ନୂଆଦିଲ୍ଲୀ: ଶନିବାର ସଂଧ୍ଯାରେ ରାଜଧାନୀ ଦିଲ୍ଲୀରେ ଥିବା ରେଳ ଷ୍ଟେସନରେ ଦଳଚକଟା ସ୍ଥିତି । କୁମ୍ଭମେଳାକୁ ଯିବା ପାଇଁ ନୂଆଦିଲ୍ଲୀ ରେଳ ଷ୍ଟେସନରେ ଭିଡ଼ ଜମିଥିଲା । ନୂଆଦିଲ୍ଲୀ ରେଳ ଷ୍ଟେସନରେ ଟ୍ରେନ୍ ବାତିଲ ଯୋଗୁଁ ଭିଡ଼ ଅଧିକ ଥିଲା, ଯାହା ଫଳରେ ଅଣାୟତ ସ୍ଥିତି ସୃଷ୍ଟି ହୋଇଥିଲା। ଏଥିରେ ପାଖାପାଖି ୧୫ ଜଣ ଆହତ ହୋଇଥିବା ପ୍ରାରମ୍ଭିକ ରିପୋର୍ଟରୁ ଜଣାପଡ଼ିଛି । ତେବେ ଖବର ପାଇ ରେଳବାଇ କର୍ତ୍ତୃପକ୍ଷ ଓ ସୁରକ୍ଷାକର୍ମୀ ଘଟଣାସ୍ଥଳରେ ପହଞ୍ଚିଥିଲେ।
ନୂଆଦିଲ୍ଲୀ ରେଳ ଷ୍ଟେସନର ୧୪ ଓ ୧୫ ନମ୍ବର ପ୍ଲାଟଫର୍ମକୁ ୪ଟି ଦମକଳ ଗାଡ଼ି ପଠାଯାଇଛି। ମିଳିଥିବା ସୂଚନା ଅନୁଯାୟୀ ପ୍ରୟାଗରାଜ ଅଭିମୁଖେ ଯାଉଥିବା ଦୁଇଟି ଟ୍ରେନ୍ ବାତିଲ ହୋଇଥିବାରୁ ଷ୍ଟେସନରେ ପ୍ରବଳ ଭିଡ଼ ଜମିଥିଲା। ହଠାତ୍ ଟ୍ରେନ୍ ବାତିଲ ଘୋଷଣା ହେବା ପରେ ଯାତ୍ରୀମାନେ ଆତଙ୍କିତ ହୋଇପଡ଼ିଥିଲେ । ଏହାପରେ ବିଶୃଙ୍ଖଳା ସୃଷ୍ଟି ହେବା ସହ ଦଳାଚକଟା ଭଳି ପରିସ୍ଥିତି ସୃଷ୍ଟି ହୋଇଥିଲା। ଦମକଳ ବାହିନୀ ପହଞ୍ଚିବା ପୂର୍ବରୁ ଆହତ ଯାତ୍ରୀଙ୍କୁ ମେଡିକାଲକୁ ନିଆଯାଇଥିଲା। ରେଲଓ୍ବେ ଷ୍ଟେସନରେ ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ଅତିରିକ୍ତ ସୁରକ୍ଷା ବଳ ମୁତୟନ କରାଯାଇଛି। ଘଟଣାସ୍ଥଳରେ ୪ଟି ଦମକଳ ବାହିନୀ ପହଞ୍ଚି ରିଲିଫ କାର୍ଯ୍ୟ ଜାରି ରଖିଛନ୍ତି। ଯାତ୍ରୀମାନେ ଶାନ୍ତ ରହିବା ସହ ଗୁଜବ ପ୍ରତି ଧ୍ୟାନ ନଦେବାକୁ ରେଳବାଇ କର୍ତ୍ତୃପକ୍ଷ ନିବେଦନ କରିଛନ୍ତି। ଟ୍ରେନ୍ କାହିଁକି