Latest Odisha News

BREAKING NEWS

ଦେଶ ପାଇଁ ସହିଦ ମାଧୋ ସିଂଙ୍କ ପରିବାରର ବଳିଦାନ ଅବିସ୍ମରଣୀୟ: ମନ୍ତ୍ରୀ ରଘୁନନ୍ଦନ ଦାସ

ଭୁବନେଶ୍ୱର: ଦେଶର ସ୍ୱାଧୀନତା ପାଇଁ ଅନେକ ବୀର ଜୀବନ ଦେଇଛନ୍ତି । ସେମାନଙ୍କ ମଧ୍ୟରେ ୧୮୫୭-୫୮ ମସିହା ସମୟରେ ମହାନ୍ ସ୍ୱାଧୀନତା ସଂଗ୍ରାମୀ ବୀର ସୁରେନ୍ଦ୍ର ସାଏ, ବ୍ରିଟିଶ୍ ଶାସକଙ୍କ ବିରୋଧରେ ଚଳାଇଥିବା ସଂଗ୍ରାମରେ ତାଙ୍କୁ ବିଭିନ୍ନ ଅଂଚଳରୁ ଯେଉଁ ସହଯୋଗ ମିଳିଥିଲା, ତନ୍ମଧ୍ୟରୁ ବରଗଡ ଜିଲ୍ଲା ଘେଂସ ଜମିଦାର ମାଧୋ ସିଂହ ବରିହା ଓ ତାଙ୍କର ପରିବାରର ସଦସ୍ୟଙ୍କ ଅବଦାନ ଅତୁଳନୀୟ ଥିଲା ବୋଲି ମଙ୍ଗଳବାର ଦିନ ସ୍ଥାନୀୟ ଜୟଦେବ ଭବନଠାରେ ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ, ସହିଦ କୁଞ୍ଜଳ ସିଂ କ୍ଲବ୍, ଘେଁସ, ବରଗଡ ଏବଂ ପଶ୍ଚିମ ଓଡିଶା ଅଗ୍ରଣୀ ସଂଗଠନର ମିଳିତ ଆନୁକୂଲ୍ୟରେ ଅନୁଷ୍ଠିତ ଏହି ଜୟନ୍ତୀ ସଭାରେ ମୁଖ୍ୟ ଅତିଥି ଭାବେ ରାଜ୍ୟ ଜଳ ସଂପଦ, ସୂଚନା ଓ ଲୋକ ସଂପର୍କ ମନ୍ତ୍ରୀ  ରଘୁନନ୍ଦନ ଦାସ ଯୋଗଦେଇ ଏହା ପ୍ରକାଶ କରିଛନ୍ତି ।

ଏହି ଅବସରରେ ମନ୍ତ୍ରୀ ଶ୍ରୀ ଦାସ କହିଲେ ଯେ, ସହିଦ ମାଧୋ ସିଂଙ୍କ ଭଳି ଆମ ରାଜ୍ୟର ବହୁ ସଂଗ୍ରାମୀ ଦେଶ ପାଇଁ ପ୍ରାଣବଳି ଦେଇଛନ୍ତି । ସେମାନଙ୍କ ସଂପର୍କରେ ଅଧିକ ଗବେଷଣା ଓ ଆଲୋଚନା ହେଲେ ଏହା ଆଗାମୀ ପିଢିକୁ ପ୍ରେରଣା ଯୋଗାଇବ । ସଂପ୍ରତି ସହିଦ ମାଧୋ ସିଂଙ୍କ ଫାଶୀ ଦିବସକୁ ରାଜ୍ୟ ସରକାରଙ୍କ ତରଫରୁ ପ୍ରତିବର୍ଷ ବୀରତା ଦିବସ ରୂପେ ପାଳନ କରାଯାଉଛି ।

