ଭୁବନେଶ୍ୱର: ଆସନ୍ତାକାଲି ପଡିବ ବାଲେଶ୍ୱର-ତିର୍ତ୍ତୋଲ ଉପନିର୍ବାଚନ ଭୋଟ । ଏଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ଆଜି ଏନେଇ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ପ୍ରେସମିଟ୍ କରିଛନ୍ତି । ଆସନ୍ତାକାଲି ସକାଳ ୭ଟାରୁ ଆରମ୍ଭ ହୋଇ ସନ୍ଧ୍ୟା ୬ଟା ଯାଏଁ ହେବ ଭୋଟ୍ । ଭୋଟରଙ୍କ ସୁବିଧା ପାଇଁ ବୁଥ ସଂଖ୍ୟା ବଢ଼ାଯାଇଛି । ପୋଲିଂ ବୁଥ ଗୁଡିକୁ ସାନିଟାଇଜ କରାଯାଉଛି । ସାମାଜିକ ଦୂରତା ରଖି ଭୋଟର ଭୋଟ୍ ଦେବେ । ଗୋଟିଏ ବୁଥରେ ହଜାରେ ଭୋଟର ମତସାବ୍ୟସ୍ତ କରିବେ ।
ଭୋଟ୍ ପାଇଁ ୧୧ଟି ପରିଚୟପତ୍ର ମଧ୍ୟରୁ ଗୋଟିଏ ନେଇପାରିବେ । ଆଧାର, ପାସପୋର୍ଟ, ଡ୍ରାଇଭିଂ ଲାଇସେନ୍ସ ଦେଖାଇ ପାରିବେ । ଦିବ୍ୟାଙ୍ଗ ଭୋଟରଙ୍କ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି, ଯାହା ଫଳରେ ସେମାନଙ୍କୁ ମତଦାନ ପାଇଁ କୌଣସି ଅସୁବିଧା ହେବ ନାହିଁ। ଏନେଇ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ।
କରୋନା ଆକ୍ରାନ୍ତଙ୍କୁ ମତଦାନ କେନ୍ଦ୍ରକୁ ନଆସିବା ପାଇଁ କୁହାଯାଇଥିବା ବେଳେ ଥଣ୍ଡା, ଛିଙ୍କ ଓ କାଶ ହେଉଥିଲେ ଟୋକନ ନେଇ ଶେଷ ସମୟରେ ଭୋଟ ଦେବାକୁ କୁହାଯାଇଛି। ମତଦାନ ସମୟରେ ବୁଥରେ ଆଶାକର୍ମୀ ଓ ସ୍ବେଚ୍ଛାସେବୀ ଉପସ୍ଥିତ ରହିବେ। ସାମାଜିକ ଦୂରତା ରକ୍ଷା କରି ଭୋଟରଙ୍କୁ ଭୋଟ ଦେବାକୁ କୁହାଯାଇଛି।
ଏଥିସହ ମତଦାନ କେନ୍ଦ୍ରକୁ ଆସୁଥିବା ସମସ୍ତ ମତଦାତାଙ୍କର ଥର୍ମାଲ୍ ସ୍କ୍ରିନିଂ କରାଯିବ। ଯଦି କାହାର ଶରୀରର ଉତ୍ତାପ ସାଧାରଣ ଠାରୁ ଅଧିକ ଥାଏ କିମ୍ବା କୋଭିଡ୍ ଲକ୍ଷଣ ପ୍ରକାଶ ପାଉଥାଏ ତେବେ ତାଙ୍କୁ ଏକ ଟୋକନ୍ ଦିଆଯାଇ ଫେରାଇ ଦିଆଯିବ। ସେମାନେ ମତଦାନ ଶେଷ ପର୍ଯ୍ୟାୟରେ ଆସି ଏକାକୀ ଭୋଟ୍ ଦାନ କରିବେ ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ ସୂଚନା ଦେଇଛନ୍ତି।
Comments are closed.