ପୁରୀ: ଏଣିକି ସୋସିଆଲ ମିଡିଆରେ ମହାପ୍ରଭୁ ଜଗନ୍ନାଥଙ୍କର ଆପତ୍ତିଜନକ ଏଡିଟ ଫୋଟୋ ପୋଷ୍ଟ କଲେ ଆଉ ନିସ୍ତାର ନାହିଁ । ଅନେକ ସମୟରେ ମହାପ୍ରଭୁଙ୍କ ଫୋଟକୁ କଦର୍ଥ କରି ପୋଷ୍ଟ କରାଯାଉଥିବା ଦେଖିବାକୁ ମିଳୁଛି । ଏହା ଭିତରେ ବିଭିନ୍ନ ସୋସିଆଲ ମିଡ଼ିଆ ପ୍ଲାଟଫର୍ମରୁ ମୋଟ ୯୭ଟି ଆପତ୍ତିଜନକ ପୋଷ୍ଟ ଓ ଆକାଉଣ୍ଟ ଡିଲିଟ କରିଛି ପୁରୀ ପୋଲିସ । ଆଗକୁ ଏପରି ପୋଷ୍ଟ ନଜର ଆସିଲେ ଉକ୍ତ ୟୁଜର୍ସଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପୋଲିସ ପକ୍ଷରୁ ଏକ ପ୍ରେସ ବିଜ୍ଞପ୍ତିରେ କୁହାଯାଇଛି ।
ପୁରୀ ପୋଲିସ ପକ୍ଷରୁ ପ୍ରେସ ବିଜ୍ଞପ୍ତିରେ ସୂଚନା ଦିଆଯାଇଛି ଯେ, ପବିତ୍ର ଅଣସର ସମୟ ଆରମ୍ଭ ହେବା ପରଠାରୁ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ନେଇ କିଛି ଆପତ୍ତିଜନକ ଏଡିଟ ଫଟୋ, ଭିଡିଓ ଏବଂ ପୋଷ୍ଟ ସୋସିଆଲ ମିଡିଆର ବିଭିନ୍ନ ପ୍ଲାଟଫର୍ମରେ ଦେଖିବାକୁ ମିଳିଥିଲା । ଯାହା ପୁରୀ ପୋଲିସ ନଜରକୁ ଆସିଥିଲା । ଏହାକୁ ଗୁରୁତର ସହ ନେଇ ଏସପି ପ୍ରତୀକ ସିଂଙ୍କ ନିର୍ଦ୍ଦେଶକ୍ରମେ ପୁରୀ ପୋଲିସ ପକ୍ଷରୁ ଏକ ସ୍ୱତନ୍ତ୍ର ଅନଲାଇନ ମନିଟରିଂ ଓ ଡ୍ରାଇଭ ଆରମ୍ଭ କରାଯାଇ ମୋଟ ୯୭ଟି ଆପତ୍ତିଜନକ ପୋଷ୍ଟ ଓ ଆକାଉଣ୍ଟ ଡିଲିଟ କରାଯାଇଛି ।
ପୁରୀ ପୋଲିସ ସମସ୍ତ ନାଗରିକଙ୍କୁ ବିନମ୍ର ଅନୁରୋଧ କରିଛି ଯେ, ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ସହ ଜଡିତ କୌଣସି ଫଟୋ, ଭିଡିଓ କିମ୍ବା ଅନ୍ୟାନ୍ୟ କଣ୍ଟେଣ୍ଟକୁ ଅନୁଚିତ ଭାବରେ ଏଡିଟ୍, ଡିଷ୍ଟର୍ଟ କିମ୍ବା ସେୟାର କରନ୍ତୁ ନାହିଁ । ସୋସିଆଲ ମିଡିଆରେ କୌଣସି କଣ୍ଟେଣ୍ଟ ପୋଷ୍ଟ କରିବା ପୂର୍ବରୁ ତାହାର ସାମାଜିକ, ସାଂସ୍କୃତିକ ଓ ଧାର୍ମିକ ପ୍ରଭାବକୁ ନିଶ୍ଚିତ ଭାବେ ବିଚାର କରନ୍ତୁ । ମହାପ୍ରଭୁ ଶ୍ରୀଜଗନ୍ନାଥ କେବଳ ଓଡ଼ିଶାର ନୁହେଁ, ସମଗ୍ର ବିଶ୍ୱର କୋଟି କୋଟି ଭକ୍ତଙ୍କର ଆସ୍ଥା ଓ ଭାବନାର କେନ୍ଦ୍ରବିନ୍ଦୁ । ଆମ ସମସ୍ତଙ୍କ ଦାୟିତ୍ୱ ହେଉଛି ଆମର ପରମ୍ପରା, ସଂସ୍କୃତି ଓ ଆଧ୍ୟାତ୍ମିକ ମୂଲ୍ୟବୋଧକୁ ସମ୍ମାନ ଜଣାଇବା ଏବଂ ସୁରକ୍ଷିତ ରଖିବା । କୌଣସି ଅପତ୍ତିଜନକ ପୋଷ୍ଟ କିମ୍ବା କଣ୍ଟେଣ୍ଟ ଆପଣଙ୍କ ନଜରକୁ ଆସିଲେ, ଦୟାକରି ତୁରନ୍ତ ପୁରୀ ପୋଲିସକୁ ଅବଗତ କରନ୍ତୁ…।