Latest Odisha News

BREAKING NEWS

ଗପ କହିବାଟା ଶ୍ରୀକାନ୍ତଙ୍କ ଏକ ଚିରାଚରିତ ଅଭ୍ୟାସ: ନିରଞ୍ଜନ

ଭୁବନେଶ୍ୱର: ଓଡ଼ିଶା ପ୍ରଦେଶ କଂଗ୍ରେସ ସଭାପତି ନିରଞ୍ଜନ ପଟ୍ଟନାୟକ ଏବଂ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନାଙ୍କ ମଧ୍ୟରେ କଳି ଏବେ ଚରମସୀମାରେ ପହଞ୍ଚିଛି । ବରିଷ୍ଠ କଂଗ୍ରେସ ନେତା ଶ୍ରୀକାନ୍ତ ଜେନାଙ୍କ ବୟାନର ଉତ୍ତରରେ ଦଳର ମୁଖ୍ୟ ନିରଞ୍ଜନ ପଟ୍ଟନାୟକ ଶନିବାର ଦିନ ତାଙ୍କୁ କହିଛନ୍ତି, ଗପ କହିବା ଶ୍ରୀକାନ୍ତଙ୍କର ଚିରାଚରିତ ଅଭ୍ୟାସ ।

“ ଶ୍ରୀକାନ୍ତ ବାବୁ ଜଣେ ବରିଷ୍ଠ ନେତା । ସେ ବେଳେ ବେଳେ ଏହିପରି କୁକୁଡ଼ା ଓ ବଳଦର ଗପ ତାଙ୍କ ବୟାନବାଜିରେ କହିଥାଆନ୍ତି । ବିଗତଦିନରେ ସେ ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କୁ ମଧ୍ୟ ସମାଲୋଚନା କରୁଥିଲେ । କଂଗ୍ରେସରେ ସ୍ୱଚ୍ଛତା ନଥିବା ନେଇ ସେ ଅଭିଯୋଗ କରିଛନ୍ତି । ଆଗାମୀ ଦିନରେ କଂଗ୍ରେସର ସ୍ୱଚ୍ଛତା ଅଛି କି ନାହିଁ ସେ ଦେଖିବାକୁ ପାଇବେ,” ବୋଲି ଗଣମାଧ୍ୟମକୁ କହିଛନ୍ତି ନିରଞ୍ଜନ ପଟ୍ଟନାୟକ ।

ଶ୍ରୀକାନ୍ତ ଜେନା ଏହି ବକ୍ତବ୍ୟରେ ପ୍ରତିକ୍ରିୟା ପ୍ରକାଶ କରି କହିଛନ୍ତି, ନିରଞ୍ଜନ ପ୍ରଥମେ ସ୍ପଷ୍ଟ କରି କୁହନ୍ତୁ କି ତାଙ୍କର ପୂର୍ବରୁ ଖଣି ବ୍ୟବସାୟ ଥିଲା କି ନାହିଁ ।

“ରାଜନୀତିରେ ଗପ କହିବା ଅଭ୍ୟାସ ରହିବା ଆବଶ୍ୟକ । ମୋର କିଛି କହିବାର ନାହିଁ, କିନ୍ତୁ ସବୁ ତଥ୍ୟ ଗୁଡ଼ିକୁ ଗପ ଭାବେ ବିବେଚନା କରିବା ସମୀଚିନ ନୁହେଁ । ରାଜ୍ୟ ସରକାର ଖଣି ମାଫିଆ ମାନଙ୍କ ନାମ କାହିଁକି ପ୍ରକାଶ କରୁନାହାନ୍ତି ବୋଲି,” ଶ୍ରୀକାନ୍ତ ଜେନା ଗଣମାଧ୍ୟମକୁ କହିଛନ୍ତି ।

ଶ୍ରୀକାନ୍ତଙ୍କ ବିରୋଧରେ ବିଷୋଦଗାର କରି କଂଗ୍ରେସ ନେତା ତାରା ବାହିନୀପତି କହିଛନ୍ତି, ନିରଞ୍ଜନଙ୍କ ନେତୃତ୍ୱରେ କଂଗ୍ରେସ ଦଳ ଏକଜୁଟ ହେବାରେ ଲାଗିଛି, ମାତ୍ର ଶ୍ରୀକାନ୍ତ ଏକ ନିର୍ଜନ ସ୍ଥାନରେ ଲୋକଙ୍କୁ ଏକଜୁଟ କରିବାକୁ ଚେଷ୍ଟା କରୁଛନ୍ତି । ଶ୍ରୀକାନ୍ତ ବିବାଦର ହାଡ଼ ହୋଇଯାଇଛନ୍ତି, ଯାହାକି ଦଳ ପାଇଁ କ୍ଷତିକାରକ ।

“ଶ୍ରୀକାନ୍ତ ଦଳିତ ଓ ପଛୁଆ ବର୍ଗଙ୍କ କଥା କହୁଛନ୍ତି । ସେ ୟୁପିଏ ସରକାରଙ୍କ ଅଧୀନରେ ୫ ବର୍ଷ ଲାଗି କେନ୍ଦ୍ରମନ୍ତ୍ରୀ ରହିଥିଲେ । ସେ ସେହିସମୟରେ ଦଳିତମାନଙ୍କ ନିଯୁକ୍ତି ଲାଗି ସରକାରଙ୍କ ଉପରେ ଚାପ ସୃଷ୍ଟି କରିଥିଲେ କି? ସେ ଜଣେ ବିଚିତ୍ର ଚରିତ୍ରର ବ୍ୟକ୍ତି, ଯାହାଙ୍କ ଲାଗି ବିଜୁ ବାବୁ ପ୍ରଧାନମନ୍ତ୍ରୀ ହେବାର ସୁଯୋଗ ହରାଇଥିଲେ । ଶ୍ରୀକାନ୍ତ ଜଣେ ସୁଯୋଗ ଖୋଜୁଥିବା ନେତା ଏହା ସମ୍ପର୍କରେ ଏଆଇସିସି ମୁଖ୍ୟ ରାହୁଲ ଗାନ୍ଧୀଙ୍କୁ ଅବଗତ କରାଯିବ,” ବୋଲି କହିଛନ୍ତି ତାରା ବାହିନୀପତି ।

ଏଠାରେ ଉଲ୍ଲେଖଯୋଗ୍ୟ, ଡ଼ିସେମ୍ବର ୬ ତାରିଖ ଦିନ ଏଆଇସିସି ଶ୍ରୀଯୁକ୍ତ ଜେନାଙ୍କୁ ଓପିସିସିର ଇସ୍ତାହାର କମିଟି ଅଧ୍ୟକ୍ଷ ପଦବୀରୁ ହଟାଇ ଗଣେଶ୍ୱର ବେହେରାଙ୍କୁ ଏହି ପଦରେ ଅବସ୍ଥାପିତ କରିଛନ୍ତି ।

Leave A Reply

Your email address will not be published.