Latest Odisha News

BREAKING NEWS

ବାତ୍ୟା ‘ୟାସ୍’ର ପ୍ରାଥମିକ କ୍ଷୟକ୍ଷତି ରିପୋର୍ଟ ଦେଲେ ରାଜ୍ୟ ସରକାର

ଭୁବନେଶ୍ବର : ବାତ୍ୟା ‘ୟାସ୍‌’ର ପ୍ରାଥମିକ କ୍ଷୟକ୍ଷତି ଆକଳନ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ରିପୋର୍ଟ ପ୍ରଦାନ କରିଛନ୍ତି ରାଜ୍ୟ ସରକାର । ବାତ୍ୟାର ପ୍ରଭାବ ୧୨ଟି ଜିଲ୍ଲା ଉପରେ ପଡ଼ିଛି । ସେଥିରୁ ବାଲେଶ୍ବର, ଭଦ୍ରକ ଓ ମୟୂରଭଞ୍ଜ ଜିଲ୍ଲା ସର୍ବାଧିକ କ୍ଷତିଗ୍ରସ୍ତ ହୋଇଛି ବୋଲି ରିପୋର୍ଟ ଦର୍ଶାଯାଇଛି । କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲାରେ ଜଣେ ଲେଖାଏଁ ବ୍ୟକ୍ତି ପ୍ରାଣ ହରାଇଛନ୍ତି । ବାତ୍ୟାରେ ମୋଟ ୯ ହଜାର ୯୪୨ଟି ଗାଁର ୧୭ ଲକ୍ଷ ୫୦ ହଜାର ଲୋକ ପ୍ରଭାବିତ ହୋଇଛନ୍ତି । ସେହିପରି ମୋଟ ୧୮୬ଟି ପଶୁଙ୍କର ପ୍ରାଣହାନୀ ଘଟିଥିବା ରିପୋର୍ଟରେ ଦର୍ଶଯାଇଛି ।

 

ବାତ୍ୟା ପାଇଁ ୧୦ ଲକ୍ଷ ୯ ହଜାର ୪୦୨ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି । ଏହାସହିତ ରିଲିଫ ଓ ପୁନରୁଦ୍ଧାର କାର୍ଯ୍ୟରେ ଏନ୍‌ଡିଆର୍‌ଏଫ୍‌ର ୫୨ଟି ଟିମ୍‌, ଓଡ୍ରାଫ୍‌ର ୬୦, ଅଗ୍ନିଶମ ବାହିନୀର ୨୦୬, ରାଜ୍ୟ ଜଙ୍ଗଲ ବିଭାଗର ୮୬ ଟିମ୍‌ ଓ ୨୧୨ଟି ବୋଟ ମୁତୟନ ହୋଇଥିବା ଉଲ୍ଲେଖ କରାଯାଇଛି । ଜଳବନ୍ଦୀରେ ଥିବା ଲୋକଙ୍କ ପାଇଁ ୫ ହଜାର ୭୬୨ଟି ରିଲିଫ କ୍ୟାମ୍ପ୍‌ କରାଯାଇଛି । ସେଥିରେ ୫ ଲକ୍ଷ ୬ ହଜାର ୭୬୯ ଜଣ ଲୋକଙ୍କୁ ରଖାଯାଇ ୭ ଦିନ ପାଇଁ ମାଗଣା ରନ୍ଧା ଖାଦ୍ୟ, ପାନୀୟ ଜଳ, ପଲିଥିନ୍‌, ଚୁଡ଼ା, ଚାଉଳ ଓ ଗୁଡ଼ ଆଦି ଯୋଗାଇ ଦେବାକୁ ବ୍ୟବସ୍ଥା କରାଯାଇଛି । ବାତ୍ୟା ଯୋଗୁଁ ଲୁଣା ପାଣି ମାଡ଼ି ପ୍ରଭାବିତ ଜିଲ୍ଲାରେ ୧୫୧ ହେକ୍ଟର ଜମିରେ ଫସଲ ନଷ୍ଟ ହୋଇଥିବା ରିପୋର୍ଟରେ ଦର୍ଶାଯାଇଛି । ବାତ୍ୟାରେ ୧୦୩ଟି ଅଙ୍ଗନବାଡ଼ି କେନ୍ଦ୍ର ଭାଙ୍ଗିଥିବା ବେଳେ ୧୨୮ଟି ଗାଁ ଜଳମଗ୍ନ ହୋଇଛି । ଏହାସହ ୩୦୫ଟି ଗ୍ରାମୀଣ, ପୂର୍ତ୍ତ, ଜାତୀୟ ରାଜପଥ ନଷ୍ଟ ହୋଇଛି ।

