Latest Odisha News

ଆଜି ପବିତ୍ର ଶ୍ରୀରାମ ନବମୀ, ଶ୍ରଦ୍ଧାର ସହ ଦେଶବ୍ୟାପୀ ପର୍ବ ପାଳିତ

ଭୁବନେଶ୍ୱର: ଆଜି ଚୈତ୍ର ମାସର ନବମ ଦିନ । ଏହି ପବିତ୍ର ଦିବସରେ ମର୍ଯ୍ୟାଦା ପୁରୁଷୋତ୍ତମ ପ୍ରଭୁ ଶ୍ରୀରାମଚନ୍ଦ୍ର ଜନ୍ମ ଗ୍ରହଣ କରିଥିଲେ । ହିନ୍ଦୁ ଧର୍ମାବଲମ୍ବୀମାନେ ଏହି ଦିନଟିକୁ ପବିତ୍ର ରାମନବମୀ ଭାବେ ପାଳନ କରିଥାଆନ୍ତି । ପ୍ରଭୁ ଶ୍ରୀରାମଚନ୍ଦ୍ରଙ୍କ ଜନ୍ମସ୍ଥାନ ଅଯୋଧ୍ୟା ସମେତ ସମଗ୍ର ଭାରତରେ ରାମନବମୀ ବଡ଼ ଧୁମଧାମରେ ପାଳିତ ହେଉଛି ।

ଏହି ଅବସରରେ ଭୁବନେଶ୍ୱରସ୍ଥିତ ରାମ ମନ୍ଦିରରେ ବଡ଼ି ଭୋରରୁ ପ୍ରବଳ ଭିଡ଼ ପରିଲକ୍ଷିତ ହୋଇଛି । ପ୍ରଭୁ ଶ୍ରୀରାମଚନ୍ଦ୍ରଙ୍କୁ ଦର୍ଶନ କରିବା ସହିତ ଶ୍ରଦ୍ଧାଳୁମାନେ ପାରାୟଣ, ଶ୍ରୀରାମଚରିତ ମାନସ ପାଠ କରୁଛନ୍ତି ମନ୍ଦିରରେ । ଶହ ଶହ ଭକ୍ତମାନେ ଦୀପ ଓ ନୈବେଦ୍ୟ ଅର୍ପଣ କରିବା ସହିତ ଭୋଗ ଲଗାଇଛନ୍ତି ଠାକୁରଙ୍କ ନିକଟରେ । ଲମ୍ବାଧାଡ଼ିରେ ଶ୍ରଦ୍ଧାଳୁମାନେ ଛିଡ଼ାହୋଇ ଠାକୁର ଦର୍ଶନ କରୁଥିବା ଦୃଶ୍ୟ ହୋଇଛି । ରାଜଧାନୀସ୍ଥିତ ରାମମନ୍ଦିରରେ ଏକ ଅପୂର୍ବ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଛି ।

ସେହିପରି ଶ୍ରୀରାମନବମୀ ଅବସରରେ ସମଗ୍ର ଭଦ୍ରକ ସହର ଚଳଚଞ୍ଚଳ ହୋଇଉଠିଛି । ଶ୍ରୀରାମନବମୀ ଜନ୍ମଉତ୍ସବ ସମିତି ପକ୍ଷରୁ ମହାଯଜ୍ଞ ଆରମ୍ଭ ହୋଇଛି । ଶ୍ରୀରାମନବମୀ ଲାଗି ଗତ ୫ ଦିନ ପୂର୍ବରୁ ଗାନ୍ଧୀ ମଇଦାନଠାରେ ଗୋପୂଜନ, ସାଧୁସନ୍ଥ ପୂଜନ ତଥା ପାରାୟଣ ଆରମ୍ଭ ହୋଇଯାଇଛି । ଏକ ବିରାଟ ପଟୁଆରରେ ଭକ୍ତମାନେ ହଜାର ହଜାର ସଂଖ୍ୟାରେ ଭଦ୍ରକ ସହର ପରିକ୍ରମା କରିବାର କାର୍ଯ୍ୟକ୍ରମ ରହିଛି ।

ଏଥିଲାଗି ସାଳନ୍ଦୀ ନଦୀରୁ ସକାଳେ ମା’ମାନେ କଳସୀପୂର୍ଣ୍ଣ ଜଳ ଆଣି ପୂଜା ଆରମ୍ଭ କରିଛନ୍ତି । ନଗର ପରିକ୍ରମାରେ ଶହ ଶହ ଶ୍ରୀରାମଙ୍କ ପ୍ରତିମୂର୍ତ୍ତୀ ସ୍ଥାନ ପାଇଛି । ଶୋଭାଯାତ୍ରାରେ ରାଜ୍ୟର ବିଭିନ୍ନ ସ୍ଥାନରୁ ଶ୍ରଦ୍ଧାଳୁମାନେ ଭଦ୍ରକ ସହରରେ ରୁଣ୍ଡ ହେବାରେ ଲାଗିଛନ୍ତି ।

ଭଦ୍ରକ ସହରରେ ଶାନ୍ତି ଶୃଙ୍ଖଳାକୁ ଦୃଷ୍ଟିରେ ରଖି ବ୍ୟାପକ ପୋଲିସ ମୂତୟନ ହୋଇଛନ୍ତି । ସହରରେ ବିଶାଳ ଶୋଭାଯାତ୍ରା ଲାଗି ଜିଲ୍ଲା ପ୍ରଶାସନ ପକ୍ଷରୁ ବିଭିନ୍ନ ପଦକ୍ଷେପମାନେ ଗ୍ରହଣ କରାଯାଇଛି ।

Leave A Reply

Your email address will not be published.