ବାତିଲ କରାଗଲା ଏବଂ ପର୍ଯ୍ୟାପ୍ତ ବ୍ୟବସ୍ଥା କରାଗଲା କି ନାହିଁ ତାହା ଜାଣିବା ପାଇଁ ରେଳ ଅଧିକାରୀମାନେ ପୂରା ଘଟଣାର ତଦନ୍ତ କରୁଛନ୍ତି। ପ୍ରଭାବିତ ଯାତ୍ରୀଙ୍କ ପାଇଁ ସ୍ୱତନ୍ତ୍ର ହେଲ୍ପଲାଇନ ନମ୍ବର ଜାରି କରାଯାଇପାରେ ।
ରେଳ ମନ୍ତ୍ରଣାଳୟ ପକ୍ଷରୁ ଜାରି ବିବୃତିରେ କୁହାଯାଇଛି ଯେ ରେଳବାଇ ପୋଲିସ ଏବଂ ଦିଲ୍ଲୀ ପୋଲିସ ଷ୍ଟେସନ (ନୂଆଦିଲ୍ଲୀ ରେଳ ଷ୍ଟେସନ)ରେ ପହଞ୍ଚିଛନ୍ତି। ପରିସ୍ଥିତି ନିୟନ୍ତ୍ରଣରେ ଥିବା ବେଳେ ଆହତମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଅନ୍ୟପକ୍ଷରେ ଉତ୍ତର ରେଳବାଇର ସିପିଆରଓ ସ୍ପଷ୍ଟ କରିଛନ୍ତି ଯେ ନୂଆଦିଲ୍ଲୀ ରେଳ ଷ୍ଟେସନରେ କୌଣସି ଭିଡ଼ ହୋଇନାହିଁ। ଏହା କେବଳ ଏକ ଗୁଜବ। ଉତ୍ତର ରେଳବାଇ ପ୍ରୟାଗରାଜକୁ ଦୁଇଟି ସ୍ୱତନ୍ତ୍ର ଟ୍ରେନ୍ ଚଳାଇବାକୁ ଯୋଜନା କରିଥିଲା।
ସୂଚନାଯୋଗ୍ୟ, ଜାନୁଆରୀ ୧୩ତାରିଖରୁ ପ୍ରୟାଗରାଜ ସହରରେ ମହାକୁମ୍ଭ ଆରମ୍ଭ ହୋଇ ଫେବ୍ରୁଆରି ୨୬ ତାରିଖ ପର୍ଯ୍ୟନ୍ତ ଚାଲିବ। ମହାକୁମ୍ଭ ଯୋଗୁଁ ରେଳବାଇ ପକ୍ଷରୁ ଅନେକ ସ୍ବତନ୍ତ୍ର ଟ୍ରେନ୍ ଚଳାଚଳ କରାଯାଉଛି। ନିକଟରେ ରେଳବାଇ ଅଧିକାରୀମାନେ କହିଥିଲେ ଯେ ମହାକୁମ୍ଭ ସମୟରେ ରେଳବାଇ ପ୍ରୟାଗରାଜକୁ ଦୈନିକ ୩୦୦ରୁ ଅଧିକ ଟ୍ରେନ୍ ଚଳାଚଳ କରୁଛି। ଏହା ସତ୍ତ୍ୱେ ପ୍ରୟାଗରାଜ ଯାଉଥିବା ଲୋକଙ୍କ ସଂଖ୍ୟା ଏତେ ଅଧିକ ଯେ ଟ୍ରେନରେ ରିଜର୍ଭେସନ୍ ମିଳୁନାହିଁ। ଟ୍ରେନରେ ଚଢ଼ିବା ପାଇଁ ଲୋକଙ୍କୁ ଅନେକ ଭିଡକୁ ସାମ୍ମା କରିବାକୁ ପଡୁଛି ।
Comments are closed.