Latest Odisha News

ଗାୟକ କୋକିଳ କାଳନ୍ଦୀ ପାତ୍ର

ପୁରୀ: ପୁରୀ ଜିଲ୍ଲା ପିପିଲି ବ୍ଲକ ନିଜିଗଡ କୁରୁଖି ଗାଁ । ଏଇ ଗାଁରେ ୧୩୨୩ ସାଲ କାର୍ତିକ କୃଷ୍ଣପକ୍ଷ ପଂଚମୀ ଦିନ ଜନ୍ମଗ୍ରହଣ କରିଥିଲେ କାଳନ୍ଦୀ ପାତ୍ର । ବାପା ନୀଳମଣି ପାତ୍ର ଓ ମାଆ ଶେରନ୍ତୀ ଦେବୀ । ୬ ଭାଇ ଓ ଗୋଟିଏ ଭଉଣୀଙ୍କ ମଧ୍ୟରେ ସବୁଠାରୁ ସାନ ଥିଲେ କାଳନ୍ଦୀ । ଦେଖିବାକୁ କଳା ବୋଲି ନାଁ ସିନା ପାଇଥିଲେ କାଳନ୍ଦୀ ହେଲେ ଏହି କାଳନ୍ଦୀ ଭିତରେ ଭରି ରହିଥିଲା ଅମୂଲ୍ୟ କଳା । ଯେଉଁ କଳାର ତୁଳନା ନାହିଁ । ସେହି କଳା ହିଁ ତାଙ୍କୁ ଦିନେ ସାରା ରାଜ୍ୟରେ ପରିଚିତ କରାଇଥିଲା । ପିଲାଟି ଦିନରୁ ସଙ୍ଗୀତ ପ୍ରତି ତାଙ୍କର ରହିଥିଲା ଅହେତୁକ ଦୁର୍ବଳତା । ଏହି ଦୁର୍ବଳତାହିଁ ତାଙ୍କୁ ଦିନେ ଜଣେ ପ୍ରତିଷ୍ଠିତ ପାଲା ଗାୟକ ହେବାରେ ସାହାଯ୍ୟ କରିଥିଲା ।

ତତ୍କାଳୀନ ସମୟରେ ଶିକ୍ଷାର ପ୍ରଚାର ପ୍ରସାର ସେତେଟା ନଥିଲା । ଯାହାକିଛି ଥିଲା ତାହା, ଚାଟଶାଳୀ ମଧ୍ୟରେ ସୀମିତ । ଚାଟଶାଳୀକୁ ପଢିବାକୁ ଗଲେ କାଳନ୍ଦୀ । ଚାଟଶାଳୀ ପଢା ଶେଷ ହେଉହେଉ ପାଲା ଗାୟକ ହେବାର ନିଶା ଲାଗିଲା । ପରିବାର ଲୋକଙ୍କୁ ନିଜ ମନ କଥା କହିଲେ । ଖୋଜା ପଡିଲା କିଏ ଶିଖାଇବ ପାଲା । ସେ ସମୟରେ ଖୋର୍ଦ୍ଧା କଦଳୀବାଡିର ବିଦ୍ୟାଧର ବଳବନ୍ତରାୟଙ୍କୁ ଗୁରୁ କରିବାକୁ ସ୍ଥିର କରାଗଲା । ଗୁରୁଙ୍କଠାରୁ ପାଲା ଶିଖି ବେଶ୍ ନାଁ କରିବାକୁ ଲାଗିଲେ କାଳନ୍ଦୀ । କୋଇଲି ପରି ତାଙ୍କର ସୁମଧୁର କଣ୍ଠ ପାଇଁ ତାଙ୍କ ନାଁ ଚାରିଆଡେ ପ୍ରସାରିତ ହେଲା । ହେଲେ ପାଲା କ୍ଷେତ୍ରରେ ଅଧିକ ପ୍ରତିଷ୍ଠିତ ହେବାକୁ ହେଲେ କେବଳ କଣ୍ଠ ଯଥେଷ୍ଟ ହେବ ନି । ଅଧିକରୁ ଅଧିକ ଜ୍ଞାନ ବୃଦ୍ଧି ହେବା ଦରକାର । ଏହା ଭାବି ସେ ତକ୍ରାଳୀନ ସମୟର ପ୍ରଖ୍ୟାତ ଗାୟକ ବିଶ୍ୱନାଥ ପଟ୍ଟଯୋଶୀଙ୍କ ପାଖକୁ ଗଲେ । ତାଙ୍କୁ ଗୁରୁ କରି ଅଧିକ ଜ୍ଞାନ ହାସଲ କରିବାକୁ ଲାଗିଲେ । ଧିରେ ଧିରେ କାଳନ୍ଦୀ ଜଣେ ପ୍ରତିଷ୍ଠିତ ପାଲା ଗାୟକ ଭାବରେ ନାଁ କରିବାକୁ ଲାଗିଲେ । ନିଜ ଅଂଚଳ ସହ, ପୁରୀ ଜିଲ୍ଲୀ ଆଉ ଧିରେ ଧିରେ ସାରା ରାଜ୍ୟର ପୁରପଲ୍ଲୀରେ ଜଣେ ବିଶିଷ୍ଠ ପାଲା ଗାୟକ ଭାବେ ପରିଚିତ ହେଲେ ।

