Latest Odisha News

BREAKING NEWS

ଆଜି ଚକଡେରା ଅନୁକୂଳ, ଜାରି ରହିଛି ଚକ ଓ ଅଖ କାମ

ପୁରୀ: ରଥ ନିର୍ମାଣକୁ ନେଇ ରଥଖଳା ଚଳଚଞ୍ଚଳ । ଶ୍ରୀଜୀଉମାନଙ୍କର ରଥଯାତ୍ରା ପାଇଁ ରଥଖଳାରେ ତିନିରଥର ଅଖ କାମ ଅନୁକୂଳ ହୋଇଥିବା ବେଳେ ବିଶ୍ୱକର୍ମାମାନେ ନାହାକା ଅଖ ତିଆରି ଆରମ୍ଭ କରିଛନ୍ତି । ଗତକାଲି ତିନି ରଥର ୪୨ଟି ଚକରୁ ୧୬ଟି ଚକ ନିର୍ମାଣ ସରିଥିଲା। ଆଜି କାମ ଶେଷ ସୁଦ୍ଧା ତିନି ରଥର ଆଉ ଦୁଇଟି ଲେଖାଏଁ ଚକ ନିର୍ମାଣ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଆଜି ପବିତ୍ର ଶ୍ରୀକ୍ଷେତ୍ର ଭଉଁରୀ ତିଥି । ବିଧି ଅନୁଯାୟୀ ଏହି ଦିନ ତିନି ରଥର ୬ଟି ଚକ ଡେରାଯିବ।

ମହାରଣା ସେବକମାନେ ଚକ ପ୍ରସ୍ତୁତ ପାଇଁ ୮ଟି ଲେଖାଏଁ ପଇ ବିନ୍ଧ ଶେଷ କଲା ପରେ ତିନି ରଥର ସିଙ୍ଗଡ଼ାରେ ପଇ ସଂଯୋଗ ଶେଷ କରିଛନ୍ତି। ପଇରେ ବିଲେଇ ବାଡିଆ ହୋଇ ପଇ କଳସା ଜାରି ରହିଛି। ରଥ ଖଳାରେ ସ୍ଥାନାଭାବ ଯୋଗୁଁ ଅଧିକ ଚକ ନିର୍ମାଣ କରି ରଖିବା ସମ୍ଭବ ହେଉ ନଥିବାରୁ ଉପଯୁକ୍ତ ସ୍ଥାନ ଖୋଜା ଚାଲିଛି। ପରମ୍ପରା ପ୍ରକାରେ ଆଜି ଭଉଁରି ତିଥିରେ ଚକ ଓ ଅଖ ଡେରା ନୀତି ପରେ ନିର୍ମାଣ ସରିଥିବା ଚକଗୁଡ଼ିକୁ ବିଧିମତେ ବାହାରକୁ ନିର୍ଦ୍ଦିଷ୍ଟ ସ୍ଥାନକୁ ଅଣାଯିବ।

ଶ୍ରୀକ୍ଷେତ୍ର ଭଉଁରୀ ଦିନ ପ୍ରଭୁଙ୍କ ଆଜ୍ଞାମାଳ ଆସିବା ପୂର୍ବରୁ ଏହା ସଂଯୋଗ କରାଯିବ। ଅନ୍ୟପକ୍ଷରେ ଜୁନ୍‍ ୨୨ ତାରିଖରେ ମହାପ୍ରଭୁଙ୍କ ସ୍ନାନ ପୂର୍ଣ୍ଣିମା ନେଇ ପ୍ରସ୍ତୁତି ଆରମ୍ଭ ହୋଇଛି । ସ୍ନାନପୂର୍ଣ୍ଣିମା ପରେ ମହାପ୍ରଭୁଙ୍କ ଅଣସର ନୀତି ଥିବାରୁ ଗୁପ୍ତନୀତି ପାଇଁ ଆବଶ୍ୟକ ଦ୍ରବ୍ୟ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସଂଗ୍ରହ କରାଯାଇଛି । ଏଥିଲାଗି ତିଗିରିଆ–ନୂଆପାଟଣା ଅଞ୍ଚଳରୁ ୩ କୁଇଣ୍ଟାଲ ବାସୁଙ୍ଗାପାଟ ଶ୍ରୀମନ୍ଦିର କାର୍ଯ୍ୟାଳୟରେ ପହଁଞ୍ଚଛି । ଏଥିଲାଗି ନୂଆପାଟଣା ଟସର ବ୍ୟବସାୟୀଙ୍କୁ ବରାଦ ଦିଆଯାଇଥିଲା । ଏହି ବାସୁଙ୍ଗାପାଟକୁ ପ୍ରଶାସନିକ ଅଧିକାରୀଙ୍କୁ ହସ୍ତାନ୍ତର କରାଯାଇଛି ।

Comments are closed.