କଟକ : ରାଜ୍ୟ ସରକାରଙ୍କ ବିଚିତ୍ର ନୀତି । ଏଠି ମଦ ମିଳିବ କିନ୍ତୁ ଖାଦ୍ୟ ମିଳିବନି । ରାଜ୍ୟ ସରକାର ରାତି ସାଢେ ଗୋଟାଏ ଯାଏ ସହରରେ ମଦ ବାର ଖୋଲିବାକୁ ଅନୁମତି ଦେଇଛନ୍ତି । କିନ୍ତୁ ରାତି ୧୦ଟା ସୁଦ୍ଧା ଖାଦ୍ୟ ଦୋକାନକୁ ବନ୍ଦ କରିବା ପାଇଁ କହିଛନ୍ତି । ସରକାରଙ୍କ ଏପରି ନୀତି ବିରୋଧରେ ସ୍ୱର ଉଠାଇଛନ୍ତି ହୋଟେଲ୍ ଓ ରେଷ୍ଟୁରାଣ୍ଟ ବ୍ୟବସାୟୀ । ଏପରି ନିୟମରୂ ସଂଶୋଧନ ପାଇଁ ଦାବି କରିଛନ୍ତି ।
ହାେଟେଲ ଏବଂ ରେଷ୍ଟୁରାଣ୍ଟ ବ୍ୟବସାୟୀମାନେ ଅଭିଯୋଗ କରିଛନ୍ତି, କଟକରେ ବଡ ଡାକ୍ତରଖାନା, ଶିଶୁ ଭବନ, ଆଚାର୍ଯ୍ୟ ହରିହର କର୍କଟ କେନ୍ଦ୍ର ପରି ବଡ ବଡ ଡାକ୍ତରଖାନା ଥିବାରୁ ରୋଗୀ ଏବଂ ତାଙ୍କ ସମ୍ପର୍କୀୟଙ୍କ ଭିଡ ଲାଗି ରହିଥାଏ । ଏପରି ସ୍ଥିତିରେ ରାତି ୧୦ଟା ପରେ ହୋଟେଲ ଓ ରେଷ୍ଟୁରାଣ୍ଟ ବନ୍ଦ କରିଦେଲେ ସେମାନଙ୍କୁ ଉପବାସ ରହିବାକୁ ପଡିବ ।
ସୂଚନାଥାଉ କି, ଓଡ଼ିଶା ସହରାଞ୍ଚଳ ପୁଲିସ ଆଇନ(ଓୟୁପି) ୨୦୦୩ର ଧାରା ୨୮ ଅନୁଯାୟୀ କମିସନରେଟ୍ ପୁଲିସରେ ରାତି ୧୦ଟା ବାଜିଲେ ପୋଲିସ ଗାଡି ବୁଲି ବୁଲି ଦେଖୁଛି । ଦୋକାନ ବନ୍ଦ କରି ନ ଥିଲେ ସେମାନଙ୍କ ନିକଟରୁ ଏକ ହଜାର ଟଙ୍କା ଲେଖାଏ ଜରିମାନା ଆଦାୟ କରାଯାଉଛି। ତେଣୁ ଫାଇନ ଡରରେ ବ୍ୟବସାୟୀମାନେ ୧୦ଟା ପୂର୍ବରୁ ଦୋକାନ ବନ୍ଦ କରି ଦେଉଛନ୍ତି । ଖାଲି କଟକ ନୁହେଁ, ଭୁବନେଶ୍ବରରେ ମଧ୍ୟ ସମାନ ଅବସ୍ଥା ଦେଖିବାକୁ ମିଳିଛି ।
ଅନ୍ୟପକ୍ଷେ ଅବକାରୀ ବିଭାଗ ନିୟମ ଅନୁଯାୟୀ ରାତି ସାଢେ ଗୋଟାଏ ଯାଏ ସହରାଞ୍ଚଳରେ ଠିପି ଖୋଲା ମଦ ଦୋକାନ ଖୋଲିବାକୁ ଅନୁମତି ରହିଛି । ଏହାକୁ ନେଇ ଲୋକଙ୍କ ମନରେ ଅସନ୍ତୋଷ ବଢିବାରେ ଲାଗିଛି । ରାତିରେ ଖାଦ୍ୟ ମିଳୁନାହିଁ ଅଥଚ ମଦ ମିଳୁଛି ବୋଲି କହୁଛନ୍ତି । ରାଜସ୍ବ ଆଦାୟ ଲୋଭରେ ସରକାର ମଦ ପ୍ରତି ଗୁରୁତ୍ୱ ଦେଉଛନ୍ତି, ହେଲେ ଲୋକଙ୍କ ପେଟକୁ ଲାତ ମାରୁଛନ୍ତି ବୋଲି ଅସନ୍ତୁଷ୍ଟ ଲୋକେ କହୁଛନ୍ତି।
Comments are closed.