତାୟତ ଠପ୍ ପଡିନି । ଜେନେରେଟର୍ ଚଳାଇବା ପାଇଁ ଆବଶ୍ୟକ ଡିଜେଲ୍ ନଥିବାରୁ ବିଦ୍ୟୁତ୍ ବିଭାଗ ସର୍ବାଧିକ ୧୩ ଘଣ୍ଟା ବିଦ୍ୟୁତ୍ ସରବରାହ ବନ୍ଦ କରିବା ଲାଗି ବାଧ୍ୟ ହୋଇଥିଲେ । ଫଳରେ ଅସହ୍ୟ ଗରମ ଓ ଗୁଳୁଗୁଳିରେ ଶ୍ରୀଲଙ୍କା ବାସିନ୍ଦା ଛଟପଟ ହୋଇଥିଲେ ।

ବିଦ୍ୟୁତ୍ କାଟ୍ ଯୋଗୁଁ କଲମ୍ବୋ ଷ୍ଟକ୍ ଏକ୍ସଚେଂଜରେ ମଧ୍ୟ ଟ୍ରେଡିଂ ସୀମିତ ରଖାଯାଇଛି । ଅଧିକାଂଶ କର୍ମଚାରୀଙ୍କୁ ଘରେ ରହିବାକୁ ପରାମର୍ଶ ଦିଆଯାଇଛି । ଅନ୍ୟପଟେ ମୋବାଇଲ ଫୋନ୍ ବ୍ୟବହାର ଓ ଚାର୍ଜ ବସାଇବାରେ ଲୋକେ ନାନା ସମସ୍ୟା ଦେଇ ଗତି କରୁଛନ୍ତି । ତେବେ ଟେଲିକମ୍ ବିଭାଗ ପାଖରେ ମଧ୍ୟ ଜେନେରେଟର୍ ଚଳାଇବାକୁ ଡିଜେଲ୍ ନଥିବାରୁ ଫୋନ୍ କଲ ମାନ ମଧ୍ୟ ନିମ୍ନ ହେଉଥିବା ଅଭିଯୋଗ ହୋଇଛି ।

ଏଭଳି ଅସୁବିଧାର ସମ୍ମୁଖୀନ ହୋଇ ଶ୍ରୀଲଙ୍କା ବାସିନ୍ଦା ମାନେ ପ୍ରତିବାଦ କରିବାକୁ ଯାଇ ରାସ୍ତାକୁ ଓହ୍ଲାଇଛନ୍ତି । ହସ୍ପିଟାଲରେ ରୋଗୀଙ୍କର ସର୍ଜରୀ ବନ୍ଦ ପଡିଥିଲାବଳେ ବିଭିନ୍ନ ପରୀକ୍ଷଣ ଅନିର୍ଦ୍ଦିଷ୍ଟ କାଳ ପାଇଁ ସ୍ଥଗିତ ରଖାଯାଇଛି । ଏପରି ସ୍ଥିତିକୁ ନେଇ ଅନେକ ଅର୍ଥନୈତିଜ୍ଞ ଶ୍ରୀଲଙ୍କୀୟ ସରକାରଙ୍କ ଅନାବଶ୍ୟକ କର ରିହାତି ଓ ଭୁଲ୍‌ଭାଲ୍ ବଜେଟ୍ ଆକଳନକୁ ଦାୟୀ କରିଛନ୍ତି ।

Leave A Reply

Your email address will not be published.