Latest Odisha News

BREAKING NEWS

ଆୟୁଷ୍ମାନ କାର୍ଡ ନେଇ ବଡ଼ ନିର୍ଦ୍ଦେଶ, ରୋଗୀଙ୍କଠାରୁ ଟଙ୍କା ନେଲେ ହେବ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର: ଆୟୁଷ୍ମାନ କାର୍ଡ ମାଧ୍ୟମରେ ଚିକିତ୍ସା ପାଉଥିବା ରୋଗୀଙ୍କ ପାଇଁ ଆସିଛି ବଡ଼ ଖବର। ଜନସାଧାରଣଙ୍କ ସ୍ୱାସ୍ଥ୍ୟ ସୁରକ୍ଷାକୁ ଗୁରୁତ୍ୱ ଦେଇ ଆୟୁଷ୍ମାନ ଯୋଜନା ଅଧୀନରେ ଚିକିତ୍ସା ସୁବିଧାକୁ ଆହୁରି ସ୍ପଷ୍ଟ ଓ କଡ଼ାକଡ଼ି କରାଯାଇଛି। ଏଣିକି ତାଲିକାଭୁକ୍ତ ଘରୋଇ ହସ୍ପିଟାଲ ରୋଗୀଙ୍କଠାରୁ ମନମୁଖୀ ଭାବେ ଟଙ୍କା ଆଦାୟ କରିପାରିବେ ନାହିଁ।

ସରକାରଙ୍କ ନିଷ୍ପତ୍ତି ଅନୁସାରେ, ଆୟୁଷ୍ମାନ ଯୋଜନା ଅଧୀନରେ ରୋଗୀ ହସ୍ପିଟାଲରେ ଭର୍ତ୍ତି ହେବା ପୂର୍ବର ୩ ଦିନ ମଧ୍ୟରେ କରାଯାଇଥିବା ବିଭିନ୍ନ ସ୍ୱାସ୍ଥ୍ୟ ପରୀକ୍ଷା ମଧ୍ୟ ଆୟୁଷ୍ମାନ କାର୍ଡରେ ଅନ୍ତର୍ଭୁକ୍ତ ହେବ। ଅର୍ଥାତ୍‌ ଭର୍ତ୍ତି ପୂର୍ବରୁ ଯେଉଁ ଆବଶ୍ୟକୀୟ ଟେଷ୍ଟ ହେବ, ସେଥିପାଇଁ ରୋଗୀଙ୍କୁ ଅଲଗା ଭାବେ ଟଙ୍କା ଦେବାକୁ ପଡ଼ିବ ନାହିଁ।

ସେହିପରି ହସ୍ପିଟାଲରୁ ଡିସଚାର୍ଜ ହେବା ପରେ ଆଗାମୀ ୧୫ ଦିନ ପର୍ଯ୍ୟନ୍ତ ରୋଗୀଙ୍କ ଔଷଧ, ଫଲୋ ଅପ୍‌ ଚିକିତ୍ସା ଓ ଆବଶ୍ୟକୀୟ ଟେଷ୍ଟ ସମ୍ପୂର୍ଣ୍ଣ ମାଗଣାରେ କରାଯିବ। ହସ୍ପିଟାଲ ନିଜ ତରଫରୁ ଏହି ସମସ୍ତ ଔଷଧ ଓ ସେବା ଯୋଗାଇବାକୁ ବାଧ୍ୟ ରହିବ। ଏହା ଦ୍ୱାରା ଚିକିତ୍ସା ପରେ ରୋଗୀ ଓ ପରିବାର ଉପରେ ପଡ଼ୁଥିବା ଅତିରିକ୍ତ ଆର୍ଥିକ ଚାପ କମିବ।

ଅପରେସନ ପରେ ଯଦି ରୋଗୀଙ୍କ ଶରୀରରେ କୌଣସି ସମସ୍ୟା ଦେଖାଦିଏ କିମ୍ବା ପୁଣିଥରେ ହସ୍ପିଟାଲରେ ଭର୍ତ୍ତି ହେବାକୁ ପଡ଼େ, ତେବେ ତାହା ମଧ୍ୟ ପୂର୍ବ ପ୍ୟାକେଜ୍‌ ଅଧୀନରେ ଆସିବ। ଏଥିପାଇଁ ରୋଗୀଙ୍କଠାରୁ କୌଣସି ଅତିରିକ୍ତ ଶୁଳ୍କ ଆଦାୟ କରାଯାଇପାରିବ ନାହିଁ।

ମାତ୍ର ଅଭିଯୋଗ ଆସୁଛି ଯେ, ଯୋଜନାରେ ତାଲିକାଭୁକ୍ତ କିଛି ଘରୋଇ ହସ୍ପିଟାଲ ରୋଗୀଙ୍କଠାରୁ ଭର୍ତ୍ତି ପୂର୍ବର ଡାଏଗ୍ନୋଷ୍ଟିକ୍‌ ଟେଷ୍ଟ ଓ ଚିକିତ୍ସା ପରବର୍ତ୍ତୀ ପରୀକ୍ଷା ପାଇଁ ଟଙ୍କା ଆଦାୟ କରୁଛନ୍ତି। ଏହାକୁ ଗୁରୁତର ଭାବେ ନେଇ ସମସ୍ତ ତାଲିକାଭୁକ୍ତ ବେସରକାରୀ ହସ୍ପିଟାଲକୁ ଏଭଳି କାର୍ଯ୍ୟ ତୁରନ୍ତ ବନ୍ଦ କରିବାକୁ କଡ଼ା ନିର୍ଦ୍ଦେଶ ଦିଆଯାଇଛି।

ସରକାର ସ୍ପଷ୍ଟ କରିଛନ୍ତି, ଆୟୁଷ୍ମାନ ଯୋଜନାର ସମସ୍ତ ସୁବିଧା ରୋଗୀଙ୍କୁ ନିରବଚ୍ଛିନ୍ନ ଭାବେ ମିଳିବା ଦରକାର। କୌଣସି ହସ୍ପିଟାଲ ଯଦି ରୋଗୀଙ୍କୁ ହଇରାଣ କରେ, ଅତିରିକ୍ତ ଟଙ୍କା ମାଗେ କିମ୍ବା ଯୋଜନା ଅଧୀନରେ ମିଳିବାକୁ ଥିବା ସେବା ଦେବାରେ ଅବହେଳା କରେ, ତେବେ ସମ୍ପୃକ୍ତ ଅନୁଷ୍ଠାନ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ।

Leave A Reply

Your email address will not be published.