Latest Odisha News

BREAKING NEWS

ଚନ୍ଦ୍ରଭାଗା ଓ ତଳସରୀ ବେଳାଭୂମିର ବିକାଶ ପାଇଁ ରାଜ୍ୟ ସରକାରଙ୍କ ଯୋଜନା

ଭୁବନେଶ୍ୱର: ଚନ୍ଦ୍ରଭାଗା ଓ ତଳସରୀର ସମୁଦ୍ରକୂଳକୁ ବିଶ୍ୱସ୍ତରୀୟ ପର୍ଯ୍ୟଟନ କେନ୍ଦ୍ର ଭାବେ ବିକଶିତ କରିବା ଲାଗି ରାଜ୍ୟସରକାର ଯୋଜନା ପ୍ରସ୍ତୁତ କରିଛନ୍ତି । ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଦୁଇ ଯୋଜନାର ରୂପାୟନ ସଂପର୍କରେ ଭିଡିଓ କନଫରେନ୍ସିଂ ଜରିଆରେ ଏକ ଉଚ୍ଚସ୍ତରୀୟ ବୈଠକ କରି ବିସ୍ତୃତ ଆଲୋଚନା କରିଥିଲେ।

ଏହି ଯୋଜନାରେ ପୁରୀ-କୋଣାର୍କ ବେଳାଭୂମିର ଚନ୍ଦ୍ରଭାଗା ଠାରେ ୧ କିଲୋମିଟର ବ୍ୟାପୀ ଅଂଚଳର ବିକାଶ କରାଯିବ। ଏଥି ପାଇଁ ପ୍ରସ୍ତୁତ ମାଷ୍ଟର ପ୍ଲାନରେ ଜଳକ୍ରୀଡ଼ା, ଆମୋଦପ୍ରମୋଦ, ସୁଦୃଶ୍ୟ ଚଲାପଥ, ସାଇକେଲ ଟ୍ରାକ୍, ସମୁଦ୍ରର କୂଳେ କୂଳେ କାଠର ଚଲାପଥ, ମୁକ୍ତ ରଂଗମଂଚ, ଛୋଟ ପିଲାଙ୍କ ଖେଳ ପାଇଁ ଅଂଚଳ, ସୂର‌୍ୟ୍ୟୋଦୟ ଦେଖିବା ପାଇଁ ମଂଚ, ଦୁଃସାହସିକ କ୍ରୀଡ଼ା ଆଦି ଅତ୍ୟାଧୁନିକ ସୁବିଧା ରହିବ । ଏହା ବ୍ୟତୀତ ଆଧୁନିକ ବର୍ଜ୍ୟବସ୍ତୁ ପରିଚାଳନ ବ୍ୟବସ୍ଥା, ଲ୍ୟାଣ୍ଡସ୍କେପିଂ, ବାଲି ସୁରକ୍ଷା ବ୍ୟବସ୍ଥା, ସୌର ଆଲୋକ ସୁବିଧା ସହିତ ସ୍ଥାନୀୟ ଲୋକଙ୍କ ଅଂଶଗ୍ରହଣକୁ ଉତ୍ସାହିତ କରାଯିବ। ଏହି କାର‌୍ୟ୍ୟ ଏକ ବର୍ଷ ମଧ୍ୟରେ ସଂପୂର୍ଣ୍ଣ କରିବା ଲକ୍ଷ୍ୟ ରଖାଯାଇଛି ।

ସେହିପରି ବାଲେଶ୍ୱରର ତଳସାରୀର ଭେଳାଭୂମିରେ ୨.୪ କିଲୋମିଟର ଅଂଚଳକୁ ବିକଶିତ କରାଯିବ। ଏଥିପାଇଁ ସେଠାରେ ତାରକା ହୋଟେଲ ଏବଂ ବଜେଟ ହୋଟେଲ ନିର୍ମାଣ କରିବା ପାଇଁ ଉତ୍ସାହିତ କରାଯିବ। ଏହି ବେଳାଭୂମିର ସୌନ୍ଦର୍ଯ୍ୟକୁ ପର୍ଯ୍ୟଟକମାନେ ଯେପରି ମନଭରି ଉପଭୋଗ କରିପାରିବେ, ସେଥିପାଇଁ ରୁଚିପୂର୍ଣ୍ଣ ଭାବରେ ପାଭିଲିଅନ ସହିତ ବର୍ଷା ଆଶ୍ରୟସ୍ଥଳ, କିଓସ୍କ, ସିଟିଂ ଆଇସଲ୍ୟାଣ୍ଡ, ସୋଲାର ଫଟୋ ଭୋଲାଟାଇକ, ଆମ୍ଫି-ଥ୍ରିଏଟ, ରେଷ୍ଟୁରାଣ୍ଟ ଆଦି ସୁବିଧା ପର‌୍ୟ୍ୟଟକମାନଙ୍କ ପାଇଁ କରାଯିବ।

Leave A Reply

Your email address will not be published.