Latest Odisha News

BREAKING NEWS

Fastag activated: ଘରୁ ଗାଡ଼ି ବାହାର କରିବା ଆଗରୁ ଏସବୁ ନିୟମ ଜାଣିରଖନ୍ତୁ, ନଚେତ୍ ଖାଲି ହୋଇପାରେ ଆପଣଙ୍କ ପକେଟ୍

ନୂଆଦିଲ୍ଲୀ: ଲାଗୁ ହେବ କଡ଼ା ନିୟମ! କାଗଜପତ୍ର ଠିକ୍ ନଥିଲେ ଟୋଲଗେଟରେ ଦେବାକୁ ପଡ଼ିବ ଦୁଇଗୁଣା ଜୋରିମନା । ଚାଲାଣ, ଇନସ୍ୟୁରାନ୍ସ ଓ PUCC ବାଧ୍ୟତାମୂଳକ।  ଯଦି ଆପଣଙ୍କ ପାଖରେ ଚାରିଚକିଆ ଗାଡ଼ି ଅଛି ଏବଂ ଆପଣ ଫେବ୍ରୁଆରି ୧ ତାରିଖ ପରେ ରାଜପଥରେ ବାହାରିବାକୁ ଯୋଜନା କରୁଛନ୍ତି, ତେବେ ଏହି ଖବରଟି ଆପଣଙ୍କ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଏଣିକି ଗାଡ଼ି କାଗଜପତ୍ରରେ ସାମାନ୍ୟ ଖିଲାପି କଲେ ଆପଣଙ୍କ ଫାସଟ୍ୟାଗ୍ (Fastag) କାମ କରିବ ନାହିଁ। କେବଳ ସେତିକି ନୁହେଁ, ଟୋଲଗେଟରେ ଆପଣଙ୍କୁ ଗଣିବାକୁ ପଡ଼ିପାରେ ଦୁଇଗୁଣା ଜୋରିମନା। କଣ ରହିଛି ଏହି ନୂଆ ନିୟମ ଏବଂ କାହିଁକି ଏହାକୁ ନେଇ ହାଇକୋର୍ଟରେ ହୋଇଛି ମାମଲା?

ଫେବ୍ରୁଆରି ୧ରୁ କଣ ବଦଳିବ?:

