Latest Odisha News

BREAKING NEWS

ଏଣିକି ଏସବିଆଇରୁ ୪ ଥରରୁ ଅଧିକ ଟଙ୍କା ଉଠାଇଲେ ଦେବାକୁ ପଡ଼ିବ ଚାର୍ଜ, ଜାଣନ୍ତୁ ନୂଆ ନିୟମ

ନୂଆଦିଲ୍ଲୀ: ଭାରତୀୟ ଷ୍ଟେଟ୍ ବ୍ୟାଙ୍କ (ଏସବିଆଇ) ନିଜ ଗ୍ରାହକମାନଙ୍କ ପାଇଁ ଏକ ବଡ଼ ଖବର ଆଣିଛି। ବିଶେଷକରି ଯେଉଁମାନଙ୍କର ଏସବିଆଇରେ ‘ବେସିକ୍ ସେଭିଙ୍ଗସ୍ ବ୍ୟାଙ୍କ ଡିପୋଜିଟ୍’ ଆକାଉଣ୍ଟ ରହିଛି ଏବଂ ଯେଉଁମାନେ ମାସକୁ ଏକାଧିକ ଥର ନଗଦ ଟଙ୍କା ଉଠାଣ କରୁଛନ୍ତି, ସେମାନଙ୍କ ପାଇଁ ଏହି ସୂଚନା ନିହାତି ଜରୁରୀ। ବ୍ୟାଙ୍କ ନିଜର ନଗଦ ଟଙ୍କା ଉଠାଣ ନିୟମରେ ଏକ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ କରିବାକୁ ଯାଉଛି, ଯାହା ଆସନ୍ତା ଅକ୍ଟୋବର ୧, ୨୦୨୬ ତାରିଖରୁ ସମଗ୍ର ଦେଶରେ ଲାଗୁ ହେବ ।

ନୂଆ ନିୟମ ଅନୁଯାୟୀ କ’ଣ ବଦଳିବ?

ନୂତନ ସଂଶୋଧିତ ନିୟମ ଅନୁଯାୟୀ, ଆସନ୍ତା ଅକ୍ଟୋବର ୧ ତାରିଖରୁ ବିଏସବିଡି ଆକାଉଣ୍ଟଧାରୀମାନେ ଗୋଟିଏ ମାସରେ କେବଳ ୪ ଥର ବିନା ମୂଲ୍ୟରେ ବା ମାଗଣାରେ ନଗଦ ଟଙ୍କା ଉଠାଇ ପାରିବେ। ଏହି ସୀମା ଅତିକ୍ରମ କରିବା ପରେ, ଅର୍ଥାତ୍ ମାସକୁ ୪ ଥରରୁ ଅଧିକ କ୍ୟାଶ୍ ଉଠାଇଲେ ପ୍ରତି ଅତିରିକ୍ତ କାରବାର ଉପରେ ଗ୍ରାହକଙ୍କୁ ୧୫ ଟଙ୍କା ଚାର୍ଜ ଏବଂ ତା’ ସହିତ ଅତିରିକ୍ତ ଜିଏସଟି ଦେବାକୁ ପଡ଼ିବ । ଏହି ନୂତନ ନିୟମରେ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ହେଉଛି ଯେ, ପୂର୍ବରୁ ଡିଜିଟାଲ୍ କାରବାରକୁ ଏହି ୪ଟି ମାଗଣା ଟଙ୍କା ଉଠାଣ ହିସାବରୁ ବାଦ୍ ଦିଆଯାଉଥିଲା, କିନ୍ତୁ ଏବେ ସେହି ବ୍ୟବସ୍ଥାକୁ ମଧ୍ୟ ହଟାଇ ଦିଆଯାଇଛି ।

ବିଏସବିଡି (BSBD) ଆକାଉଣ୍ଟ କ’ଣ?

