Latest Odisha News

BREAKING NEWS

୧୫ ଲକ୍ଷରୁ ଅଧିକ ଟଙ୍କାର ଜାଲ୍ ନୋଟ୍ ଜବତ, ୨ ଗିରଫ

ଭୁବନେଶ୍ୱର: ରାଜ୍ୟରେ ବଢ଼ୁଛି ଜାଲ୍ ନୋଟ୍ କାରବାର । ପେଣ୍ଠସ୍ଥଳୀ ପାଲଟିଛି ପଶ୍ଚିମ ଓଡ଼ିଶା । ବରଗଡ଼ ପରେ ସମ୍ବଲପୁରରୁ ଜବତ ହୋଇଛି ବିପୁଳ ପରିମାଣର ନକଲି ନୋଟ୍ । ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଏସଟିଏଫ୍ ୧୫ ଲକ୍ଷ ୧୨ ହଜାର ୫୦୦ ଟଙ୍କାର ନକଲି ଜାଲ୍ ନୋଟ୍ ଜବତ କରିଛି । ମାମଲାରେ ୨ ଜଣଙ୍କୁ ଗିରଫ କରିଛି ଏସଟିଏଫ୍ ।

ଜାଲ୍ ନୋଟ୍ କାରବାର ନେଇ ଏସଟିଏଫକୁ ସୂଚନା ମିଳିବା ପରେ ଆରମ୍ଭ ହୋଇଥିଲା ରେଡ୍ । ସମ୍ବଲପୁର ପୋଲିସ ସହାୟତାରେ ଏସଟିଏଫ୍ ଯୁଜୁମରା ଥାନା ନୂଆ ଅଧପଡ଼ା ଗାଁରେ ଚଢ଼ାଉ କରିଥିଲା । ସେଠାରୁ ନକଲି ୫ ଶହ ଓ ୨ ହଜାର ଟଙ୍କିଆ ନୋଟ୍ ଜବତ ହୋଇଛି । ମାମଲାରେ ସେହି ଗାଁର ପୋଦାର ପ୍ରସାଦ ସାହୁ ଓ ଜନ୍ମଜୟ ବାଘଙ୍କୁ ଗିରଫ କରାଯାଇଛି ।

ଏଥିସହ ଏସଟିଏଫ୍ ନକଲି ନୋଟ୍ ପ୍ରସ୍ତୁତରେ ବ୍ୟବହୃତ ୨ଟି ଲାପଟପ୍, ଗୋଟିଏ କଲର ପ୍ରିଣ୍ଟର ସହ ଅନ୍ୟ ସାମଗ୍ରୀ ଜବତ କରିଛି । ଏନେଇ ଯୁଜୁମରା ଥାନାରେ ଏକ ମାମଲା ରୁଜୁ କରାଯାଇଛି । କେବଳ ଏହି ୨ ଜଣ ମିଶି ଜାଲ୍ ନୋଟ କାରବାର କରୁଥିଲ କି ? ସେମାନଙ୍କ ସହ ଆଉ କିଏ ସମ୍ପୃକ୍ତ ? ଏସବୁର ଖୋଳତାଡ଼ କରୁଛି ପୋଲିସ ।

ଗତ ୭ ତାରିଖରେ ଏସଟିଏଫ୍ ବରଗଡ଼ ବରପାଲି ଅଞ୍ଚଳରୁ ୧୪ ଲକ୍ଷରୁ ଅଧିକ ଟଙ୍କାର ଜାଲ୍ ନୋଟ୍ ଜବତ କରିବା ସହ ୨ ଜଣଙ୍କୁ ଗିରଫ କରିଥିଲା । ଗିରଫଙ୍କ ମଧ୍ୟରେ ଜଣେ ଆନ୍ତଃରାଜ୍ୟ ଅଭିଯୁକ୍ତ ମଧ୍ୟ ଥିଲେ । ଉକ୍ତ ରାକେଟର ଲିଙ୍କ୍ ବିହାର ସହ ୟୁପି ଯାଏ ଲମ୍ବିଥିବା ସୂଚନା ଦେଇଥିଲା ଏସଟିଏଫ୍ ।

Leave A Reply

Your email address will not be published.