ଭୁବନେଶ୍ବର: ‘ବିକଶିତ ଗାଁ, ବିକଶିତ ଓଡ଼ିଶା’ରେ ବଡ ପରିବର୍ତ୍ତନ କଲେ ରାଜ୍ୟ ସରକାର । ଏଥିରେ ଗ୍ରାମସଭାର ଭାଗୀଦାରି ବୃଦ୍ଧି କରାଯାଇଛି । ଏହି ଯୋଜନାରେ ନିର୍ମାଣ ହେଉଥିବା ପ୍ରକଳ୍ପରେ କୌଣସି ପ୍ରକାର କ୍ଷତିର ଭରଣା ସମ୍ପୃକ୍ତ ସଂସ୍ଥା କରିବ । ୧୦ ଲକ୍ଷ ଟଙ୍କାରୁ ଅଧିକ ମୂଲ୍ୟର ପ୍ରକଳ୍ପ ପାଇଁ ୩ ବର୍ଷ ପର୍ଯ୍ୟନ୍ତ ଡିଫେକ୍ଟ ଲାଏବିଲିଟି ପିରିୟଡ୍ ନିୟମ ଲାଗୁ ହେବ, ଅର୍ଥାତ ପ୍ରକଳ୍ପ ସମ୍ପୂର୍ଣ୍ଣ ହେବା ଦିନଠାରୁ ତିନି ବର୍ଷ ପର୍ଯ୍ୟନ୍ତ କୌଣସି ପ୍ରକାର ତ୍ରୁଟି ବିଚ୍ୟୁତି, ରକ୍ଷଣାବେକ୍ଷଣ ପାଇଁ ସମ୍ପୃକ୍ତ ଠିକା ସଂସ୍ଥା ଦାୟୀ ରହିବ ।
ସେହିପରି ପ୍ରକଳ୍ପ ଅନୁମୋଦନ ପ୍ରକ୍ରିୟା ସରଳ ହୋଇଥିଲା ବେଳେ ଦୀର୍ଘ ମିଆଦି ପ୍ରକଳ୍ପ ସଂଖ୍ୟା ବୃଦ୍ଧି ପାଇଁ ବ୍ୟବସ୍ଥା ହୋଇଛି । ଏ ନେଇ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ପକ୍ଷରୁ ସଂକଳ୍ପନାମା ପ୍ରକାଶ ପାଇଛି ।
ସଂକଳ୍ପନାମା ଅନୁଯାୟୀ, ସ୍ଥାନୀୟ ଅଞ୍ଚଳର ଆବଶ୍ୟକତା ଏବଂ ମିଳିଥିବା ଅନୁଦାନକୁ ଦୃଷ୍ଟିରେ ରଖି ଗ୍ରାମ ସଭା ପ୍ରକଳ୍ପ ତାଲିକା ପ୍ରସ୍ତୁତ କରିବ । ଏହି ପ୍ରସ୍ତାବଗୁଡ଼ିକୁ ଉକ୍ତ ବ୍ଲକର ନୋଡାଲ ଅଧିକାରୀ ଗ୍ରାମସଭାରୁ ସଂଗ୍ରହ କରି ତୁରନ୍ତ ଜିଲ୍ଲାପାଳଙ୍କ ନିକଟକୁ ପଠାଇବେ ।
ନୋଟିସ ପ୍ରକାଶନ ମାଧ୍ୟମରେ ଜିଲ୍ଲାପାଳ ମଧ୍ୟ ପ୍ରତିବର୍ଷ ପଞ୍ଚାୟତିରାଜ ଅନୁଷ୍ଠାନର ପ୍ରତିନିଧି, ନିର୍ବାଚିତ ଜନପ୍ରତିନିଧି, ସାମାଜିକ ଅନୁଷ୍ଠାନଗୁଡ଼ିକରୁ ପ୍ରକଳ୍ପ ପ୍ରସ୍ତାବ ଆହ୍ବାନ କରିବେ । ପ୍ରସ୍ତାବ ଆହ୍ବାନ ପାଇଁ ଜିଲ୍ଲାପାଳ, ବ୍ଲକ, ଜିଲ୍ଲା ପରିଷଦ କାର୍ଯ୍ୟାଳୟ ସମେତ ୱେବସାଇଟ୍ ଓ ପଞ୍ଚାୟତରେ ନୋଟିସ ଲଗାଯିବ । ନୋଟିସ ପ୍ରକାଶନର ୭ ଦିନ ମଧ୍ୟରେ ତାହା ଜିଲ୍ଲାପାଳଙ୍କ ନିକଟରେ ପହଞ୍ଚିବା ଆବଶ୍ୟକ ।
ଭାଗ ପକ୍ଷରୁ କୁହାଯାଇଛି, ପ୍ରକଳ୍ପ ପ୍ରସ୍ତାବଗୁଡ଼ିକ ଅନୁମୋଦନ ପାଇଁ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଏକ ଜିଲ୍ଲାସ୍ତରୀୟ କମିଟି ଗଠନ କରାଯିବ । ମୁଖ୍ୟ ଉନ୍ନୟନ ଅଧିକାରୀ/ଜିଲ୍ଲା ପରିଷଦ ନିର୍ବାହୀ ଅଧିକାରୀ କମିଟିର ଆବାହକ ଓ ଅତିରିକ୍ତ ଜିଲ୍ଲାପାଳ, ଗ୍ରାମ୍ୟ ଉନ୍ନୟନ ବିଭାଗର ଅଧୀକ୍ଷଣ ଯନ୍ତ୍ରୀ, ନିର୍ବାହୀ ଯନ୍ତ୍ରୀ ଏହାର ସଦସ୍ୟ ଦାୟିତ୍ବ ନିର୍ବାହ କରିବେ । ସମ୍ପୃକ୍ତ ଆର୍ଥିକ ବର୍ଷରେ ମିଳିଥିବା ପାଣ୍ଠିକୁ ବିଚାର କରି ଅଗ୍ରାଧିକାର ଭିତ୍ତିରେ ଗ୍ରାମସଭାରୁ ଆସିଥିବା ପ୍ରସ୍ତାବ ଉପରେ ନିଷ୍ପତ୍ତି ନିଆଯିବ ।