 

ବାଲେଶ୍ବର ଓ ଭଦ୍ରକ ଜିଲ୍ଲାରେ ବିଦ୍ୟୁତ ସରବରାହ ପୁନରୁଦ୍ଧାର କରିବା ପାଇଁ ଯୁଦ୍ଧକାଳୀନ ଭିତ୍ତିରେ କାମ ଜାରି ରହିଛି । ବାତ୍ୟା ପରବର୍ତ୍ତୀ ୨୪ ଘଣ୍ଟା ଭିତରେ ବର୍ଷା ଯୋଗୁଁ ୧୮୩୩ଟି ଘର ନଷ୍ଟ ହୋଇଛି। ସେଥିରୁ ୧୪୮ଟି ସମ୍ପୂର୍ଣ୍ଣ ନଷ୍ଟ ହୋଇଥିବା ବେଳେ ୧୬୮୫ଟି ଘର ଆଂଶିକ ନଷ୍ଟ ହୋଇଛି। ବାତ୍ୟା ପ୍ରଭାବରେ ବାଲେଶ୍ବର ଜିଲ୍ଲାର ୮୪ଟି ଗାଁ ଓ ଭଦ୍ରକ ଜିଲ୍ଲାର ଚାନ୍ଦବାଲି ବ୍ଲକର ୪୪ ଗାଁରେ ସମୁଦ୍ରର ଲୁଣା ପାଣି ପଶିଯାଇଛି। ବାଲେଶ୍ବରର ଭୋଗରାଇ, ବାଲିଆପାଳ, ବସ୍ତା, ଜଳେଶ୍ବର, ବାଲେଶ୍ବର, ରେମୁଣା, ସୋରୋ, ବାହାନଗା, ଶିମୁଳିଆ, ଖଇରା, ନିଳଗିରି ଓ ଔପଦା ବ୍ଲକ୍‌ ବେଶି ପ୍ରଭାବିତ ହୋଇଛି । ୩୫୨ ଗ୍ରାମ ପଞ୍ଚାୟତ ପ୍ରଭାବିତ ହୋଇଥିବା ବେଳେ ବାଲେଶ୍ବର, ଜଳେଶ୍ବର, ସୋରୋ ଓ ନିଳଗିରି ବିଜ୍ଞାପିତ ପରିଷଦର ୬୮ଟି ଓ୍ବାର୍ଡ଼ ପ୍ରଭାବିତ ହୋଇଛି । ଏହାସହ ୩ ହଜାର ୫୧ ଗାଁର ୧ ଲକ୍ଷ ୮୯ ହଜାର ୯୮୩ ଲୋକ କ୍ଷତିଗ୍ରସ୍ତ ହୋଇଛନ୍ତି ।

 

ସେହିପରି ଭଦ୍ରକ ଜିଲ୍ଲାର ବାସୁଦେବପୁର, ଭଦ୍ରକ, ଭଣ୍ଡାରିପୋଖରୀ, ବନ୍ତ, ଚାନ୍ଦବାଲି, ଧାମନଗର ଓ ତିହିଡ଼ି ବ୍ଲକ ବାତ୍ୟାରେ ପ୍ରଭାବିତ ହୋଇଛି । ଭଦ୍ରକର ୨୧୮ଟି ଗ୍ରାମ ପଞ୍ଚାୟତର ୭ ଲକ୍ଷ ୧୬ ହଜାର ୮୪୫ ଜଣ ପ୍ରଭାବିତ ହୋଇଛନ୍ତି । କେନ୍ଦୁଝର ଜିଲ୍ଲାରେ ୧୩ଟି ବ୍ଲକ, ମୟୂରଭଞ୍ଜ ଜିଲ୍ଲାରେ ୨୬ଟି ବ୍ଲକ୍‌ ବାତ୍ୟାରେ ପ୍ରଭାବିତ ହୋଇଛି ।

 

Leave A Reply

Your email address will not be published.