Latest Odisha News

ରାଜ୍ୟ ସ୍ତରୀୟ ଉତ୍କଳ ଦିବସ ପାଳିତ

ଭୁବନେଶ୍ୱର : ଉତ୍କଳ ଦିବସ ଅବସରରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ, ସ୍ଥାନୀୟ ପ୍ରଦର୍ଶନୀ ପଡ଼ିଆରେ ରାଜ୍ୟସ୍ତରୀୟ ଉତ୍କଳ ଦିବସ ପାଳିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଆଭାସୀ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ।

ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ରଙ୍କ ସଭାପତିତ୍ୱରେ ଆୟୋଜିତ ଏହି ସମାରୋହରେ ମନ୍ତ୍ରୀ ରଘୁନନନ୍ଦ ଦାସ, ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ , ବିଧାୟକ ଅନନ୍ତ ନାରାୟଣ ଜେନା , ବିଧାୟକ ସୁଶାନ୍ତ କୁମାର ରାଉତ ଏବଂ ଶାସନ ସଚିବ ବିଷ୍ଣୁପଦ ସେଠୀ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ।

ଏହି ଅବସରରେ ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନ ସମ୍ପର୍କିତ ଏକ ଫଟୋଚିତ୍ର ପ୍ରଦର୍ଶନୀ ଏବଂ ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ଦ୍ୱାରା ବାଲୁକା କଳାକୃତି ପ୍ରଦର୍ଶିତ ହୋଇଯାଇଛି। ଏହା ସହ ‘ଉତ୍କଳ ପ୍ରସଙ୍ଗ ଏବଂ ଓଡ଼ିଶା ରିଭ୍ୟୁ’ର ସ୍ୱତନ୍ତ୍ର ସଂଖ୍ୟା ଏବଂ ବରିଷ୍ଠ ଲେଖକ ନୃସିଂହ ଚରଣ ସାହୁଙ୍କ ସଙ୍କଳିତ ‘ଆମେ ଓଡ଼ିଆ’ ସ୍ମାରକୀ ଗ୍ରନ୍ଥର ନବମ ଭାଗ ଲୋକାର୍ପିତ ହୋଇଥିଲା।

ପୋଲିସ ବ୍ୟାଣ୍ଡ ଦ୍ୱାରା ଓଡ଼ିଆ ଦେଶାତ୍ମବୋଧକ ସଙ୍ଗୀତର ଧୂନ ପରିବେଷଣ ପରେ ଉତ୍କଳ ଜନନୀଙ୍କ ଉଦ୍ଦେଶ୍ୟରେ ପୁଷ୍ପ ଅର୍ପଣ ଏବଂ ପ୍ରଦୀପ ପ୍ରଜ୍ଜ୍ଵଳନ ସହ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଥିଲା। ସର୍ବ ପ୍ରଥମେ ସୂଚନା ଲୋକ ସମ୍ପର୍କ ବିଭାଗର ଶାସନ ସଚିବଙ୍କ ସ୍ୱାଗତ ଭାଷଣ ପରେ ପରେ ମହାମହିମ ରାଷ୍ଟ୍ରପତି, ଉପ ରାଷ୍ଟ୍ରପତି ଏବଂ ପ୍ରଧାନମନ୍ତ୍ରଙ୍କ ବାର୍ତ୍ତା ପଢ଼ାଯାଇଥିଲା ଏବଂପରେ ମୁଖ୍ୟମନ୍ତ୍ରୀଙ୍କର ଭିଡ଼ିଓ ବାର୍ତ୍ତା ପ୍ରସାରିତ ହୋଇଥିଲା। ସମ୍ମାନିତ ଅତିଥିମାନେ ମଧ୍ୟ ସେମାନଙ୍କର ଅଭିଭାଷଣ ପ୍ରଦାନ କରିଥିଲେ।

ଏହି କାର୍ଯ୍ୟକ୍ରମରେ ଚିକତ୍ସା ସେବା କ୍ଷେତ୍ରରେ ୧୦ ଜଣ କରୋନା ଯୋଦ୍ଧାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ଏବଂ ପୂର୍ବରୁ ଆୟୋଜିତ ଓଡ଼ିଆ ବକୃତା ପ୍ରତିଯୋଗିତାର କୃତି ପ୍ରତିଯୋଗୀଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା। ପରିଶେଷରେ  ଓଡ଼ିଶାର ବିଶିଷ୍ଟ କଣ୍ଠଶିଳ୍ପୀମାନଙ୍କ ଦ୍ୱାରା ଦେଶାତ୍ମବୋଧ ସଙ୍ଗୀତ ପରିବେଷଣ ସହ ଓଡ଼ିଶୀ ଓ ସମ୍ବଲପୁରୀ ନୃତ୍ୟ ପରିବେଷିତ ହୋଇଥିଲା।

Leave A Reply

Your email address will not be published.