Latest Odisha News

BREAKING NEWS

ରାଜ୍ୟରେ ସ୍ୱାସ୍ଥ୍ୟ ସେବାକୁ ସଂପୂର୍ଣ୍ଣ ନଷ୍ଟ କରିଛନ୍ତି ରାଜ୍ୟ ସରକାର: ସଜ୍ଜନ ଶର୍ମା

ଭୁବନେଶ୍ୱର: ରାଜ୍ୟରେ ସ୍ୱାସ୍ଥ୍ୟବସ୍ଥା ସଂପୂର୍ଣ୍ଣ ବିପର୍ଯ୍ୟସ୍ତ । ମୁଖ୍ୟମନ୍ତ୍ରୀ ନବୀନ ବାବୁଙ୍କ ଶାସନରେ ଓଡିଶାର ସ୍ୱାସ୍ଥ୍ୟ ସେବାକୁ ସମ୍ପୂର୍ଣ୍ଣ ନଷ୍ଟ ହୋଇଛି । ସ୍ୱାସ୍ଥ୍ୟ ବିଭାଗ ଦାୟୀତ୍ୱରେ ଥିବା ମନ୍ତ୍ରୀ ନବ ଦାସ, ପୂର୍ବତନ ସ୍ୱାସ୍ଥ୍ୟ ମନ୍ତ୍ରୀ ପ୍ରସନ୍ନ ଆଚାର୍ଯ୍ୟଙ୍କୁ ଏୟାର ଆମ୍ବୁଲାନ୍ସରେ ଅଣାଯାଇ ଭୂବନେଶ୍ୱରଠାରେ ଚିକିତ୍ସିତ କରାଯାଇଥିଲା । ସେହିପରି ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ଡା.ଦାମୋଦର ରାଉତଙ୍କୁ ଚିକିତ୍ସା ଅବହେଳା କାରଣରୁ କ୍ୟାପିଟାଲ ହସ୍ପିଟାଲରୁ ଘରୋଇ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା ବୋଲି ସ୍ୱର୍ଗତଃ ରାଉତଙ୍କ ପୁତ୍ର ଅଭିଯୋଗ କରିଥିଲେ । ଯଦି ବଡ ଲୋକଙ୍କ ଅବସ୍ଥା ସରକାରୀ ମେଡିକାଲରେ ଏମିତି, ତାହାଲେ ସାଧାରଣ ଲୋକଙ୍କ ଅବସ୍ଥା କଣ ତାହା ସ୍ପଷ୍ଟ ଅନୁମେୟ । ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟସେବାର ଏହାଠୁ ବଡ ଉଦାହରଣ ଆଉ କିଛି ନାହିଁ ବୋଲି ରାଜ୍ୟ ମୁଖ୍ୟ ମୁଖପାତ୍ର ସଜ୍ଜନ ଶର୍ମା କହିଛନ୍ତି ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶାସନକୁ ଆସିବା ପରେ ଓଡ଼ିଶାର ବିକାଶ ପାଇଁ ଧନର କୌଣସି ଅଭାବ ରଖିନାହାନ୍ତି । ଦେଶବାସୀଙ୍କୁ ଉନ୍ନତମାନର ସ୍ୱାସ୍ଥ୍ୟ ସେବା ଯୋଗାଇବା ଉଦ୍ଦେଶ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆୟୁଷ୍ମାନ ଭାରତ ଯୋଜନାର କାର୍ଯ୍ୟକାରୀ କରିଛନ୍ତି । ଓଡ଼ିଶାର ସମସ୍ତ ସରକାରୀ ବ୍ୟବସ୍ଥାକୁ ଭୂଷୁଡାଇ କିଛି ମୁଷ୍ଟିମେୟ ଲୋକଙ୍କୁ ଲାଭବାନ କରିବା ପାଇଁ ରାଜ୍ୟ ସରକାର କାମ କରୁଛି । ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ବିଜେଡି ସରକାରର ଭାବମୁର୍ତି ମଳିନ ପଡିଯିବା ଭୟରେ ବାରମ୍ବାର ଦାବୀ ସତ୍ୱେ ଓଡିଶାରେ ଆୟୁଷ୍ମାନ ଭାରତ ଯୋଜନାକୁ କାର୍ଯ୍ୟକାରୀ କରାଯାଉନାହିଁ । ଆୟୁଷ୍ମାନ ଭାରତକୁ କାର୍ଯ୍ୟକାରୀ କରଗଲା ନାହିଁ କିନ୍ତୁ ଆରୋଗ୍ୟ ମନ୍ଦିର ପାଇଁ କେନ୍ଦ୍ରରୁ ଆସୁଥିବା ଟଙ୍କାକୁ ନେଇଗଲେ । ମୋଦି ସରକାର ଶାସନକୁ ଆସିବା ପରେ ଅର୍ଥାତ ୨୦୧୪ ମସିହା ପରଠାରୁ କେବଳ ଜାତୀୟ ସ୍ୱାସ୍ଥ୍ୟ ମିଶନ, କେନ୍ଦ୍ରୀୟ ଅନୁଦାନ ଓ ସହାୟତାରେ ଓଡିଶାରେ ବଡ ବଡ ମେଡିକାଲ କଲେଜ ଗଢି ଉଠିଛି ।

