Latest Odisha News

BREAKING NEWS

ଗୁଳିମାଡ଼ରେ ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟ କର୍ମଚାରୀଙ୍କ ମୃତ୍ୟୁ

କଟକ: କଟକ ଜିଲ୍ଲା ବାରଙ୍ଗ ଥାନା ଅନ୍ତର୍ଗତ ଗୋଡ଼ିସାହି ରବିବାର ସକାଳେ ଏକ ଗୁଳିକାଣ୍ଡ ଘଟଣା ସମଗ୍ର ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି । ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟର କର୍ମଚାରୀଙ୍କ ଉପରକୁ ଗୁଳି କରି ଦୁଇଜଣ ଅଚିହ୍ନା ଦୁବୃର୍ତ୍ତ ଚାଲିଯିବା ପରେ ତାଙ୍କର ମୃତ୍ୟୁ ଘଟିଛି ।

ମୃତକ ଜଣକ ସମ୍ବଲପୁର ଜିଲ୍ଲା ରେଢାଖୋଲ ଅଞ୍ଚଳର ସୁନୀଲ ରଞ୍ଜନ ସାହୁ ବୋଲି ଜଣା ପଡ଼ିଛି । ସେ ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟରେ ଜଣେ ସୁପରଭାଇଜର ଭାବେ କାର୍ଯ୍ୟ କରୁଥିଲେ ।

ତାଙ୍କ ଶରୀରର ମୁଣ୍ଡରେ ଆଘାତ ଲାଗିବା ସହିତ ଛାତି ଓ ଡ଼ାହାଣ ପାଖ ହାତରେ ଗୁଳି ମାଡ଼ ହୋଇଥିବା ଜଣାପଡ଼ିଛି । ତାଙ୍କୁ ଘଟଣାସ୍ଥଳରୁ ତୁରନ୍ତ୍ କଟକ ଏସସିବି ମେଡ଼ିକାଲକୁ ଚିକିତ୍ସା ନିମନ୍ତେ ନିଆଯାଇଥିଲା, ମାତ୍ର ସେଠାରେ ଡ଼ାକ୍ତର ତାଙ୍କୁ ମୃତ ବୋଲି ଘୋଷଣା କରିଥିଲେ ।

ମିଳିଥିବା ସୂଚନାନୁଯାୟୀ, ସୁନୀଲ ରବିବାର ସକାଳେ ବାରଙ୍ଗ ଗୋଡ଼ିସାହିର ନେଟଳ ଛକ କୌଣସି କାର୍ଯ୍ୟରେ ଯାଇଥିଲେ । ସେଠାରେ ଦୁଇ ଜଣ ଦୁବୃର୍ତ୍ତ ମୋଟରସାଇକେଲରେ ଆସି ତାଙ୍କ ଉପରକୁ ଆଖିବୁଜା ଗୁଳି ମାରି ଘଟଣାସ୍ଥଳରୁ ଚାଲିଯାଇଥିଲେ ।

ଏହି ଘଟଣା ସମ୍ପର୍କରେ ସ୍ଥାନୀୟ ଲୋକେ ବାରଙ୍ଗ ଥାନାକୁ ଜଣାଇଥିଲେ, ପୋଲିସ ତୁରନ୍ତ ଘଟଣାସ୍ଥଳକୁ ଆସି ତାଙ୍କୁ ତୁରନ୍ତ ଏସସିବି ମେଡ଼ିକାଲକୁ ଚିକିତ୍ସା ନିମନ୍ତେ ନେଇ ଯାଇଥିଲେ ।

କଟକ ଡ଼ିସିପି ଅଖିଳେଶ୍ୱର ସିଂହ କହିଛନ୍ତି, ଏହି ଘଟଣା ପ୍ରାୟ ସକାଳ ୧୦ଟାରୁ ୧୦.୩୦ ମଧ୍ୟରେ ଘଟିଛି ଏବଂ ହତ୍ୟାକାରୀମାନେ ମୃତକଙ୍କ ଜଣାଶୁଣା ବୋଲି ଅନୁମାନ କରାଯାଉଛି ।

ଘଟଣାର ସଠିକ କାରଣ ସଙ୍ଗେସଙ୍ଗେ ଜଣା ପଡ଼ିନଥିଲେ ମଧ୍ୟ ପୋଲିସ ଏସମ୍ପର୍କରେ ସୁରାକ ପାଇବାକୁ ତଦନ୍ତ ଆରମ୍ଭ କରି ହତ୍ୟାକାରୀମାନଙ୍କୁ ଧରିବାକୁ ଚେଷ୍ଟା କରୁଛି ।

କଟକ ଡ଼ିସିପି ଆହୁରିମଧ୍ୟ ଜଣାଇଛନ୍ତି, ଦୁବୃର୍ତ୍ତମାନଙ୍କୁ ଧରିବାକୁ ଜିଲ୍ଲାର ମୁଖ୍ୟ ସ୍ଥାନ ମାନଙ୍କୁ ବ୍ଲକ୍ କରାଯାଇ ଯାନବାହନ ତନଖି କରାଯାଉଛି ।

Leave A Reply

Your email address will not be published.