Latest Odisha News

BREAKING NEWS

କ୍ଷତି ସହୁଛି ଷ୍ଟାର, ୮୩୦ କୋଟି ଟଙ୍କା ଛାଡ ପାଇଁ ଦାବି

ନୂଆଦିଲ୍ଲୀ: ଷ୍ଟାର ସ୍ପୋର୍ଟସ ପାଇଁ ଟି-୨୦ ବିଶ୍ୱକପ ୨୦୨୪ ଆଦୌ ଭଲ ନଥିଲା। ଆଇସିସି ଏବଂ ଷ୍ଟାର ମଧ୍ୟରେ ୩ ବିଲିୟନ ଡଲାରର ଚୁକ୍ତି ହୋଇଥିବା ବେଳେ ଆମେରିକା ଏବଂ ୱେଷ୍ଟଇଣ୍ଡିଜରେ ଅନୁଷ୍ଠିତ ଟି-୨୦ ବିଶ୍ୱକପ ଯୋଗୁ କ୍ଷତି ସହିଥିଲା।

‘କ୍ରିକବଜ୍’ର ଏକ ରିପୋର୍ଟ ଅନୁଯାୟୀ, ଷ୍ଟାର ଏବେ ବିଭିନ୍ନ କାରଣକୁ ନେଇ ଚାମ୍ପିଅନସିପର ସାମଗ୍ରିକ ମୂଲ୍ୟ ଉପରେ ରିହାତି ଦାବି କରୁଛନ୍ତି।

ଅନ୍ୟ ଏକ ରିପୋର୍ଟ ଅନୁଯାୟୀ, ଆଇସିସିଙ୍କୁ ଦୁଇଟି ଚିଠି ଲେଖିଥିଲା ଷ୍ଟାର। ଏହା ବ୍ୟତୀତ ଗତ ମାସରେ କଲମ୍ବୋରେ ଆୟୋଜିତ ବାର୍ଷିକ ସମ୍ମିଳନୀରେ ଏହି ବିଷୟରେ ଆଲୋଚନା ମଧ୍ଯ କରାଯାଇଥିଲା। ବର୍ତ୍ତମାନର ଆଇସିସି ଅଧ୍ୟକ୍ଷ ଗ୍ରେଗ ବାରକଲେ ମଧ୍ୟ ଅଧିକାରୀଙ୍କ ସହ ଏ ବାବଦରେ ଆଲୋଚନା କରିଥିଲେ। ତେବେ ଚୂଡ଼ାନ୍ତ ନିଷ୍ପତ୍ତି ବୋର୍ଡ ଉପରେ ନିର୍ଭର କରିବ ବୋଲି ଜଣାପଡିଛି।

ବିଭିନ୍ନ କାରଣରୁ ଷ୍ଟାର ବିଶ୍ୱକପରେ ୧୦୦ ମିଲିୟନ ଡଲାରରୁ ଅଧିକ (ପ୍ରାୟ ୮୩୦ କୋଟି ଟଙ୍କା) ଛାଡ ପାଇଁ ଦାବି କରୁଛନ୍ତି। ତେବେ ଫ୍ଲୋରିଡାଠାରେ ଭାରତ ଏବଂ କାନାଡା ମଧ୍ୟରେ ବାତିଲ ହୋଇଥିବା ମ୍ୟାଚ୍ ଏହି ଛାଡ ଦାବି କରିବାର ମୁଖ୍ୟ କାରଣ ବୋଲି କୁହାଯାଉଛି।

ଭାରତ-କାନାଡା ବ୍ୟତୀତ ଇଂଲଣ୍ଡ ବନାମ ସ୍କଟଲ୍ୟାଣ୍ଡ, ଆମେରିକା ବନାମ ଆୟର୍ଲାଣ୍ଡ ଏବଂ ଶ୍ରୀଲଙ୍କା ବନାମ ନେପାଳ ଭଳି କିଛି ମ୍ୟାଚ ମଧ୍ୟ ବାତିଲ କରାଯାଇଥିଲା। ଯଦିଓ, ବ୍ରୋଡକାଷ୍ଟ କାରବାରରେ ସାଧାରଣତଃ ରିଫଣ୍ଡ କ୍ଲଜ ଅନ୍ତର୍ଭୁକ୍ତ ନଥାଏ। ସେଥିପାଇଁ ଷ୍ଟାର୍ ଆଇସିସିକୁ ମନାଇବାରେ କେତେ ସକ୍ଷମ ହେଉଛି ତାହା ଦେଖିବାକୁ ବାକି ରହିଲା।

କେବଳ ଏତିକି ନୁହେଁ ଆଫଗାନିସ୍ତାନ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ କମ୍ ସ୍କୋରିଂ ସେମିଫାଇନାଲକୁ ନେଇ ମଧ୍ୟ ଷ୍ଟାର ଉଦବେଗ ପ୍ରକାଶ କରିଥିଲା। କାରଣ ଏହି ମ୍ୟାଚରେ ଆଫଗାନିସ୍ତାନ ୫୬ରନ୍ ରେ ଆଉଟ୍ ହୋଇଯାଇଥିଲା। ମାତ୍ର ୯ ଓଭର ମଧ୍ଯରେ ଲକ୍ଷ୍ୟ ହାସଲ କରିନେଇ ଥିଲା ଦକ୍ଷିଣ ଆଫ୍ରିକା।

 

Comments are closed.