କେନ୍ଦ୍ର ସଡ଼କ ପରିବହନ ଏବଂ ଜାତୀୟ ରାଜପଥ ମନ୍ତ୍ରାଳୟର ନୂଆ ନିଷ୍ପତ୍ତି ଅନୁଯାୟୀ, ଆସନ୍ତା ଫେବ୍ରୁଆରି ୧ ତାରିଖରୁ ଟୋଲଗେଟ୍ ନିୟମ ଅଧିକ କଡ଼ାକଡ଼ି ହେବାକୁ ଯାଉଛି। ଏଣିକି ଯେଉଁ ଗାଡ଼ିର ଇ-ଚାଲାଣ (e-Challan) ବାକି ଥିବ, ଇନସ୍ୟୁରାନ୍ସ ବା ବୀମା ନବୀକରଣ ହୋଇ ନଥିବ କିମ୍ବା ପ୍ରଦୂଷଣ ନିୟନ୍ତ୍ରଣ ପ୍ରମାଣପତ୍ର ବା PUCC ନଥିବ, ସେହି ଗାଡ଼ିର ଫାସଟ୍ୟାଗ୍ ଆକ୍ଟିଭେଟ୍ ହେବ ନାହିଁ। ଯଦି ଆପଣ ଟୋଲଗେଟକୁ ଯାଉଛନ୍ତି ଏବଂ ଏହି ସବୁ କାଗଜପତ୍ର ଭିତରୁ ଗୋଟିଏ ବି ଖିଲାପି ହୋଇଛି, ତେବେ ଆପଣଙ୍କ ଗାଡ଼ି ବ୍ଲାକଲିଷ୍ଟରେ ରହିବ ଏବଂ ଆପଣଙ୍କୁ ନଗଦ ଦୁଇଗୁଣା ଫାଇନ ଦେଇ ଯିବାକୁ ପଡ଼ିବ।ହାଇକୋର୍ଟଙ୍କ ହସ୍ତକ୍ଷେପ ଏବଂ ଚ୍ୟାଲେଞ୍ଜ “ଏହି ନିୟମକୁ ନେଇ ଏବେ ଓଡ଼ିଶା ଉଚ୍ଚ ନ୍ୟାୟାଳୟ ବା ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି ଆବେଦନକାରୀ। ରାଜ୍ୟ ପରିବହନ କର୍ତ୍ତୃପକ୍ଷ ନିକଟରେ ନିୟମ କରିଥିଲେ ଯେ, ଯଦି ଗାଡ଼ି ନାଁରେ ଚାଲାଣ ବାକି ଅଛି, ତେବେ ସେହି ଗାଡ଼ିକୁ PUCC ବା ପ୍ରଦୂଷଣ ସାର୍ଟିଫିକେଟ୍ ମିଳିବ ନାହିଁ। ଏହି ନିର୍ଦ୍ଦେଶନାମାକୁ ସ୍ନିଗ୍ଧା ପାତ୍ରଙ୍କ ପକ୍ଷରୁ ହାଇକୋର୍ଟରେ ଚ୍ୟାଲେଞ୍ଜ କରାଯାଇଛି। ଆବେଦନକାରୀଙ୍କ ଓକିଲ ଯୁକ୍ତି ବାଢ଼ିଛନ୍ତି ଯେ, ଏହି ନିଷ୍ପତ୍ତି ମୋଟର ଯାନ ଆଇନ ୧୯୮୮ ଏବଂ କେନ୍ଦ୍ରୀୟ ନିୟମାବଳୀର ଉଲ୍ଲଂଘନ କରୁଛି। ହାଇକୋର୍ଟ ଏହି ମାମଲାରେ ରାଜ୍ୟ ସରକାର ଏବଂ ପରିବହନ କମିଶନରଙ୍କୁ ୨ ସପ୍ତାହ ମଧ୍ୟରେ ସ୍ପଷ୍ଟୀକରଣ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ବସ୍ ମାଲିକଙ୍କ ବିରୋଧ ଏବଂ ଅନ୍ୟ ନିୟମ କେବଳ ଚାରିଚକିଆ ନୁହେଁ, ସାଧାରଣ ପରିବହନ ଗାଡ଼ି ବା ବସ୍ ପାଇଁ ମଧ୍ୟ ନିୟମ କଡ଼ା ହୋଇଛି। ଗାଡ଼ିରେ ଲୋକେସନ ଟ୍ରାକିଂ ଯନ୍ତ୍ର (VLT Device) ନ ଲଗାଇଲେ ପଞ୍ଜୀକରଣ କିମ୍ବା ନବୀକରଣ କରାଯିବ ନାହିଁ ବୋଲି ସୂଚନା ମିଳିଛି। ଯାହାକୁ ଘରୋଇ ବସ୍ ମାଲିକ ସଂଘ ତୀବ୍ର ବିରୋଧ କରିଛି। ଏବେ ପ୍ରଶ୍ନ ଉଠୁଛି, ହାଇକୋର୍ଟଙ୍କ ହସ୍ତକ୍ଷେପ ପରେ ଫେବ୍ରୁଆରି ୧ରୁ ଏହି ବାଧ୍ୟତାମୂଳକ ନିୟମ ଲାଗୁ ହେବ ନା ଏଥିରେ କିଛି କୋହଳ କରାଯିବ? ଆସନ୍ତା ୩ ସପ୍ତାହର ଶୁଣାଣି ପରେ ସ୍ଥିତି ସ୍ପଷ୍ଟ ହେବ।

ତେଣୁ ଗାଡ଼ି ବାହାରକୁ କାଢ଼ିବା ପୂର୍ବରୁ ନିଜର ଚାଲାଣ, ଇନସ୍ୟୁରାନ୍ସ ଏବଂ ପ୍ରଦୂଷଣ କାଗଜପତ୍ର ତନତନ କରି ଯାଞ୍ଚ କରି ନିଅନ୍ତୁ। ନଚେତ୍ ଫେବ୍ରୁଆରି ୧ରୁ ଆପଣଙ୍କ ପକେଟ୍ ଖାଲି ହୋଇପାରେ।

Leave A Reply

Your email address will not be published.