ନିଜର ସୁମଧୁର କଣ୍ଠ ପାଇଁ ପାଲା ଜଗତରେ ସେ ଗାୟକ କଳକଣ୍ଠ ଓ ଗାୟକ କୋକିଳ ଭାବେ ପରିଚିତ । ଜଣେ ଛାନ୍ଦ ପ୍ରିୟ ଗାୟକଭାବେ ବେଶ୍ ପରିଚିତ କାଳନ୍ଦୀ ପାତ୍ର । ଛାନ୍ଦ, ଚଉପଦୀ ସହ ଓଡିଶୀ, ଚମ୍ପୁ, ମେଘ ମହ୍ଲାର, କନ୍ନଡା ଆଦି ବିଭିନ୍ନ ରାଗରାଗିଣୀ ଗାଇବାରେ ସେ ବେଶ୍ ଧୁରିଣ । ପୁରାତନ ଗୀତ ଗାଇବାରେ ତାଙ୍କୁ କୌଣସି ଗାୟକ ଅତିକ୍ରମ କରିବା ସହଜ ନୁହେଁ । ସେ ଯେପରି ସୁଲଳିତ କଣ୍ଠରେ ଗାଇଥାନ୍ତି ସେହିପରି ସୁନ୍ଦର ଭାବେ ତାର ଅର୍ଥ ମଧ୍ୟ କରିଥାନ୍ତି । ସେଥିପାଇଁ ତ ପିଲାଠାରୁ ବୟସ୍କ ଯାଏ, କି ମହିଳା କି ପୁରୁଷ ସମସ୍ତେ ତାଙ୍କ ପାଲା ଦେଖିବାକୁ ପସନ୍ଦ କରନ୍ତି । ଯେତେ କ୍ଲିଷ୍ଟ ପଦ ହେଉନା କାହିଁକି ସେ ତାକୁ ଅତି ସରଳ ଭାବରେ ଲୋକଙ୍କୁ ବୁଝାଇ ଦିଅନ୍ତି । ରୀତି ଯୁଗୀୟ କବି ମାନଙ୍କର ରଚନା ସବୁ ତାଙ୍କର ମୁଖସ୍ତ ହୋଇ ଥିଲା । ନାରୀ ଅଙ୍ଗରେ ଦଶାବତାର ବର୍ଣ୍ଣନା କରିବା ତାଙ୍କର ନିଆରା ରୂଚି ଥିଲା । ଅନେକ ସ୍ଥାନରେ ଦର୍ଶକ ଏହା ଗାଇବାକୁ ତାଙ୍କୁ ଏକାଧିକବାର ଅନୁରୋଧ କରିଥାନ୍ତି ।