ସାଧାରଣତଃ ଏହି ଖାତା ସେହି ଲୋକମାନଙ୍କ ପାଇଁ ଉଦ୍ଦିଷ୍ଟ, ଯେଉଁମାନେ ସର୍ବନିମ୍ନ ବାଲାନ୍ସ ନରଖି ବ୍ୟାଙ୍କିଙ୍ଗ୍ ସେବା ପାଇବାକୁ ଚାହାଁନ୍ତି । ଦେଶର ଗରିବ ଓ ନିମ୍ନ ମଧ୍ୟବିତ୍ତ ବର୍ଗର ଲୋକମାନଙ୍କୁ ବ୍ୟାଙ୍କିଙ୍ଗ୍ ବ୍ୟବସ୍ଥା ସହ ଯୋଡ଼ିବା ପାଇଁ ଏହି ସୁବିଧା ଆରମ୍ଭ କରାଯାଇଥିଲା। ଏହି ଆକାଉଣ୍ଟରେ ଗ୍ରାହକମାନଙ୍କୁ ଏକ ବେସିକ୍ ରୁପେ ଏଟିଏମ୍ କମ୍ ଡେବିଟ୍ କାର୍ଡ ମାଗଣାରେ ପ୍ରଦାନ କରାଯାଇଥାଏ, ଯାହାର କୌଣସି ବାର୍ଷିକ ରକ୍ଷଣାବେକ୍ଷଣ ଶୁଳ୍କ ଦେବାକୁ ପଡ଼େ ନାହିଁ । ବ୍ୟାଙ୍କ ଶାଖା କିମ୍ବା ଏଟିଏମ୍‌ରୁ ଟଙ୍କା ଉଠାଇବାର ସୁବିଧା ଥିବାବେଳେ ଏଥିରେ ଚେକ୍ ବୁକ୍ ସୁବିଧା ମିଳିନଥାଏ। ଏହାସହ ଆରଟିଜିଏସ ବା ଏନଇଏଫଟି ମାଧ୍ୟମରେ ଟଙ୍କା ଜମା କରିବା ଏବଂ ନିଷ୍କ୍ରିୟ ଖାତାକୁ ସଚଳ କରିବା ସମ୍ପୂର୍ଣ୍ଣ ମାଗଣା ରହିଥାଏ।

କେମିତି ଖୋଲିବେ ଏହି ଆକାଉଣ୍ଟ?

ଏସବିଆଇରେ ବିଏସବିଡି ଆକାଉଣ୍ଟ ଖୋଲିବାକୁ ଚାହୁଁଥିବା ଗ୍ରାହକଙ୍କ ପାଇଁ ଏକ ସ୍ୱତନ୍ତ୍ର ସର୍ତ୍ତ ରହିଛି। ଆବେଦନକାରୀଙ୍କ ନାମରେ ପୂର୍ବରୁ ଏସବିଆଇରେ ଅନ୍ୟ କୌଣସି ସେଭିଙ୍ଗସ୍ (ସଞ୍ଚୟ) ଆକାଉଣ୍ଟ ଥିବା ଅନୁଚିତ୍। ଯଦି ଆପଣଙ୍କର ପୂର୍ବରୁ ଏକ ସାଧାରଣ ସେଭିଙ୍ଗସ୍ ଆକାଉଣ୍ଟ ଅଛି, ତେବେ ବିଏସବିଡି ଆକାଉଣ୍ଟ ଖୋଲିବାର ୩୦ ଦିନ ମଧ୍ୟରେ ପୁରୁଣା ଖାତାଟିକୁ ବନ୍ଦ କରିବା ବାଧ୍ୟତାମୂଳକ ।

ତେଣୁ, ଆକାଉଣ୍ଟରୁ ବାରମ୍ବାର ଟଙ୍କା ଉଠାଉଥିଲେ ଆସନ୍ତା ଅକ୍ଟୋବର ୧ ତାରିଖରୁ ଲାଗୁ ହେବାକୁ ଥିବା ଏହି ନୂଆ ଚାର୍ଜ ଉପରେ ବିଶେଷ ଧ୍ୟାନ ରଖନ୍ତୁ। ଅଯଥା ଆର୍ଥିକ ଖର୍ଚ୍ଚରୁ ବର୍ତ୍ତିବା ପାଇଁ ମାସିକ ୪ଟି ମାଗଣା କାରବାର ସୀମା ମଧ୍ୟରେ ନିଜର ନଗଦ ଉଠାଣକୁ ସୀମିତ ରଖିବା ଲାଭଦାୟକ ହେବ।

Leave A Reply

Your email address will not be published.