ପ୍ରାରମ୍ଭରେ ଅତିଥିମାନେ ସହିଦ ମାଧୋ ସିଂଙ୍କ ତୈଳଚିତ୍ରରେ ପୁଷ୍ପଅର୍ଘ ଓ ପ୍ରଦୀପ ପ୍ରଜ୍ୱଳନ ପୂର୍ବକ ଶ୍ରଦ୍ଧାଂଜଳି ଜ୍ଞାପନ କରିଥିଲେ । ଏହି ଅବସରରେ ଦେଶ ପାଇଁ ଘେଁସ ପରିବାରର ଅବଦାନ ପ୍ରତି ସମ୍ମାନ ଜଣାଇ ସେହି ପରିବାରର କୂଳବଧୁ  ମମତା ସିଂ ବରିହାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ।

ଆୟୋଜିତ ଏହି ରାଜ୍ୟ ସ୍ତରୀୟ ଜୟନ୍ତୀ ସମାରୋହରେ ଉତ୍ସବରେ ସମ୍ମାନିତ ଅତିଥି ଭାବେ ରାଜ୍ୟ ଗ୍ରାମ୍ୟ ଉନ୍ନୟନ, ଶ୍ରମ ଓ କର୍ମଚାରୀ ରାଜ୍ୟବୀମା ମନ୍ତ୍ରୀ ଶ୍ରୀ ସୁଶାନ୍ତ ସିଂହ ଯୋଗଦେଇ ଘେଁସ ପରିବାରର ସଦସ୍ୟମାନଙ୍କର ବଳିଦାନର ଗାରିମାମୟ ଇତିହାସ ସଂପର୍କରେ ପାଠ୍ୟପୁସ୍ତକରେ ସ୍ଥାନିତ କରାଯିବାକୁ ଉଦ୍ୟମ କରାଯିବ ବୋଲି ପ୍ରକାଶ କରିଥିଲେ । ସମ୍ମାନିତ ଅତିଥି ଭାବେ ଯୋଗଦେଇ ପୂର୍ବତନ ସାଂସଦ ଶ୍ରୀ ପ୍ରଭାସ କୁମାର ସିଂ କହିଲେ ଯେ, ଘେଁସ ପରିବାରର ସେହି ସଂଗ୍ରାମୀ ମାନଙ୍କର ବୀରତ୍ୱର କାହାଣୀ ସଂପର୍କରେ ଅଧିକ ଗବେଷଣା ଓ ସ୍ମୃତିରକ୍ଷା ପାଇଁ ଅଧିକରୁ ଅଧିକ ଅଧ୍ୟୟନର ଆବଶ୍ୟକତା ରହିଛି ।

ଏ ଦିଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରଚେଷ୍ଟାରେ ଘେଁସଠାରେ ସ୍ମୃତି ଭବନ ନିର୍ମିତ ହୋଇଥିବା ରାଜ୍ୟ ସରକାରଙ୍କର ଏକ ସ୍ମରଣୀୟ ପଦକ୍ଷେପ ବୋଲି ପ୍ରକାଶ କରିଥିଲେ । ପ୍ରାରମ୍ଭରେ ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ପ୍ରଦାନ କରି ସୂଚନା ଓ ଲୋକ ସଂପର୍କ ବିଭାଗ ନିର୍ଦ୍ଦେଶକ  କୃପାସିନ୍ଧୁ ମିଶ୍ର ସହିଦ ମାଧୋ ସିଂ ଓ ତାଙ୍କ ପରିବାରର ସଦସ୍ୟମାନଙ୍କର ବଳିଦାନକୁ ସ୍ମରଣ କରି ଆମ ସମସ୍ତଙ୍କୁ ଦେଶ ଓ ଜାତିପାଇଁ କାର୍ଯ୍ୟକରି ଆଗକୁ ବଢିବାର ଅଛି ବୋଲି କହିଥିଲେ ।