ସଂସ୍କୃତ ସାହିତ୍ୟରେ କାଳନ୍ଦୀ ପାତ୍ରଙ୍କର ଦକ୍ଷତା କମ୍ ନଥିଲା । ‘ନୈଷଧ ଚରିତ’ ଠାରୁ ‘କୁମାର ସମ୍ଭବ’, ‘ମେଘଦୂତ’, ‘ହଂସଦୂତ’ ଆଦି କାବ୍ୟ ତାଙ୍କର ଲୋକପ୍ରିୟ ବିଷୟ ଥିଲା । କାଳନ୍ଦୀ ପାତ୍ରଙ୍କ ପାଲାର ଏକ ବିଶେଷତ୍ୱ ଥିଲା ତାଙ୍କ ମେଘମହ୍ଲାର ଗାଇବା । ଆଜି ହୁଏତ ଅନେକ ବିଶ୍ୱାସ କରିପାରିବେ ନାହିଁ, ଯେ ସେ ଯେତେବେଳେ ଏହାକୁ ମନ ପ୍ରାଣ ହୃଦୟ ଦେଇ ଗାଆନ୍ତି, ଅସମୟରେ ବି ବର୍ଷା ଆସିଯାଏ । ଅନେକ ମଞ୍ଚରେ ଏହା ମଧ୍ୟ ପରିକ୍ଷୀତ ହୋଇଛି । ଭରବଙ୍କନଶ୍ୱର ଉପକଣ୍ଠ ପାଞ୍ଚଗାଁ ମଙ୍ଗଳା ମଣ୍ଡପରେ ବାଦୀପାଲାର ଆୟୋଜନ ହୋଇଥିଲା ।

କାଳନ୍ଦୀଙ୍କ ବିପକ୍ଷରେ ଥାଆନ୍ତି ଗାୟକ ବାଉରୀବନ୍ଧୁ ଜେନା । ପାଲା ବେଶ୍ ଜମୁଥାଏ । ସେତେବେଳେ ବର୍ଷାର କୌଣସି ସମ୍ଭାବନା ନଥିଲା । ଆକାଶ ଥିଲା ପୂରା ନିର୍ମଳ । ପାଲା ଚାଲିଥିଲା କାଳନ୍ଦୀଙ୍କର, ହଠାତ୍ ବିଷୟବସ୍ତୁ ମଧ୍ୟରେ ମେଘ ମହ୍ଲାର ଗାଇବାର ଆବଶ୍ୟକତା ପଡିଲା ।

କାଳନ୍ଦୀ ଯେତେବେଳେ ମେଘ ମହ୍ଲାର ଗାଇ ଦେଇଛନ୍ତି, ହଠାତ୍ କୁଆଡେ ଥିଲା ବର୍ଷା ପାଞ୍ଚଗାଁ ମଣ୍ଡପରେ ଅଜାଡି ହୋଇପଡିଲା । ଆଜି ମଧ୍ୟ ସେଦିନର ସେହି ଅନୁଭୂତି କଥା ମନେ ପକାଇ ପାଂଚଗାଁ ଲୋକେ ଶିହରି ଉଠନ୍ତି । 

କେବଳ ପାଞ୍ଚଗାଁ କାହିଁକି ଅନେକ ମଞ୍ଚରେ କାଳନ୍ଦୀଙ୍କ ପାଲା ଗାୟନ ବେଳେ ଏପରି ଘଟଣା ଦେଖିବାକୁ ମିଳିଛି ।

ପାଲା ଜଗତର ଏହି ପ୍ରଚଣ୍ଡ ପ୍ରତିଭାର ଅଧିକାରୀଙ୍କୁ ରାଜ୍ୟର ବିଭିନ୍ନ ଅନୁଷ୍ଠାନ ତରଫରୁ ମିଳିଛି ଅନେକ ପୁରସ୍କାର ଆଉ ମାନପତ୍ର । ଶ୍ରୀନୀଳାଚଳ ନିଖିଳୋକ୍ରଳ ପାଲା ଗାୟକ ପରିଷଦ ହେଉ କି, କୌଣସି ଗ୍ରାମୀଣ ସାଂସ୍କୃତିକ ଅନୁଷ୍ଠାନ, ଏହି ବରେଣ୍ୟ କଳାକାରଙ୍କୁ ସମ୍ବର୍ଦ୍ଧିତ କରି ସମସ୍ତେ ଯେପରି ନିଜକୁ ଧନ୍ୟ ମନେ କରିଛନ୍ତି । ଏହି ସ୍ୱନାମଧନ୍ୟ ପାଲା ଗାୟକ ୧୦୨ ବର୍ଷ ବୟସରେ ୨୦୧୬ ମସିହା ବାହୁଡା ଦିନ ପରଲୋକ ଗମନ କରିଥିଲେ ।

Leave A Reply

Your email address will not be published.