ଓଡ଼ିଶାର ବିକାଶ ପାଇଁ ଟଙ୍କାର ଅଭାବ ରହିବ ନାହିଁ ବୋଲି ମୋଦିଜୀ ସଂକଳ୍ପ ନେଇଛନ୍ତି । ମୋଦିଜୀଙ୍କ ପ୍ରତିଶ୍ରୁତିକୁ ପାଦେ ପାଦେ ଜଗିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏହାକୁ ଆଦୌ ସହ୍ୟ କରିପାରୁନାହାନ୍ତି ମୁଖ୍ୟମନ୍ତ୍ରୀ ନବୀନ ବାବୁ । ଲୋକେ ନିଜ ଅଂଚଳର ସମସ୍ୟାର ସମାଧାନ ପାଇଁ ସାଂସଦ ଭାବେ ନିର୍ବାଚିତ କରୁଛନ୍ତି, କିନ୍ତୁ ବିଜେଡି ସାଂସଦମାନେ ଦିଲ୍ଲୀ ଯାଇ କଣ କରୁଛନ୍ତି ବୋଲି ଶର୍ମା ପ୍ରଶ୍ନ କରିଛନ୍ତି ।

ରାଜ୍ୟରେ ୪୭ ହଜାର ଡାକ୍ତର ଆବଶ୍ୟକ ଥିବାବେଳେ ମାତ୍ର ୨୭ ହଜାର ଡାକ୍ତର ଅଛନ୍ତି । ରାଜ୍ୟର ୨୮୨୮୫ ନର୍ସିଂ ଅଫିସର ମଧ୍ୟରୁ ୧୭୩୮୫ ପଦ ଖାଲି, ୩୪୯୦ ଫାର୍ମାସିଷ୍ଟ ପଦବୀରୁ ୯୯୮ ପଦବୀ ଖାଲି, ୨୨୩୫ ଲ୍ୟାବରୋଟରୀ ଟେକନିସିଆନ ପଦବୀରୁ ୯୧୫ ଖାଲି, ୬୯୫ ରେଡିଓଲୋଜିଷ୍ଟ ପଦବୀରୁ ୩୭୮ ଖାଲି ପଡିଛି । ରାଜ୍ୟର ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟସେବା ପାଇଁ ରୋଗୀଙ୍କ ସଂଖ୍ୟା ବଢୁଛି । ରାଜ୍ୟ ସରକାରଙ୍କ ଅପାରଗତା କାରଣରୁ ସ୍ୱାସ୍ଥ୍ୟସେବା ବିପିର୍ଯ୍ୟସ୍ତ ହୋଇପଡିଛି । ଗରୀବ ରୋଗୀ ହନ୍ତସନ୍ତ ହେବା ସହିତ ମାନସିକ ଯନ୍ତ୍ରଣା ଭୋଗୁଛନ୍ତି । ଏ ସମସ୍ତ ସମସ୍ୟାର ସମାଧାନ ନକରି ଏବଂ ନିଜ ବିଫଳତାକୁ ଲୁଚାଇବା ପାଇଁ ବିଜେଡିର ନେତାମାନେ ଅନ୍ୟ ଉପରେ ଦୋଷ ଲଦି ଦେବାର ଅଭ୍ୟାସରେ ପରିଣତ ହୋଇଛି ବୋଲି ଶର୍ମା କହିଛନ୍ତି ।

Leave A Reply

Your email address will not be published.