ଅଯୋଧ୍ୟା: କରୋନା ସଙ୍କଟ ମଧ୍ୟରେ ସରାୟୁ ନଦୀ କୂଳରେ ଆରମ୍ଭ ହୋଇଛି ଭବ୍ୟ ରାମଲୀଲା । ଶନିବାରଠାରୁ ଆରମ୍ଭ ହୋଇଥିବା ଏହି ରାମଲୀଲାରେ ସିନେ ଜଗତର କିଛି କଳାକାର ମଧ୍ୟ ସାମିଲ ହୋଇଛନ୍ତି । କେବଳ ଏତିକି ନୁହେଁ ଏହି ରାମଲୀଳାରେ ଭାରତୀୟ ଜନତା ପାର୍ଟିର ଦୁଇ ସାଂସଦ ତଥା ଅଭିନେତା ମନୋଜ ତିଓ୍ଵାରୀ ଓ ରବି କିଶନ ମଧ୍ୟ ନିଜ ନିଜ ଚରିତ୍ରରେ ଅଭିନୟ କରୁଛନ୍ତି । ମନୋଜ ତିଓ୍ଵାରୀ ଅଙ୍ଗଦ ଏବଂ ରବି କିଶନ ଭରତ ଭୂମିକାରେ ଅଭିୟନ କରୁଛନ୍ତି ।
ଟିଭି ଧାରାବାହିକ ରାମାୟଣରେ ହନୁମାନ ଭୂମିକାରେ ଅଭିନୟ କରିଥିବା ଦାରା ସିଂହଙ୍କ ପୁତ୍ର ତଥା ଅଭିନେତା ବିନ୍ଧୁ ଦାରା ସିଂହ ରାମଲୀଳାରେ ହନୁମାନ ଭୂମିକାରେ ନଜର ଆସିଛନ୍ତି । ପ୍ରସିଦ୍ଧ ହାସ୍ୟ କଳାକାର ଅସରାନୀ ନାରଦ ଭୂମିକାରେ ଅଭିନୟ କରିଛନ୍ତି। ଶେହବାଜ ଖାନ ରାବଣ ଏବଂ ରଜା ମୁରାଦ ଅହିରାବଣ ଭୂମିକାରେ ନଜର ଆସିଛନ୍ତି । ସୋନୁ ନାଗର ରାମ ଏବଂ କବିତା ଯୋଶୀ ସୀତା ଚରିତ୍ରରେ ଅଭିନୟ କରିଛନ୍ତି।
ରାମଙ୍କ ବସ୍ତ୍ର ଜନକପୁରରୁ ଅଣା ଯାଇଥିବା ବେଳେ ଧନୁ କୁରୁକ୍ଷେତ୍ରରୁ ମଗାଯାଇଛି। ସୀତାଙ୍କ ଆଭୂଷଣ ଅଯୋଧ୍ୟାରେ ପ୍ରସ୍ତୁତ କରାଯାଇଛି। ରାବଣଙ୍କ ପୋଷାକ ଶ୍ରୀଲଙ୍କାରୁ ପ୍ରସ୍ତୁତ ହୋଇ ଆସୁଛି। ଏହି ରାମାୟଣ ୧୪ ଭିନ୍ନ ଭିନ୍ନ ଭାଷାରେ ଡିଜିଟାଲ ଭାବେ ଉପଲବ୍ଧ ହେବ। ଏହି ଭବ୍ୟ ରାମଲୀଳାର ପ୍ରସାରଣ ସାମାଜିକ ଗଣମାଧ୍ୟମରେ କରାଯିବ। ଶନିବାରଠାରୁ ଆରମ୍ଭ ହେଇଥିବା ରାମଲୀଳା ଅକ୍ଟୋବର ୨୫ ପର୍ଯ୍ୟନ୍ତ ଚାଲିବ। ସରୟୁ ନଦୀ କୂଳରେ ସ୍ଥିତ ଲକ୍ଷ୍ମଣ କିଲା ପଡିଆରେ ରାମଲୀଳାର ଭବ୍ୟ ସେଟ୍ ତିଆରି କରାଯାଇଛି।
Comments are closed.