Latest Odisha News

ଅମିତାଭଙ୍କ ସହ ଅଭିନୟ କରିବାକୁ ମନା କରିଥିଲେ ଶ୍ରୀଦେବୀ, ଜାଣନ୍ତୁ କାହିଁକି ?

ମୁମ୍ବାଇ: ହିନ୍ଦୀ ସିନେମା ଜଗତରେ ଶ୍ରୀଦେବୀଙ୍କ ସହ ଅଭିନୟ କରିବାକୁ ଅନେକ ଅଭିନେତା ସ୍ୱପ୍ନ ଦେଖୁଥିଲେ । ଶ୍ରୀଦେବୀଙ୍କ ଅଧିକାଂଶ ଫିଲ୍ମ ସୁପରହିଟ୍ ହୋଇଥିଲାବେଳେ ତାଙ୍କୁ ମିଳିଥିଲା ଲେଡି ଅମିତାଭର ଖିତାବ୍ । ଅନେକ ହୁଏ ତ ଜାଣିନଥିବେ ଯେ, ଦିନେ ଶ୍ରୀଦେବୀ ଏକ ଫିଲ୍ମରେ ଅମିତାଭଙ୍କ ବିପକ୍ଷରେ ଅଭିନୟ କରିବାକୁ ସିଧାସଳଖ ମନା କରିଦେଇଥିଲେ ।

୮୦ ଓ ୯୦ ଦଶକରେ ଜୁଲି, ସୋଲୱା ସାୱନ୍‌, ନାଗୀନ, ହିମ୍ମତୱାଲା ଓ ଚାନ୍ଦିନୀ ଭଳି ଫିଲ୍ମ ଜରିଆରେ ଶ୍ରୀଦେବୀ ବଲିଉଡରେ ନିଜ ଦବଦବା ଜାହିର କରିଥିଲେ । ନିଜ ଅପୂର୍ବ ସୌନ୍ଦର୍ଯ୍ୟ ଓ ଅଭିନୟ ବଳରେ ସେ ସମସ୍ତଙ୍କୁ ବିମୋହିତ କରିଥିଲେ । ଏପରି ବି ଦିନ ଥିଲା ଯେବେ ଶ୍ରୀଦେବୀଙ୍କ ନାଁରେ ଫିଲ୍ମ ବକ୍ସ ଅଫିସରେ ଭଲ ବ୍ୟବସାୟ କରୁଥିଲା ।

ଅମିତାଭଙ୍କ ସହ ଅଭିନୟ କରିବାକୁ କାହିଁକି ମନା କରିଥିଲେ ଶ୍ରୀଦେବୀ ?

ଆପଣ ଭାବୁଥିବେ ବୋଧ ହୁଏ କୌଣସି ବ୍ୟକ୍ତିଗତ ତିକ୍ତତା ପାଇଁ ଶ୍ରୀଦେବୀ ମେଗାଷ୍ଟାର ଅମିତାଭଙ୍କ ସହ ଅଭିନୟ କରିବାକୁ ମନା କରିଥିଲେ । ହେଲେ ଶ୍ରୀଦେବୀଙ୍କ ଅନୁଯାୟୀ ଅମିତାଭଙ୍କ ଭଳି ପ୍ରଖ୍ୟାତ କଳାକାରଙ୍କ ସହ ଅଭିନୟ କଲେ ଫିଲ୍ମରେ ସେ କେବଳ ଏକ ସୋ ପିସ୍ ଭାବେ ନଜର ଆସିବେ । ଅମିତାଭଙ୍କ ସହ ଅଭିନୟ କଲେ ତାଙ୍କୁ କେବେ ହେଲେ ଦମଦାର୍ ଭୂମିକା ମିଳିବ ନାହିଁ । କିଛି ଏପରି ଚିନ୍ତା କରି ଫିଲ୍ମ ଖୁଦା ଗୱାହରେ ଅଭିନୟ କରିବାକୁ ଶ୍ରୀଦେବୀ ରୋକଠୋକ୍ ମନା କରିଥିଲେ ।

ଫିଲ୍ମରେ ଅଭିନୟ କରିବା ନେଇ ଶ୍ରୀଦେବୀ ମନା କରିବା ପରେ ଏକ ଅଭିନବ ଉପାୟରେ ମେଗାଷ୍ଟାର ଅମିତାଭ ତାଙ୍କ ମନ ପରିବର୍ତ୍ତନ କରିଥିଲେ । ଫିରୋଜ ଖାନଙ୍କ ସହ ଶ୍ରୀଦେବୀ ଏକ ସୁଟିଂରେ ବ୍ୟସ୍ତ ଥିବାବେଳେ ଅମିତାଙ୍କ ତାଙ୍କ ନିକଟକୁ ପଠାଇଥିଲେ ଏକ ଟ୍ରକ ଭର୍ତ୍ତି ଗୋଲାପ ଫୁଲ । ଫୁଲଗୁଡିକ ଶ୍ରୀଦେବୀଙ୍କ ସାମ୍ନାରେ ହିଁ ଢଳାଯାଇଥିଲା । ଅମିତାଭଙ୍କ ଏପରି ଆଚରଣରେ ଶ୍ରୀଦେବୀଙ୍କ ମାନସିକତାରେ ପରିବର୍ତ୍ତନ ହୋଇଥିଲା । ପରେ ମେଗାଷ୍ଟାର ଅମିତାଭ ଓ ଶ୍ରୀଦେବୀଙ୍କୁ ନେଇ ରିଲିଜ୍ ହୋଇଥିଲା ବ୍ଲକ୍‌ବଷ୍ଟର୍ ମୁଭି ଖୁଦା ଗୱାହ ।

Comments are closed, but trackbacks and pingbacks are open.