ମୁଖ୍ୟ ବକ୍ତା ଭାବେ ବିଶିଷ୍ଟ ଗବେଷକ ତଥା ଶିକ୍ଷାବିତ୍ ପ୍ରଫେସର ପ୍ରୀତୀଶ ଆଚାର୍ଯ୍ୟ ଯୋଗଦେଇ କହିଲେ ଯେ, ୧୮୫୭ ସିପାହୀ ବିଦ୍ରୋହ ସମୟ ଓ ଏହା ପୂର୍ବରୁ ଯେଉଁଭଳି ଭାବେ ବିରତ୍ୱର ପରାକାଷ୍ଟା ଦେଖାଇ ବ୍ରିିଟିଶ୍ ଶାସନର ଅନ୍ୟାୟ, ଅତ୍ୟାଚାର ବିରୋଧରେ ଲଢିଥିଲେ ତାହାର ପଟ୍ଟାନ୍ତର ନାହିଁ । ମାଧୋ ସିଂଙ୍କ ସହିତ ତାଙ୍କ ୪ ପୁତ୍ର କୁଞ୍ଜଲ ସିଂ, ହଟେ ସିଂ, ବୈରୀ ସିଂ ମଧ୍ୟ ଏହି ସଂଗ୍ରାମରେ ସହିଦ ହୋଇଥିଲେ ।

ଜନ୍ମମାଟି ପାଇଁ ଆତ୍ମୋତ୍ସର୍ଗ ଦେଇଥିବା ସମସ୍ତ ବୀରମାନଙ୍କ ସମ୍ମାନ ପାଇଁ ଏହି ଦିବସ ଉଦ୍ଦିଷ୍ଟ ବୋଲି ସେ ମତବ୍ୟକ୍ତ କରିଥିଲେ । ସମ୍ମାନିତ ଅତିଥି ଅଧ୍ୟକ୍ଷ, ପଶ୍ଚିମ ଓଡିଶା ବିକାଶ ପରିଷଦର ଅଧ୍ୟକ୍ଷ ଶ୍ରୀ ସୁବାସ ଚୌହାନ ଯୋଗଦେଇ ପିଢି ପରେ ପିଢିଙ୍କୁ ଅନୁପ୍ରାଣିତ କରିବା ପାଇଁ ସ୍ୱାଧୀନତା ସଂଗ୍ରାମୀରେ ପ୍ରମୁଖ ଯୋଗଦାନ ରହିଥିବା ପଶ୍ଚିମ ଓଡିଶା ଅଂଚଳର ସମସ୍ତ କ୍ରାନ୍ତିକାରୀ ସଂଗ୍ରାମୀମାନଙ୍କର ସ୍ମୃତିରେ ପୁସ୍ତକ ପ୍ରକାଶନ କରାଗଲେ ପରିଷଦ ସହଯୋଗ କରିବ ବୋଲି ପ୍ରକାଶ କରିଥିଲେ ।

ଏହି ଦିବସ ଉପଲକ୍ଷେ ପୂର୍ବରୁ ଅନୁଷ୍ଠିତ ବିଦ୍ୟାଳୟ, ମହାବିଦ୍ୟାଳୟ ଏବଂ ବିଶ୍ୱ ବିଦ୍ୟାଳୟସ୍ତରୀୟ ଓଡିଆ ପ୍ରବନ୍ଧ ଓ ବକ୍ତୃତା ପ୍ରତିଯୋଗିତାର କୃତି ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା । ଶହୀଦ୍ କୁଞ୍ଜଳ ସିଂ କ୍ଲବ୍ର ସଭାପତି ଶ୍ରୀ ଅଶୋକ ପୁଝାହାରୀ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

ପରେ ପରେ ଏହି କ୍ଲବ୍ ଆନୁକୂଲ୍ୟରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ବହୁ ସଂଖ୍ୟାରେ ଜନସାଧାରଣ, ଛାତ୍ରଛାତ୍ରୀ ଓ ଗଣମାଧ୍ୟମ ପ୍ରତିନିଧି ଯୋଗଦେଇଥିଲେ ।

Leave A Reply

Your email address will not be published.